ଅଣସଂଗଠିତ ଶ୍ରମିକଙ୍କ ପାଇଁ ସଂସଦୀୟ କମିଟିର ପ୍ରସ୍ତାବ, ବେକାରି ବୀମାର ବ୍ୟବସ୍ଥା କରାଯାଉ

ନୂଆଦିଲ୍ଲୀ: ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଏକ ସ୍ବତନ୍ତ୍ର ସାମାଜିକ ସୁରକ୍ଷା ସ୍କିମ୍ ଆଣିବା ଲାଗି ଏକ ସଂସଦୀୟ କମିଟି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଶ୍ରମ ବଜାରରେ ଦେଖାଦେଇଥିବା ପରିବର୍ତନ ଅନୁସାରେ ନୂଆ ପ୍ରକାର ଶ୍ରମିକଙ୍କୁ ଏହି ସ୍କିମ୍‌ରେ ସାମିଲ କରିବାକୁ ମଧ୍ୟ କହିଛି। ଶ୍ରମ ବଜାରରେ ଦେଖାଦେଉଥିବା ଅସ୍ଥିରତାରୁ ଶ୍ରମିକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ସ୍ବତନ୍ତ୍ର ବେକାରି ବୀମା ବ୍ୟବସ୍ଥା କରିବାକୁ କମିଟି ପ୍ରସ୍ତାବ ଦେଇଛି। ଏହାକୁ ସ୍କିମ୍‌ର ଏକ ମହତ୍ବପୂର୍ଣ୍ଣ ଅଂଶ ଭାବେ ବର୍ଣ୍ଣନା କରାଯାଇଛି। ଶ୍ରମକୁ ନେଇ ଗଠିତ ସଂସଦୀୟ କମିଟି ଏହାର ରିପୋର୍ଟରେ ଅସ୍ଥାୟୀ ଭାବେ କାମ କରୁଥିବା ଶ୍ରମିକମାନଙ୍କୁ ମଧ୍ୟ ସାମାଜିକ ସୁରକ୍ଷା ଅନ୍ତର୍ଭୁକ୍ତ କରିବାକୁ କହିଛି। ଶ୍ରମ ବଜାରରେ ସମାନତା ଆଣିବା ଲାଗି ଏହି ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟଗୂୁଡ଼ିକ ତରଫରୁ ଘୋଷଣା କରାଯାଉଥିବ‌ା ସ୍କିମ୍‌ଗୁଡ଼ିକ ମଧ୍ୟ‌ରେ ସ୍ପଷ୍ଟ ପ୍ରଭେଦ ରହିବାର ଆବଶ୍ୟକତା ରହିଛି।

କାରଣ ଅନେକ ସମୟରେ ସେହି ସମାନ ପ୍ରକାର ସୁବିଧା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଦାନ କରିଥାନ୍ତି। ରାଜ୍ୟଗୁଡ଼ିକ ମଧ୍ୟରେ ସମାନତା ଆଣିବା ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, ବୃଦ୍ଧାବସ୍ଥା ପେନ୍‌ସନ୍, ଦିବ୍ୟାଙ୍ଗ ପେନ୍‌ସନ୍ ଆଦିକୁ ନେଇ ଏକ କମ୍ପୋଜିଟ୍ ସ୍କିମ୍ ଆଣିବାର ଆବଶ୍ୟକତା ରହିଛି ‌ବୋଲି କମିିଟି କହିଛି। ଅଣସଂଗଠିତ କର୍ମଚାରୀଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ପାଣ୍ଠି ଗଠନ କରିବା ଲାଗି ସୁପାରିସ କରାଯାଇଛି। ଶ୍ରମିକ, ନିଯୁକ୍ତିଦାତା, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଗଦାନକୁ ଏହି ପାଣ୍ଠିରେ ଜମା କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବିତ ସାମାଜିକ ସୁରକ୍ଷା ସ୍କିମ୍ ଚଳାଇବା ଲାଗି କୌଣସି ବ୍ୟୟ ଓ ରାଜସ୍ବ ଉତ୍ସ ବିଷୟରେ ସରକାର ଉଲ୍ଲେଖ କରିନଥିବାରୁ କମିଟି ବିରକ୍ତି ପ୍ରକାଶ କରିଛି। ବେକାରି ବୀମା ସୁବିଧା ଯୋଡ଼ିବା ଲାଗି ମଧ୍ୟ ପ୍ରସ୍ତାବ ରହିଛି। ଏହି ସୁବିଧା ନରହିଲେ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସାମାଜିକ ସୁରକ୍ଷାରେ ସବୁଠୁ ବଡ଼ ଅନ୍ତର ରହିଯିବ ବୋଲି କମିଟି କହିଛି। କମିଟି ଏହାର ରିପୋର୍ଟ ଗତ ଶୁକ୍ରବାର ଦାଖଲ କରିଛି। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ୪୪ ପ୍ରକାର ଶ୍ରମ ନିୟମକୁ ମିଶାଇ ଚାରିଟି କୋଡ୍ ପ୍ରସ୍ତୁତ କରାଯାଇଛି। ମଜୁରିକୁ ନେଇ ପ୍ରସ୍ତୁତ କରାଯାଇଥିବା କୋଡ୍‌କୁ ସଂସଦର ମଞ୍ଜୁରି ମିଳିସାରିଛି ଓ ତାହାର ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଇଛି। ଶିଳ୍ପ ସମ୍ପର୍କ କୋଡ୍, ପେସାଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ପରିବେଶ କୋଡ୍‌କୁ ଷ୍ଟାଣ୍ଡିଂ କମିଟି ଅନୁଧ୍ୟାନ କରିବା ପରେ ସଂସଦ‌କୁ ପଠାଇ ଦେଇଛି। ସଂସଦର ମୌସୁମୀ ଅଧିବେଶନରେ ଏହି କୋଡ୍‌ଗୁଡ଼ିକୁ ଉପସ୍ଥାପନ କରାଯିବ।

ସମ୍ବନ୍ଧିତ ଖବର