ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ବିତୀୟ ଲହର ସମୟରେ ୨୦୨୧ ଏପ୍ରିଲ-ଜୁନରେ ୧୫ ବର୍ଷ କିମ୍ବା ତଦୂର୍ଦ୍ଧ୍ବ ବୟସ ବର୍ଗରେ ଦେଶର ସହରାଞ୍ଚଳରେ ବେକାରୀ ହାର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଅର୍ଥାତ୍ ୧୨.୬%କୁ ବୃଦ୍ଧି ପାଇଥିଲା। ଏହାର ପୂର୍ବ ତ୍ରୟମାସ ଅର୍ଥାତ୍ ୨୦୨୧ ଜାନୁଆରି-ମାର୍ଚ୍ଚରେ ଏହା ୯.୩% ରହିଥିଲା। କିନ୍ତୁ ପୂର୍ବବର୍ଷ ଅର୍ଥାତ୍ ୨୦୨୦ ଏପ୍ରିଲ-ଜୁନରେ ବେକାରି ହାର ୨୦.୮% ଭଳି ଉଚ୍ଚସ୍ତରରେ ରହିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ସୋମବାର ପ୍ରକାଶିତ ଏକାଦଶ ଶ୍ରମ ଶକ୍ତି ସର୍ଭେ ରିପୋର୍ଟରୁ ଏହା ଜଣାଯାଇଛି। ପ୍ରଥମ ଲହରରେ ନିଯୁକ୍ତି ଉପରେ ମାତ୍ରାଧିକ ମାଡ଼ ପଡ଼ିଥିଲେ ମଧ୍ୟ ଦ୍ବିତୀୟ ଲହରରେ ନିଯୁକ୍ତି ବର୍ତ୍ତି ପାରିନାହିଁ।
ମହିଳାଙ୍କ କ୍ଷେତ୍ରରେ ଶ୍ରମଶକ୍ତିରେ ଅଂଶଗ୍ରହଣ ହାର (ଏଲ୍ଏଫ୍ପିଆର୍) ୨୦୨୧ ଏପ୍ରିଲ-ଜୁନ୍ରେ ୨୦.୧%କୁ ହ୍ରାସ ପାଇଥିଲା। ଏହାର ପୂର୍ବ ତ୍ରୟମାସରେ ଉକ୍ତ ହାର ୨୧.୨% ରହିଥିଲା। ସାମଗ୍ରିକ ଶ୍ରମ ଶକ୍ତି ଅଂଶଗ୍ରହଣ ହାର ବି ୨୦୨୧ ଏପ୍ରିଲ-ଜୁନରେ ୪୬.୮%କୁ କମିଥିଲା। ୨୦୨୧ ଜାନୁଆରି-ମାର୍ଚ୍ଚରେ ଏହା ୪୭.୫% ରହିଥିଲା। ଏଲ୍ଏଫ୍ପିଆର୍ କହିଲେ ମୋଟ ଜନସଂଖ୍ୟାରେ ଶ୍ରମଶକ୍ତି (କାମ କରୁଥିବା, କାମ ପାଇଁ ଆଗ୍ରହୀ ଥିବା ବା କାମ ପାଇଁ ଉପଲବ୍ଧ ଥିବା) କେତେ ରହିଛନ୍ତି ତାହାକୁ ବୁଝାଇଥାଏ।
ଯଦିଓ ବେକାରୀ ହାର ୨୦୨୧ ଏପ୍ରିଲ-ଜୁନରେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ବୃଦ୍ଧି ପାଇଥିଲା କିନ୍ତୁ ପ୍ରଥମ ଲହର ସମୟ ୨୦୨୦ ଏପ୍ରିଲ-ଜୁନର ବେକାରି ହାର ୨୦.୮% ତୁଳନାରେ ଏହା କମ୍ ରହିଥିଲା। ମହିଳାଙ୍କ ବେକାରୀ ହାର ୨୦୨୧ ଏପ୍ରିଲ-ଜୁନ ଅବଧିରେ ୧୪.୩%କୁ ବୃଦ୍ଧି ପାଇଥିଲା। କାରଣ ସେହିବର୍ଷ ଜାନୁଆରି-ମାର୍ଚ୍ଚ ତ୍ରୟମାସରେ ଏହା ୧୧.୮% ରହିଥିଲା। ପୁରୁଷଙ୍କ କ୍ଷେତ୍ରରେ ବେକାରୀ ହାର ୨୦୨୧ ଜାନୁଆରି-ମାର୍ଚ୍ଚରେ ୮.୬% ଥିବାବେଳେ ଏପ୍ରିଲ-ଜୁନ ଅବଧିରେ ୧୨.୬%କୁ ବୃଦ୍ଧି ପାଇଥିଲା।
କରୋନା ଯୋଗୁ ଦେଶରେ ନିଯୁକ୍ତି ପ୍ରଭାବିତ ହୋଇଥିବା କାରଣରୁ ଆତ୍ମନିଯୁକ୍ତି ବୃଦ୍ଧି ପାଇଛି। ଆତ୍ମନିଯୁକ୍ତି ହାର ୨୦୨୧ ଜାନୁଆରି-ମାର୍ଚ୍ଚରେ ୩୯.୩% ଥିଲା। କିନ୍ତୁ ଏପ୍ରିଲ-ଜୁନ ଅବଧିରେ ଏହା ୪୦.୭%କୁ ବୃଦ୍ଧି ପାଇଛି। ମୋଟ ଜନସଂଖ୍ୟାରେ ଯେଉଁମାନେ କୌଣସି ସାମଗ୍ରୀ ଓ ସେବାର ଉତ୍ପାଦନ ଭଳି ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଶ୍ରମ ଦାନ କରନ୍ତି କିମ୍ବା ଶ୍ରମଦାନ କରିବାକୁ ଆଗ୍ରହୀ ଥାଆନ୍ତି ସେମାନଙ୍କୁ ଶ୍ରମଶକ୍ତି କୁହାଯାଇଥାଏ।