ସହ‌ରରେ ଅଧିକ ବେକାରି, ବେକାରି ହାର ୭.୧%

ଜାତୀୟ ହାରଠୁ ଅଧିକ

ଭୁବନେଶ୍ବର: ସରକାର ଶ୍ରମିକମାନଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ସେତେଟା ସଫଳ ହୋଇନାହାନ୍ତି। କେନ୍ଦ୍ର ହେଉ କି ରାଜ୍ୟ ସବୁଠାରେ ଶ୍ରମିକଙ୍କ ପାଇଁ ନିଯୁକ୍ତିର ମୁଖ୍ୟ ସାହା ଭରସା ହେଉଛି ଆତ୍ମ ନିଯୁକ୍ତି। ଅଧିକାଂଶ ଶ୍ରମିକ ବା ବେକାରି ସେମାନଙ୍କ ପେଟ ପୋଷିବା ପାଇଁ ଆତ୍ମ ନିଯୁକ୍ତି ଉପରେ ନିର୍ଭର କରୁଛନ୍ତି। ରାଜ୍ୟ ଜନସଂଖ୍ୟାର ପ୍ରାୟ ୫୭.୪ ପ୍ରତିଶତ ଲୋକ ଆତ୍ମନିଯୁକ୍ତ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ୨୦୧୮-୧୯ ରିପୋର୍ଟରେ ଏହା ଦର୍ଶାଯାଇଛି।

ଶ୍ରମ ଶକ୍ତି ସର୍ଭେ ୨୦୧୭-୧୮ ରିପୋର୍ଟକୁ ଆଧାର କରି ଅର୍ଥନୈ‌ତିକ ସର୍ଭେରେ ଏହା କୁହାଯାଇଛି। ଏଥିରେ ଦର୍ଶାଯାଇଛି ଜାତୀୟ ସ୍ତରରେ ବେକାରି ହାର ୬.୧ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୭.୧ ପ୍ରତିଶତ ରହିଛି। ରାଜ୍ୟର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଅନୁଯାୟୀ ନିଯୁକ୍ତିକୁ ଦେଖିଲେ ଗାଁ ତୁଳନାରେ ସହରରେ ବେକାରି ହାର ଅଧିକ ରହିଛି। ରାଜ୍ୟର ଗ୍ରାମାଞ୍ଚଳରେ ସବୁଠୁ ଅଧିକ ଶ୍ରମିକ କୃଷି କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି। କୃଷିରେ ଗ୍ରାମାଞ୍ଚଳର ୫୬ ପ୍ରତିଶତ ଶ୍ରମିକ କାର୍ଯ୍ୟରତ ଥିବାବେଳେ ସହରାଞ୍ଚଳରେ ୩୫.୯ ପ୍ରତିଶତ ଶ୍ରମିକ ସେବା କ୍ଷେତ୍ରରେ ନିଯୁକ୍ତ ଅଛନ୍ତି। ଏହି ସେବାରୁ ବାଣିଜ୍ୟ ଏବଂ ମରାମତି, ପରିବହନ ଏବଂ ‌େ‌ଷ୍ଟାରେଜ୍ ସେବାକୁ ବାଦ୍ ଦିଆଯାଇଛି। ରାଜ୍ୟର ସାମଗ୍ରିକ ନିଯୁକ୍ତି ଉପରେ ନଜର ପକାଇଲେ ଏଥିରୁ ଜଣାଯାଇଛି ସଂଖ୍ୟାଧିକ ଲୋକ ଆତ୍ମନିଯୁକ୍ତ ଅଛନ୍ତି। ଏହା ପଛକୁ ଅସ୍ଥାୟୀ ଶ୍ରମିକ ରହିଥିବା ଦର୍ଶାଯାଇଛି। ତେବେ ଆଶ୍ବାସନାର ବିଷୟ ହେଲା ନିଯୁକ୍ତି ସ୍ଥିତିରେ ସୁଧାର ଆସୁଛି। ନିଯୁକ୍ତିରେ ସଂଗଠିତ କ୍ଷେତ୍ରର ଯୋଗଦାନ ବଢ଼ିବାରେ ଲାଗିଛି। ନିୟମିତ ବେତନଭୋଗୀ ଶ୍ରମିକଙ୍କ ସଂଖ୍ୟା ବଢ଼ୁଥିବାବେଳେ ଅସ୍ଥାୟୀ ଶ୍ରମିକ ଏବଂ ଆତ୍ମ ନିଯୁକ୍ତ ରହିଥିବା ଶ୍ରମିକଙ୍କ ମାତ୍ରା ହ୍ରାସ ପାଉଛି। ରାଜ୍ୟ ଅର୍ଥନୀତି ପାଇଁ ଆଉ ଏକ ଶୁଭ ଲକ୍ଷଣ ହେଲା ସମୁଦାୟ ମହିଳା ଶ୍ରମିକଙ୍କ ମଧ୍ୟରେ ଅସ୍ଥାୟୀ ମହିଳା ଶ୍ରମିକଙ୍କ ସଂଖ୍ୟା କମିବାରେ ଲାଗିଛି। ପୁରୁଷ ଶ୍ରମିକଙ୍କ ତୁଳନାରେ ମହିଳା ଶ୍ରମିକଙ୍କ ସ୍ଥିତି ଏ କ୍ଷେତ୍ରରେ ଭଲ ରହିଥିବା କୁହାଯାଇଛି।

ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନଏସଏସଓ)ର ୨୦୧୭-୧୮ ରିପୋର୍ଟ ଆଧାରରେ ନିଯୁକ୍ତି ସମ୍ପର୍କିତ ଅଧିକ ରିପୋର୍ଟ ସରକାର ଅର୍ଥନୈତିକ ସର୍ଭେରେ ଉଲ୍ଲେଖ କରିଛନ୍ତି। ୩ଟି ମାପକାଠିକୁ ନେଇ ଜାତୀୟ ଏବଂ ରାଜ୍ୟର ନିଯୁକ୍ତି ସଂକ୍ରାନ୍ତ ତଥ୍ୟ ଏଥିରେ ରଖାଯାଇଛି। ସେଗୁଡ଼ିକ ହେଲା ଶ୍ରମ ଶକ୍ତିର ଅଂଶଗ୍ରହଣ ହାର ବା ଲେବର ଫୋର୍ସ ପାର୍ଟିସିପେସନ୍ ରେଟ୍, ଶ୍ରମିକ-ଜନସଂଖ୍ୟା ଅନୁପାତ ବା ୱାର୍କର ପପୁଲେସନ୍ ରେସିଓ ଏବଂ ବେକାରି ହାର। ଉପରୋକ୍ତ ୩ଟି ଯାକ ମାପକାଠିରେ ଓଡ଼ିଶା ଜାତୀୟ ସ୍ତର ତୁଳନାରେ ପଛରେ ରହିଛି। ଶ୍ରମଶକ୍ତି ଅଂଶଗ୍ରହଣ ହାର ଓଡ଼ିଶାରେ ୪୮.୩ ଥିବାବେଳେ ଜାତୀୟ ସ୍ତରରେ ଏହା ୪୯.୮ ରହିଛି। ସେହିଭଳି ଶ୍ରମିକ ଲୋକସଂଖ୍ୟା ଅନୁପାତ ଓଡ଼ିଶାରେ ୪୪.୯ ରହିଥିବାବେଳେ ଜାତୀୟ ସ୍ତରରେ ଏହା ୪୬.୮ ରହିଛି। ସେହିଭଳି ରାଜ୍ୟରେ ବେକାରି ହାର ୭.୧ ରହିଥିବାବେଳେ ଜାତୀୟ ସ୍ତରରେ ଏହା ୬.୧ ରହିଥିବା କୁହାଯାଇଛି। ‌ତେବେ ରାଜ୍ୟରେ ନିଯୁକ୍ତି ସୃଷ୍ଟି ଏବଂ ଯୁବବର୍ଗଙ୍କ ନିଯୁକ୍ତିଗତ ଦକ୍ଷତା ବଢ଼ାଇବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ରାଜ୍ୟରେ ମେକ୍ ଇନ୍ ଓଡ଼ିଶାର ଆୟୋଜନ କରାଯାଇ ଦେଶ ବିଦେଶରୁ ଘରୋଇ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରାଯାଉଛି। ମେକ୍ ଇନ୍ ଓଡ଼ିଶା ଯୋଗୁ ରାଜ୍ୟରେ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର