ଜିଡିପିରେ ଆଶାତୀତ ସୁଧାର: ଏପ୍ରିଲ୍‌-ଜୁନ୍‌ରେ ଅଭିବୃଦ୍ଧି ୨୦.୧%

କାହାର ପ୍ରଦର୍ଶନ କିଭଳି, ବର୍ଷକରେ ଏଭଳି ବଦଳିଛି ଚିତ୍ର

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରରେ କ୍ଷତିଗ୍ରସ୍ତ ହୋଇଥିବା ଭାରତୀୟ ଅର୍ଥନୀତିରେ ଆଶାତୀତ ସୁଧାର ହୋଇଛି। ଚଳିତ ବର୍ଷର ଏପ୍ରିଲ୍-ଜୁନ୍ (ପ୍ରଥମ ତ୍ରୟମାସ)ରେ ଜିଡିପି ଅଭିବୃଦ୍ଧି ୨୦.୧% ରହିଛି। ଫଳରେ ଭାରତ ଦୁନିଆର ଦ୍ରୁତ ଅଭିବୃଦ୍ଧି ଦେଶର ମାନ୍ୟତା ହାସଲ କରିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ମୂଲ୍ୟ ୩୨.୩୮ ଲକ୍ଷ କୋଟି ଟଙ୍କା ହୋଇଛି ଯାହା ୨୦୨୦ ଏପ୍ରିଲ୍‌-ଜୁନ୍‌ରେ ୨୬.୯୫ ଲକ୍ଷ କୋଟି ଟଙ୍କା ଥିଲା। ଗ୍ରସ୍ ଭାଲ୍ୟୁ ଆଡେଡ୍‌ (ଜିଭିଏ) ୩୦.୪୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଯାହା ଗତବର୍ଷ ଏହି ତିନି ମାସରେ ୨୫.୬୬ ଲକ୍ଷ କୋଟି ଟଙ୍କା ଥିଲା।

ଜିଭିଏରେ ୧୮.୮% ବୃଦ୍ଧି ହୋଇଛି। ଗତବର୍ଷର ଏପ୍ରିଲ୍‌-ଜୁନ୍ ତୁଳନାରେ ଚଳିତ ବର୍ଷ ସବୁ କ୍ଷେତ୍ର ଯୁକ୍ତାତ୍ମକ ଅଭିବୃଦ୍ଧି ହାସଲ କରିଛନ୍ତି। କୃଷି କ୍ଷେତ୍ର ୪.୫%ର ଅଭିବୃଦ୍ଧି ହାସଲ କରିଥିବା ବେଳେ କନଷ୍ଟ୍ରକ୍ସନ ଓ ମାନୁଫାକ୍‌ଚରିଂ କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ଘଟିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ବିତ୍ତୀୟ ନିଅଣ୍ଟ ୩.୨୧ ଲକ୍ଷ କୋଟି ଟଙ୍କା ରହିଛି ଯାହା ସାରା ବର୍ଷ ଲାଗି ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୨୧.୩%। ଏହି ସମୟରେ ସରକାରଙ୍କ ମୋଟ ରାଜସ୍ବ ଆୟ ୫.୨୧ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ବ୍ୟୟ ୧୦.୦୪ ଲକ୍ଷ କୋଟି ଟଙ୍କା ରହିଛି। ଜୁଲାଇ-ସେପ୍ଟେମ୍ବର ତିନି ମାସ ଲାଗି ସରକାର ଜିଡିପି ତଥ୍ୟ ନଭେମ୍ବର ୩୦ରେ ଜାରି କରିବେ। କେନ୍ଦ୍ର ସରକାର ଆଜି ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି) ତଥ୍ୟ ମଧ୍ୟ ଜାରି କରିଛନ୍ତି। ଖଣି କ୍ଷେତ୍ର ୨୭.୩%, ମାନୁଫାକ୍‌ଚରିଂ ୫୩.୭%, ବିଦ୍ୟୁତ ୧୬.୮% ଓ ଖଣିଜ ଓ ଧାତବ କ୍ଷେତ୍ର ୯୪.୨% ଅଭିବୃଦ୍ଧି ହାସଲ କରିଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର