ସିଏମ୍‌ଆଇଇ ରିପୋର୍ଟ : ଜୁଲାଇରେ ବେକାରି କମିଲା, ଓଡ଼ିଶାରେ ସବୁଠୁ କମ୍‌

ଦେଶରେ ୭.୪୩% ରାଜ୍ୟରେ ୧.୯%

ନୂଆଦିଲ୍ଲୀ କରୋନା ମହାମାରୀ ପାଇଁ ଦେଶରେ ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌କୁ କୋହଳ କରାଯିବା ସହିତ ମୌସୁମୀ ବର୍ଷା ଯୋଗୁ ଚାଷବାସ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଏହାର ପ୍ରଭାବରେ ଦେଶରେ ବେକାରି ହାର ହ୍ରାସ ପାଇଛି। ସର୍ବ ଭାରତୀୟ ସ୍ତରରେ ଜୁନ୍ ତୁଳନାରେ ଜୁଲାଇରେ ବେକାରି ହାର କମିଛି ବୋଲି ସେଣ୍ଟର ଫର୍‌ ମନିଟରିଂ ଅଫ୍ ଇଣ୍ଡିଆନ୍ ଇକୋନୋମି (ସଏମଆଇଇ) ରିପୋର୍ଟରେ ଦର୍ଶାଯାଇଛି।

ଜୁନରେ ଦେଶରେ ବେକାରି ହାର ୧୦.୯୯ ପ୍ରତିଶତ ଥିବାବେଳେ ଜୁଲାଇରେ ଏହା ୭.୪୩ ପ୍ରତିଶତକୁ କମିଛି। ଏପରିକି ଜୁଲାଇ ମାସର ବେକାରି ହାର ମାର୍ଚ୍ଚ ମାସର ବେକାରି ହାର (୮.୭୫ ପ୍ରତିଶତ) ତୁଳନାରେ ମଧ୍ୟ କମ୍ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଫଳରେ ମାର୍ଚ୍ଚ ୨୫ ତାରିଖରୁ ପ୍ରଥମ ପର୍ଯ୍ୟାୟରେ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା। ଏଥିଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରାୟତଃ ଠପ୍ ହୋଇଯାଇଥିଲା। ଫଳରେ ବେକାରି ହାର ବଢ଼ିଯାଇଥିଲା। ଆଶ୍ବସନାର ଅନ୍ୟ ଏକ ବିଷୟ ହେଲା ସର୍ବ ଭାରତୀୟ ସ୍ତର ତୁଳନାରେ ଓଡ଼ିଶାରେ ବେକାରି ହାର ଖୁବ୍ କମ୍ ରହିଛି। ଜୁଲାଇ ମାସରେ ଓଡ଼ିଶା ଓ ଗୁଜରାଟରେ ବେକାରି ହାର ଯଥାକ୍ରମେ ୧.୯ ପ୍ରତିଶତ ରହିଛି। ଓଡ଼ିଶା ଓ ଗୁଜରାଟ ପରେ ମେଘାଳୟରେ ବେକାରି ହାର ୨.୧ ପ୍ରତିଶତ ରହିଥିଲା। ତେବେ ହରିୟାଣାରେ ବେକାରି ହାର ସବୁଠୁ ଅଧିକ ଅର୍ଥାତ୍ ୨୪.୫ ପ୍ରତିଶତ ରହିଥିଲା। ହରିୟାଣା ପରେ ଦିଲ୍ଲୀରେ ଦ୍ବିତୀୟ ସର୍ବାଧିକ ଅର୍ଥାତ୍ ୨୦୦.୩ ପ୍ରତିଶତ ଏବଂ ହିମାଚଳ ପ୍ରଦେଶରେ ତୃତୀୟ ସର୍ବାଧିକ ଅର୍ଥାତ୍ ୧୮.୬ ପ୍ରତିଶତ ବେକାରି ରହିଥିବା ରିପୋର୍ଟରେ କୁହାଯାଇଛି। ଦେଶରେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ବେକାରି ଅଧିକ କମିଛି। ଜୁନ୍‌ରେ ଦେଶର ଗ୍ରାମାଞ୍ଚଳରେ ବେକାରି ହାର ୧୦.୫୨ ପ୍ରତିଶତ ଥିବାବେଳେ ଜୁଲାଇରେ ଏହା ୬.୬ ପ୍ରତିଶତକୁ ଖସିଆସିଛି। ‌ଜୁନ୍ ମାସରେ ଦେଶର ସହରାଞ୍ଚଳରେ ବେକାରି ହାର ୧୨.୦୨ ପ୍ରତିଶତ ଥିବାବେଳେ ଜୁଲାଇରେ ଏହା ୯.୧୫ ପ୍ରତିଶତକୁ କମିଛି। ତେଣୁ ସହରାଞ୍ଚଳରେ ବେକାରି ହାର ଉଭୟ ଗ୍ରାମାଞ୍ଚଳ ଏବଂ ଜାତୀୟ ହାର ତୁଳନାରେ ଅଧିକ ରହିଛି। ସିଏମଆଇଇର ରିପୋର୍ଟରେ ଏହା ଜଣାଯାଇଛି ଯେ, ମେ ମାସରେ ଦେଶର ସହରାଞ୍ଚଳରେ ବେକାରି ହାର ୨୫.୭୯ ପ୍ରତିଶତ ଥିବାବେଳେ ଏପ୍ରିଲ ମାସରେ ୨୪.୯୫ ପ୍ରତିଶତ ରହିଥିଲା। ଅନ୍ୟପକ୍ଷରେ ୨୦୧୯ ଅଗଷ୍ଟରୁ ୨୦୨୦ ଫେବ୍ରୁଆରି ମଧ୍ୟରେ ଜାତୀୟ ସ୍ତରରେ ବେକାରି ହାର ୭.୧୬ ପ୍ରତିଶତରୁ ୮.୧୯ ପ୍ରତିଶତ ମଧ୍ୟରେ ରହିଛି।

‘ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍‌’ର ଅର୍ଥନୀତି ବିଭାଗ ପ୍ରଫେସର ଅରୂପ ମିତ୍ରଙ୍କ କହିବାନୁଯାୟୀ, ବେକାରି ହାର ହ୍ରାସରେ ଗ୍ରାମାଞ୍ଚଳର ଯୋଗଦାନ ଅଧିକ ରହିଛି। ତେବେ ସହରାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ‌ ଆରମ୍ଭ ହୋଇଛି। ଜୁନ୍ ପରଠାରୁ ଦେଶରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ବେକାରି ହାର କମିଛି। କିନ୍ତୁ କରୋନା ମହାମାରୀ ବ୍ୟବସାୟ ଜଗତକୁ ପ୍ରଭାବିତ କରିଥିବାରୁ ଭଲ ଚାକିରି ଏବଂ ଆନୁଷ୍ଠାନିକ କ୍ଷେତ୍ରର ନିଯୁକ୍ତି ଧୀରେ ଧୀରେ ଖୋଲୁଛି। ତେଣୁ ଏଥିପାଇଁ ସମୟ ଲାଗିବ। ସେହିଭଳି ଗତ କିଛିମାସ ହେଲା ବଜାରରେ ଚାହିଦା ମନ୍ଥର ହୋଇଛି। ଗ୍ରାମୀଣ ଭାରତରେ ଚାହିଦା କିଛିମାତ୍ରାରେ ବଢ଼ିଛି। କିନ୍ତୁ ଏହା ଏକ ଦୀର୍ଘ ପ୍ରକ୍ରିୟା ବୋଲି ଶ୍ରୀ ମିତ୍ର ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର