ସହରରେ ବେକାରି ସଂଖ୍ୟା ବଢ଼ିଲା, ରାଜ୍ୟ ଲଗାଇଥିବା କଟକଣା ପ୍ରଭାବ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହର ଦେଶର ନିଯୁକ୍ତି ବଜାରକୁ ପୁଣି ଥରେ ପ୍ରଭାବିତ କରିବା ଆରମ୍ଭ କରିଛି। ସହରାଞ୍ଚଳରେ ବେକାରି ହାର ୧୦% ପାଖାପାଖି ପହଞ୍ଚିଯାଇଛି। କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ କଟକଣା ଏବଂ ଆଂଶିକ ଲକ୍‌ଡାଉନ୍‌ ଘୋଷଣା କରିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଗତବର୍ଷ ଲକ୍‌ଡାଉନ୍ ଘୋଷଣା ହେବା ପରେ ବେକାରି ସଂଖ୍ୟା ବହୁତ ବଢ଼ିଥିଲା। ଗତ କିଛି ମାସ ହେଲାଣି ସେଥିରେ ଅନେକ ସୁଧାର ଘଟିଥିଲା। ସେହି ସମୟରେ ଯେଉଁ ଲାଭ ମିଳିଥିଲା ତାହା ପୁଣି ଦୂର ହେବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ତଥ୍ୟରୁ ଜଣାପଡ଼ିଛି ଯେ ଏପ୍ରିଲ୍ ୧୧ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ସହରାଞ୍ଚଳ ବେକାରି ହାର ୯.୮୧%କୁ ବୃଦ୍ଧି ପାଇଛି।

ଏହାର ଗୋଟିଏ ସପ୍ତାହ ପୂର୍ବରୁ ଏହି ହାର ଅପେକ୍ଷାକୃତ କମ୍ ୭.୭୨% ଥିଲା। ତା’ର ଗୋଟିଏ ସପ୍ତାହ ପୂର୍ବରୁ ଏହି ହାର ୭.୨୪% ଥିଲା। ସିଏମ୍‌ଆଇଇ ତଥ୍ୟ ଅନୁଯାୟୀ ଏପ୍ରିଲ୍‌ ୧୧ ସୁଦ୍ଧା ଜାତୀୟ ବେକାରି ହାର ୮.୫୮%କୁ ବୃଦ୍ଧି ପାଇଛି। ସପ୍ତାହକ ପୂର୍ବରୁ ଏହି ହାର ୬.୬୫% ଥିଲା। ଏଥର ମଧ୍ୟ ଅଣସଂଗଠିତ କ୍ଷେତ୍ରରେ ନିଯୁକ୍ତି ସର୍ବାଧିକ ପ୍ରଭାବିତ ହୋଇଛି। ସଂଗଠିତ କ୍ଷେତ୍ରଗୁଡ଼ିକ ମଧ୍ୟରୁ ରିଟେଲ୍‌ ଓ ଆତିଥେୟତା କ୍ଷେତ୍ରରେ ନିଯୁକ୍ତି ସଙ୍କୁଚିତ ହୋଇଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଅରୁପ ମିତ୍ର କହିଛନ୍ତି ଯେ ରାତ୍ରୀକାଳୀନ କର୍ଫ୍ୟୁ ଓ କଟକଣା ଯୋଗୁଁ ଅଣସଂଗଠିତ କ୍ଷେତ୍ରରେ ମାନବସମ୍ବଳ ଆବଶ୍ୟକତା ହ୍ରାସ ପାଇଛି। ବଜାର କିମ୍ବା ଦୋକାନ ଥିବା ଅଞ୍ଚଳ ପ୍ରଭାବିତ ହୋଇଥିବାରୁ ନିଯୁକ୍ତି ହ୍ରାସ ପାଇଛି। ସେହିପରି ଶ୍ରମ ବଜାର ବିଶେଷଜ୍ଞ ଭାବେ ପରିଚିତ ଅର୍ଥନୀତିଜ୍ଞ କେ ଆର୍‌ ଶ୍ୟାମସୁନ୍ଦର କହିଛନ୍ତି ଯେ ଏଥର ଆତିଥେୟତା, ରିଟେଲ୍ ଓ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ଅଧିକ ପ୍ରଭାବିତ ହୋଇଛି। ଟିକାକରଣ ବଢ଼ିଲେ ଏହାର ପ୍ରଭାବ ଅନେକାଂଶରେ ହ୍ରାସ ପାଇପାରିବ ବୋଲି ସେ କହିଛନ୍ତି। ଭାରତୀୟ ବ୍ୟବସାୟୀ ମହାସଂଘ ଆକଳନ କରିଛି ଯେ ବିଭିନ୍ନ ରାଜ୍ୟରେ ଲଗାଯାଇଥିବା କଟକଣା ଯୋଗୁଁ ଗତ ସପ୍ତାହରେ ୩୦% ବ୍ୟବସାୟ କ୍ଷତି ହୋଇଛି।

ସମ୍ବନ୍ଧିତ ଖବର