ନୂଆଦିଲ୍ଲୀ: କେନ୍ଦ୍ର ସରକାର ଘୋଷଣା କରିଥିବା ୟୁନିଫାଏଡ୍‌ ପେନ୍‌ସନ୍ ସ୍କିମ୍ (ୟୁପିଏସ୍‌) ଲାଗୁ କରିବା ଲାଗି ‌ସରକାରଙ୍କ ରାଜକୋଷ ଉପରେ ୬୨୫୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ଏହି ସ୍କିମ୍‌କୁ ୨୦୨୫ ଏପ୍ରିଲ୍‌ ୧ରୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ୨୩ ଲକ୍ଷ ଯୋଗ୍ୟ ସରକାରୀ କର୍ମଚାରୀ ଉପକୃତ ହେବେ। ୟୁପିଏସ୍‌ରେ କର୍ମଚାରୀଙ୍କ ଅବଦାନ ରାଶି ମୂଳ ବେତନର ୧୦ ପ୍ରତିଶତରେ ସ୍ଥିର ଥିବା ବେଳେ ସରକାର ଦେଉଥିବା ଅବଦାନ ଭାଗକୁ ୧୪ ପ୍ରତିଶତରୁ ବଢ଼ାଇ ୧୮.୫ ପ୍ରତିଶତ କରାଯାଇଛି। ୨୦୨୫ ମାର୍ଚ୍ଚ ୩୧ ପୂର୍ବରୁ ଅବସର ଗ୍ରହଣ କରିବାକୁ ଥିବା ତଥା ନୂଆ ପେନ୍‌ସନ୍ ସ୍କିମ୍‌ରେ ସାମିଲ ଥିବା କର୍ମଚାରୀମାନେ ଯଦି ୟୁପିଏସ୍‌ ବିକଳ୍ପକୁ ଚୟନ କରିବେ ତେବେ ସେମାନଙ୍କ ଲାଗି ଅତିରିକ୍ତ ୮୦୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ପଡ଼ିବ। ଅତିକମ୍‌ରେ ୧୦ ବର୍ଷ କାମ କରିଥିବା କର୍ମଚାରୀମାନଙ୍କ ଲାଗି ୟୁପିଏସ୍‌ରେ ୧୦ ହଜାର ଟଙ୍କାର ନିଶ୍ଚିତ ପେନ୍‌ସନ୍ ସୁବିଧା ରହିଛି। ପେନ୍‌ସନ୍‌ଭୋଗୀଙ୍କ ଦେହାନ୍ତ ଭଳି ମାମଲାରେ ଫାମିଲି ପେନ୍‌ସନ୍‌ର ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ମୁଦ୍ରାସ୍ଫୀତି ଆଧାରରେ ମହଙ୍ଗା ଭତ୍ତା ବୃଦ୍ଧିର ଲାଭ ମଧ୍ୟ ପେନ୍‌ସନ୍‌ଭୋଗୀମାନଙ୍କୁ ମିଳିବ। ଏନ୍‌ପିଏସ୍‌‌ରେ ସାମିଲ ‌ଥିବା କର୍ମଚାରୀମାନେ ଚାହିଲେ ୟୁପିଏସ୍‌କୁ ଆସିପାରିବେ। କିନ୍ତୁ ଥରେ ୟୁପିଏସ୍‌ ଚୟନ କଲେ ଆଉ ଏନ୍‌ପିଏସ୍‌କୁ ଫେରିପାରିବେ ନାହିଁ। 

Advertisment

ଅନ୍ୟ ପକ୍ଷରେ ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ୟୁପିଏସ୍‌ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।  ଏହା ଦ୍ବାରା ରାଜ୍ୟର ୧୩.୫ ଲକ୍ଷ କର୍ମଚାରୀ ଉପକୃତ ହେବେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ କିଛି ଅଣ ବିଜେପି ଶାସିତ ରାଜ୍ୟ ପୁରୁଣା ପେନ୍‌ସନ୍ ସ୍କିମ୍ ଲାଗୁ କରିବାର ପ୍ରତିଶ୍ରୁତି ଦେଇ ଭୋଟରଙ୍କ ମନ ଜିଣିବାରେ ସଫଳ ହେବା ପରେ ପେନ୍‌ସନ୍ ସ୍କିମ୍‌କୁ ଆକର୍ଷଣୀୟ କରିବା ଲାଗି କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ହୋଇଥିଲା। ସେଥିପାଇଁ ଅର୍ଥ ସଚିବ ଟି ଭି ସୋମନାଥଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଥିଲା।  

ସିଟୁ, ଏଆଇଟିୟୁସିର ବିରୋଧ; ବିଏମ୍‌ଏସ୍‌ର ସମର୍ଥନ

ନୂଆଦିଲ୍ଲୀ: ୟୁପିଏସ୍‌କୁ ନେଇ ଶ୍ରମିକ ସଂଗଠନଗୁଡ଼ିକ ବିଭାଜିତ ମତ ଦେଇଛନ୍ତି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ସମର୍ଥିତ ଶ୍ରମିକ ସଂଗଠନ ଭାରତୀୟ ମଜ୍‌ଦୁର ସଂଘ (ବିଏମ୍‌ଏସ୍‌) ଏହାକୁ ସମର୍ଥନ କରିଛି। କିନ୍ତୁ ଅନ୍ୟ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକୁ ଏହି ସ୍କିମ୍‌କୁ ବିରୋଧ କରିଛନ୍ତି। ପୁରୁଣା ପେନ୍‌ସନ୍‌ ସ୍କିମ୍‌ (ଓପିଏସ୍‌) ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି।ବିଏମ୍‌ଏସ୍‌ ପକ୍ଷରୁ କୁହାଯାଇଛି ଯେ ୟୁପିଏସ୍‌ରେ ୫୦ ପ୍ରତିଶତର ନିଶ୍ଚିତ ପେନ୍‌ସନ୍‌, ମହଙ୍ଗା ରିଲିଫ୍‌, ଫାମିଲି ପେନ୍‌ସନ୍‌ ଭଳି ସୁବିଧା ଥିବାରୁ ଏହା ନୂଆ ପେନ୍‌ସନ୍ ସ୍କିମ୍ (ଏନ୍‌ପିଏସ୍‌)ଠାରୁ ଉନ୍ନତ। ଏଥିରେ ଥିବା ସୁବିଧା ପୁରୁଣା ପେନ୍‌ସନ୍ ସ୍କିମ୍‌ ପାଖାପାଖି ରହିଛି ବୋଲି ବିଏମ୍‌ଏସ୍‌ର ସାଧାରଣ ସଚିବ ରବିନ୍ଦ୍ର ହିମ୍‌ତେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପୁରୁଣା ପେନ୍‌ସନ୍ ସ୍କିମ୍‌ରେ କର୍ମଚାରୀଙ୍କୁ କିଛି ଅବଦାନ ଦେବାକୁ ପଡ଼ୁନଥିବା ବେଳେ ୟୁପିଏସ୍‌ରେ ସେମାନଙ୍କୁ ଅବଦାନ ଦେବାକୁ ପଡ଼ିବ। କେତେକ ବିଷୟ ଏବେବି ଅସ୍ପଷ୍ଟ ଥିବା ସେ କହିଛନ୍ତି। କିନ୍ତୁ, ସିଟୁର ସାଧାରଣ ସଚିବ ତପନ ସେନ୍ କହିଛନ୍ତି ଯେ ୟୁପିଏସ୍‌ ନାମରେ କେନ୍ଦ୍ର ସରକାର ଯେଉଁ ପ୍ୟାକେଜ୍ ଉପସ୍ଥାପନ କରିଛନ୍ତି ତାହା ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ନାର୍ଯ୍ୟ ପେନ୍‌ସନ୍‌ରୁ ବଞ୍ଚିତ କରୁଛି। ଏଆଇଟିୟୁସି ପକ୍ଷରୁ କୁହାଯାଇଛି ଯେ ପୁରୁଣା ପେନ୍‌ସନ୍‌ ସ୍କିମ୍‌ର ୟୁପିଏସ୍‌ ତୁଳନୀୟ ନୁହେଁ। ଏହା କେବଳ ଏନପିଏସ୍‌ର ଏକ ବର୍ଦ୍ଧିତ ସଂସ୍କରଣ ଭଳି। ପୁରୁଣା ପେନ୍‌ସନ୍ ସ୍କିମ୍‌ ଲାଗୁ କରିବା ଲାଗି ଆମର ଦାବି ଜାରି ରହିବ ବୋଲି ଏଆଇଟିୟୁସିର ସାଧାରଣ ସଚିବ ଅମରଜିତ୍‌ କୌର କହିଛନ୍ତି।