ଭୁବନେଶ୍ବର: ସାରା ଦେଶରେ ବେକାରି ସ୍ଥିତିରେ ସୁଧାର ଘଟିଛି। ଓଡ଼ିଶାରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି। ୨୦୨୪ର ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ସର୍ବଭାରତୀୟ ସ୍ତରରେ ବେକାରି ହାର ୬.୪ ପ୍ରତିଶତ ରହିଛି। ବର୍ଷକ ପୂର୍ବରୁ ସେହି ହାର ୬.୫ ପ୍ରତିଶତ ଥିଲା। ଏହି ତିନି ମାସରେ ଓଡ଼ିଶାର ବେକାରି ହାରରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ରାଜ୍ୟର ସହରାଞ୍ଚଳ ବେକାରି ହାର ୮.୭ ପ୍ରତିଶତକୁ ହ୍ରାସ ପାଇଛି, ଯାହା ତାହାର ପୂର୍ବ ତ୍ରୈମାସିକ (୨୦୨୪ ଜୁଲାଇ-ସେପ୍ଟେମ୍ବର)ରେ ୧୦.୬ ପ୍ରତିଶତ ଭଳି ଉଚ୍ଚା ଥିଲା। କେନ୍ଦ୍ର ସରକାରଙ୍କ ଅବଧି ଭିତ୍ତିକ ଶ୍ରମଶକ୍ତି ସର୍ବେକ୍ଷଣ ବା ପିଏଲ୍ଏଫ୍ଏସ୍ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏଥିରୁ ଗୋଟିଏ କଥା ଜଣାପଡ଼ୁଛି ଯେ, ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କାମ କରିବାକୁ ଯୋଗ୍ୟ ଯେତିକି ଲୋକ ବେକାର ହୋଇ ବସିଥିଲେ, ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ କାମ ମିଳିଥିଲା। ଏହି ତିନି ମାସରେ ଦଶହରା, ଦୀପାବଳି ଓ ବଡ଼ଦିନ ଭଳି ପର୍ବ ପଡ଼ିଥିଲା। ତେଣୁ ବଜାରରେ ଉତ୍ସାହ ଫେରିଥିଲା। ତାହାର ପ୍ରଭାବରେ ନିଯୁକ୍ତି ବଜାରରେ ସୁଧାର ହୋଇଥିବା କୁହାଯାଇପାରିବ। କିନ୍ତୁ ବିଶେଷଜ୍ଞଙ୍କ ମତରେ ଚାକିରି ନୁହେଁ, ଅଧିକରୁ ଅଧିକ ଲୋକ ସ୍ବାବଲମ୍ବୀ ହେଉଥିବାରୁ ବେକାରି କମ୍ ହେଉଛି।
ଉଭୟ ପୁରୁଷ, ମହିଳା ବର୍ଗରେ ସୁଧାର
ଚାକିରି ପଛରେ ନ ଗୋଡ଼ାଇ ସ୍ବାବଲମ୍ବୀ ହେଉଛନ୍ତି
ରାଜ୍ୟରେ ଉଭୟ ପୁରୁଷ ଓ ମହିଳାଙ୍କ ନିଯୁକ୍ତିରେ ସୁଧାର ଘଟିଛି। ୨୦୨୪ର ଜୁଲାଇ-ସେପ୍ଟେମ୍ବର ତୁଳନାରେ ଅକ୍ଟୋବର-ଡିସେମ୍ବରରେ ଅଧିକ ପୁରୁଷ ଏବଂ ମହିଳାଙ୍କୁ କାମ ମିଳିଛି। ସେଥିପାଇଁ ସବୁ ବୟସ ବର୍ଗରେ ପୁରୁଷଙ୍କ କ୍ଷେତ୍ରରେ ବେକାରି ହାର ୯.୬ ପ୍ରତିଶତରୁ ହ୍ରାସ ପାଇ ୮ ପ୍ରତିଶତ ହୋଇଛି। ମହିଳାଙ୍କ ବେକାରି ହାର ମଧ୍ୟ ୧୩ ପ୍ରତିଶତରୁ ହ୍ରାସ ପାଇ ୧୦.୭ ପ୍ରତିଶତ ହୋଇଛି। ସବୁଠୁ ବଡ଼ କଥା ହେଉଛି ୧୫ରୁ ୨୯ ବର୍ଷ ବୟସ ବର୍ଗରେ ନିଯୁକ୍ତିରେ ଉନ୍ନତି ହୋଇଛି। ଏହି ବୟସର ପିଲାମାନେ ପାଠପଢ଼ା ଶେଷ କରିବା ପରେ କାମଧନ୍ଦା ଖୋଜିବାକୁ ବାହାରିଥାନ୍ତି। ସେମାନଙ୍କ ମଧ୍ୟରେ ବେକାରି ହାର ଏହି ଦୁଇ ତ୍ରୈମାସିକ ମଧ୍ୟରେ ୩୦.୪ ପ୍ରତିଶତରୁ ହ୍ରାସ ପାଇ ୨୬.୬ ପ୍ରତିଶତ ହୋଇଛି। ଯୁବକମାନଙ୍କ ମଧ୍ୟରେ ବେକାରି ହାର ୨୮.୧ ପ୍ରତିଶତରୁ ହ୍ରାସ ପାଇ ୨୪.୭ ପ୍ରତିଶତ ହୋଇଥିବା ବେଳେ ଯୁବତୀଙ୍କ ମଧ୍ୟରେ ତାହା ୩୫.୧ ପ୍ରତିଶତରୁ ହ୍ରାସ ପାଇ ୩୨.୨ ପ୍ରତିଶତ ହୋଇଛି।
ଏ ସମ୍ପର୍କରେ ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ପ୍ରଭାସ ମିଶ୍ର କହିଛନ୍ତି ଯେ ରିପୋର୍ଟକୁ ନିରୀକ୍ଷଣ କରିବା ପରେ ଯେଉଁ କଥାଟି ସାମ୍ନାକୁ ଆସୁଛି, ତାହା ହେଉଛି ଅଧିକରୁ ଅଧିକ ଲୋକ ସ୍ବାବଲମ୍ବୀ ହେଉଛନ୍ତି। ରାଜ୍ୟରେ ମଜୁରି ବା ବେତନ ଭିତ୍ତିକ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା କମ୍ ରହିଛି। ତେଣୁ ଲୋକମାନେ ବ୍ୟବସାୟ ମାଧ୍ୟମରେ ସ୍ବାବଲମ୍ବୀ ହେବାକୁ ଉଦ୍ୟମ କରୁଛନ୍ତି। ଏହି ଧାରା ଏବେର ନୁହେଁ। ୨୦୨୩ ପରଠାରୁ ଲଗାତାର ଭାବେ ଅଧିକ ଲୋକ ସ୍ବାବଲମ୍ବୀ ହେଉଛନ୍ତି। ସହରାଞ୍ଚଳରେ ବଜାର ଅଛି ଓ ସୁଯୋଗ ବି ରହିଛି। ସେଥିପାଇଁ ସ୍ବାବଲମ୍ବୀ ହେବାର ସମ୍ଭାବନା ମଧ୍ୟ ସହରରେ ଅଧିକ ରହିଥିବା ସେ କହିଛନ୍ତି।