ନୂଆଦିଲ୍ଲୀ: ଦେଶର ବିଭିନ୍ନ ବ୍ୟାଙ୍କରେ ୭୮,୨୧୩ କୋଟି ଟଙ୍କାର ଜମାରାଶି ରହିଛି, ଯାହାର କେହି ଦାବିଦାର ନାହାନ୍ତି। ତେବେ ସେହି ଟଙ୍କା ଯେଭଳି ପ୍ରକୃତ ହିତାଧିକାରୀଙ୍କ ପାଖରେ ସହଜରେ ପହଞ୍ଚିପାରିବ, ସେଥିପାଇଁ ବ୍ୟାଙ୍କଗୁଡ଼ିକ ଏପ୍ରିଲ୍‌ ୧ରୁ ରିଜର୍ଭ ବ୍ୟାଙ୍କର ନୂଆ ମାର୍ଗଦର୍ଶିକା ଲାଗୁ କରିବେ। ଦାବିଦାର ନଥିବା ଜମା ଖାତା ସମ୍ପର୍କିତ ବିବରଣୀକୁ ସେମାନେ ନିଜ ୱେବସାଇଟ୍‌ରେ ଉପଲବ୍ଧ କରିବେ ଏବଂ ସେଥିରେ ଖାତାର ବିଶଦ୍‌ ବିବରଣୀ ପ୍ରଦାନ କରିବେ। ଖାତାକୁ ଖୋଜିବା ଲାଗି ମଧ୍ୟ ସେଥିରେ ସହଜ ଅନୁସନ୍ଧାନ ସୁବିଧା ରହିବ। 

Advertisment

ଦାବିଦାର ନଥିବା ଖାତାର ଜମା ରାଶି ପାଇବା ଲାଗି ଆବେଦନ ଓ ଘୋଷଣାପତ୍ର ମଧ୍ୟ ‌ରହିବ। ଆବେଦନକାରୀଙ୍କୁ ନାମ, ମୋବାଇଲ୍‌ ନମ୍ବର ଓ ଠିକଣା ଭଳି ଗୁରୁତ୍ବପୂର୍ଣ୍ଣ ସୂଚନା ଦେବାକୁ ପଡ଼ିବ। ବ୍ୟାଙ୍କର ଶାଖା ସେହି ଆବେଦନକୁ ଯାଞ୍ଚ କରି ତାହାର ପ୍ରକ୍ରିୟାକରଣ କରିବେ। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କର ଉଦ୍‌ଗମ୍ ପୋର୍ଟାଲ୍‌ରେ ଦାବିଦାର ନଥିବା ଜମା ସମ୍ପର୍କରେ ଯାଞ୍ଚ କରାଯାଇପାରୁଛି। ୧୦ ବର୍ଷରୁ ଅଧିକ ସମୟ ଧରି ଅଚଳ ରହୁଥିବା ବ୍ୟାଙ୍କ ଖାତାରେ ଥିବା ଜମାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଜମାକାରୀ ଶିକ୍ଷା ଓ ସଚେତନତା ପାଣ୍ଠିରେ ଜମା କରାଯାଉଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ପାଣ୍ଠିରେ ୭୮,୨୧୩ କୋଟି ଟଙ୍କା ରହିଛି, ଯାହା ପୂର୍ବବର୍ଷ ତୁଳନାରେ ୨୬ ପ୍ରତିଶତ ଅଧିକ।