ମାନ୍ଦାବସ୍ଥା କବଳରେ ଅର୍ଥନୀତି : ବେକାରୀ ବଢ଼ିଲା

ସହରାଞ୍ଚଳରେ ସ୍ଥିତି ଅଧିକ ଜଟିଳ

ନୂଆଦିଲ୍ଲୀ : ଅର୍ଥନୀତି‌ର ବିଭିନ୍ନ ‌କ୍ଷେତ୍ର ଯଥା ଗାଡ଼ି ବଜାର, ରିଅଲ ଇଷ୍ଟେଟ୍ ଏବଂ ତେଲ ସାବୁନ ବଜାରରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ବେରୋଜଗାର ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଅଗଷ୍ଟ ୨୦ ସୁଦ୍ଧା ଦେଶର ବେକାରୀ ହାର ୮.୩%କୁ ବୃଦ୍ଧି ପାଇଛି। ତିନି ବର୍ଷ ଭିତରେ ଏହା ସର୍ବାଧିକ।

ସେଣ୍ଟର୍‌ ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ) ତଥ୍ୟ ଅନୁଯାୟୀ, ସହରାଞ୍ଚଳରେ ବେକାରୀ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ସହରାଞ୍ଚଳର ବେକାରୀ ହାର ୧୦%ରେ ପହଞ୍ଚିଯାଇଛି। ତ୍ରିପୁରା, ହରିଆନା ଓ ହିମାଚଳ ପ୍ରଦେଶ ଭଳି କିଛି ରାଜ୍ୟରେ ବେକାରୀ ହାର ବହୁତ ଅଧିକ ହୋଇଯାଇଛି। ଗତ ଜୁଲାଇରେ ତ୍ରିପୁରାର ବେକାରୀ ହାର ୨୩.୩%ରେ ପହଞ୍ଚିଥିବା ଜଣାପଡ଼ିଛି।

ସିଏମ୍‌ଆଇଇର ଏମ୍‌ଡି ଓ ସିଇଓ ମହେଶ ବ୍ୟାସ କହିଛନ୍ତି ଯେ, ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି। କର୍ପୋରେଟ ଜଗତରେ ଦେଖାଦେଇଥିବା ସଙ୍କଟ ଯୋଗୁ ରୋଜଗାର ସ୍ଥିତି ଜଟିଳ ହେବାରେ ଲାଗିଛି ବୋଲି ସେ କହିଛନ୍ତି।

ବୟନ ଶିଳ୍ପ, ଚା’ କାରବାର, ଗାଡ଼ି ବଜାର ଏବଂ ଅନ୍ୟ କେତେକ ଶିଳ୍ପ ମାନ୍ଦାବସ୍ଥା କବଳରେ ପଡ଼ିଛନ୍ତି। କେବଳ ଗାଡ଼ି ବଜାରରେ କାମ କରୁଥିବା ସାଢ଼େ ତିନି ଲକ୍ଷ ଲୋକ କିଛି ମାସ ଭିତରେ ବେରୋଜଗାର ‌ହୋଇପଡ଼ିଥିବା ଜଣାପଡ଼ିଛି। ଏହି କ୍ଷେତ୍ରରେ କାମ କରୁଥିବା ୧୦ ଲକ୍ଷ ଲୋକଙ୍କ ଚାକିରି ଚାଲିଯାଇପାରେ ବୋଲି ଅନୁମାନ କରାଯାଉଛି।

ଗ୍ରାମାଞ୍ଚଳରେ ବିଭିନ୍ନ ସାମଗ୍ରୀର ବିକ୍ରି କମିଥିବାରୁ ସହରାଞ୍ଚଳରେ ଥିବ‌ା କର୍ପୋରେଟ୍‌ଗୁଡ଼ିକର କାରବାର ପ୍ରଭାବିତ ହୋଇଛି। ବୟନ ଶିଳ୍ପ ପ୍ରତିଦ୍ବନ୍ଦ୍ବିତାରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛି। ଚା’ କାରବାରରେ ଉତ୍ପାଦନ ଖର୍ଚ ବହୁତ ବଢ଼ିଥିବା ବେଳେ ବିକ୍ରି ମୂଲ୍ୟରେ ସେଭଳି ବୃଦ୍ଧି ହୋଇନାହିଁ। ସେଥିପାଇଁ ଏହି କ୍ଷେତ୍ର ବିପୁଳ କ୍ଷତି ସହୁଛି। ଏହାର ପ୍ରଭାବ ଚା’ ବ୍ୟବସାୟ ସହ ଜଡ଼ିତ ଥିବା ୧୦ ଲକ୍ଷ ‌ଲୋକଙ୍କ ଉପରେ ପଡ଼ିଛି। ଯେହେତୁ ଚା’ ବିକୁଥିବା କଂପାନିଗୁଡ଼ିକର କାରବାର ପ୍ରଭାବିତ ହୋଇଛି, ତେଣୁ ଆଗାମୀ ଦିନରେ ସେମା‌ନେ ମଧ୍ୟ କର୍ମଚାରୀ ଛଟେଇ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର