ବେକାରି ବୃଦ୍ଧି ରାଜନେତାଙ୍କୁ ସୁହାଇବ; ଧର୍ମ ନାମରେ ବିଭାଜନ ଉଦ୍ୟମ କରିବେ: ରାଜନ

ନୂଆଦିଲ୍ଲୀ:‌ ବେକାରିରେ‌ ହୋଇଥିବା ବୃଦ୍ଧି ରାଜନେତାମାନଙ୍କୁ ସୁହାଇବ। ସେହି ଆଳରେ ସେମାନେ ଲୋକମାନଙ୍କୁ ବିଭାଜନ କରିବାକୁ ପ୍ରୟାସ କରିବେ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତରେ ଯେହେତୁ ବେକାରି ହାର ଉଚ୍ଚ ସ୍ତରରେ ରହିଛି ତାହାକୁ ରାଜନେତାମାନେ ଧର୍ମ ଭିତ୍ତିରେ ବିଭାଜନ ଲାଗି ବ୍ୟବହାର କରିବା ଆଶଙ୍କା ରହିଛି। ବାସ୍ତବ ନିଯୁକ୍ତିରେ ବୃଦ୍ଧି ଆଣିବାକୁ ସେମାନେ ପ୍ରୟାସ କରିବେ ନାହିଁ। ରାଜନଙ୍କ ମତରେ ନିମ୍ନ ମଧ୍ୟବିତ୍ତ ବର୍ଗରେ ବେକାରି ହାର ଅଧିକ ରହିଲେ ତାହା ଅଧିକ ବୈଷମ୍ୟ ସୃଷ୍ଟି କରିବ ଓ ବିଭାଜନ ପାଇଁ ବାଟ ‌‌ଖୋଲିଦେବ। ଏହି ସୁଯୋଗର ଫାଇଦା ଉଠାଇବାକୁ ଚାହିବସିଥିବା ରାଜନେତାମାନେ ତାହାକୁ ବ୍ୟବହାର କରି ଲୋକମାନଙ୍କୁ ବିଭାଜିତ କରିବେ। ଯେଉଁ ସ୍ଥାନରେ ମସ୍‌ଜିଦ୍‌ ରହିଛି ‌ସେଠାରେ ହିନ୍ଦୁ ମନ୍ଦିର ଥିଲା, ତାହାକୁ ଚାଲନ୍ତୁ ପୁନରୁଦ୍ଧାର କରିବା ଭଳି କହି ଲୋକମାନଙ୍କୁ ବିଭ୍ରାନ୍ତ କରିବେ ବୋଲି ସେ କହିଛନ୍ତି। ଭାରତ ଭଳି ଦେଶ ପାଇଁ ଏକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ଯାହା ଏକ ଦୃଢ଼, ନିରନ୍ତର ଓ ସମାନତାର ଅଭିବୃଦ୍ଧି ପ୍ରଦାନ କରିବ। ଯାହାର ଲାଭ ମହିଳା, ମୁସଲିମ୍‌ ସମ୍ପ୍ରଦାୟ ସ‌ମେତ ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ପାଖରେ ପହଞ୍ଚିବା ଦରକାର। ଭାରତୀୟ ଅର୍ଥନୀତି ଉପରେ ମତ ଦେଇ ସେ କହିଛନ୍ତି ଯେ ମହାମାରୀ ସମୟରେ ସ୍ଥିତି ବହୁତ ଖରାପ ଥିଲା। ଏବେ କିନ୍ତୁ ଏତେ ଖରାପ ନାହିଁ। କିନ୍ତୁ ଶ୍ରମ ଶକ୍ତିରେ ମହିଳାମାନଙ୍କ ଯୋଗଦାନ ଏକ ବଡ଼ ସମସ୍ୟା।

ଏକ୍ଷେତ୍ରରେ ଭାରତ ସ୍ଥିତି ସାଉଦି ଆରବଠାରୁ ଖରାପ ଅଛି। ଏକଥା କହିବା ବେଳେ ଲୋକମାନେ ବିଶ୍ବାସ କରନ୍ତିନାହିଁ ବୋଲି ରାଜନ କହିଛନ୍ତି। କିଛି ଦିନ ପୂର୍ବେ ଏକ ନିବନ୍ଧରେ ରାଜନ ଲେଖିଥିଲେ ଯେ ଅର୍ଥନୈତିକ ସଫଳତାକୁ ଜାତୀୟତା ଓ ପରିଚୟ ରାଜନୀତି ସହ ଯୋଡ଼ିବା ଠିକ୍ ନୁହେଁ। କରୋନା ମହାମାରୀ ଆସିନଥିଲେ ବି ଭାରତ ନିର୍ଧାରିତ ସମୟରେ ୫ ଟ୍ରିଲିଅନ ଅର୍ଥନୀତି‌ରେ ପରିଣତ ହୋଇପାରିନଥାନ୍ତା। ୨୦୩୫ ସୁଦ୍ଧା ବାର୍ଷିକ ୮% ହାରର ଅଭିବୃଦ୍ଧି ସହ ୧୦ ଟ୍ରିଲିଅନ ଡଲାରର ଅନ୍ତଭୁର୍କ୍ତୀକରଣ ଅଭିବୃଦ୍ଧି ଲକ୍ଷ୍ୟକୁ ସେ ବାସ୍ତବ ବୋଲି କହିଛନ୍ତି।

ଶ୍ରୀଲଙ୍କା ସଙ୍କଟ ସମ୍ପର୍କରେ ସେ କହିଛନ୍ତି ଯେ ମୁଁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାମ କରୁଥିବା ବେଳେ ମଧ୍ୟ ଶ୍ରୀଲଙ୍କାକୁ ଜରୁରୀକାଳୀନ ଋଣ ଦିଆଯାଇଥିଲା। ସେ‌େ‌ତବେଳେ କିନ୍ତୁ ଶ୍ରୀଲଙ୍କା ସ୍ଥିତି ଏତେ ଖରାପ ନଥିଲା। ବିପଦ ସମୟରେ ପଡ଼ୋଶୀକୁ ସାହାଯ୍ୟ କରିବା ଭଲ। ଏହା ଦ୍ବାରା ପଡ଼ୋଶୀ ସହିତ ସମ୍ପର୍କ ଭଲ ରହିଥାଏ। ଶ୍ରୀଲଙ୍କାକୁ ତେଲ କିଣିବା ଲାଗି ଭାରତ ଋଣ ଦେଉଛି। ସେଠାକୁ ଖାଦ୍ୟ ଓ ମାନବିକ ସହାୟତା ପଠାଉଛି। କିନ୍ତୁ, ଭାରତ ଦୃଷ୍ଟିରୁ ଯଦି ଦେଖାଯିବ ତେବେ ଶ୍ରୀଲଙ୍କା ଉପରେ ଯେଉଁ ପାହାଡ଼ ଭଳି ଋଣ ରହିଛି ସେଥିରେ ସେ ଭାରତର ଋଣ ରାଶି ସହଜରେ ଫେରାଇ ପାରିବ ନାହିଁ। ତେଣୁ ଭାରତ ଦେଉଥିବା‌ ଋଣକୁ ଅନ୍ୟ ସାଧାରଣ ଋଣ ଭାବେ ବିଚାର ନକରିବା ଲାଗି କୌଣସି ଆନ୍ତର୍ଜାତିକ ସଂସ୍ଥା ଭରସା ଦେବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର