ଚଳିତ ବର୍ଷ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା ପ୍ରସ୍ତାବଗୁଡ଼ିକ ପରିବହନ ଭିତ୍ତିଭୂମି, ଗ୍ରାମୀଣ ବିକାଶ, ଇଲେକ୍ଟ୍ରୋନିକ୍ସ କ୍ଷେତ୍ର, ଜଳସେଚନ ଓ ପାନୀୟ ଜଳ ଯୋଗାଣ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ମାତ୍ର, ବ୍ୟାଙ୍କ ଓ ବୀମା ଶିଳ୍ପ ବଜେଟ୍ ଦ୍ବାରା ସମ୍ପୂର୍ଣ୍ଣ ନିରାଶ ହୋଇଛି। ରିଅଲ ଇଷ୍ଟେଟ୍, ନିର୍ମାଣ କ୍ଷେତ୍ର, ସାର ଓ ମାଲ ପରିବହନ କ୍ଷେତ୍ର ମଧ୍ୟ ବଜେଟ୍ ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବଜେଟ୍ରୁ କାହାକୁ ଲାଭ ମିଳିଲା ଓ କିଏ କ୍ଷତିରେ ରହିବ ତାହାକୁ ନେଇ ଏହି ଉପସ୍ଥାପନା
ଲାଭରେ କିଏ
ପରିବହନ ଭିତ୍ତିଭୂମି
ବଜେଟରେ ଦେଶର ରାଜପଥ ଏବଂ ରେଳବାଇ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏଥିରେ ଜାତୀୟ ରାଜପଥ ଗୁଡ଼ିକର ତ୍ବରିତ ବିକାଶ ସହିତ ୧୨ରୁ ଅଧିକ ରାଜପଥକୁ ବ୍ୟବହାର କରି ଯେଭଳି ରାଜସ୍ବ ଆଦାୟ କରାଯାଇ ପାରିବ (ମନିଟାଇଜ୍) ସେ ନେଇ ବ୍ୟବସ୍ଥା ହୋଇଛି। ଏହାଦ୍ବାରା ଏଲ୍ ଆଣ୍ଡ ଟି, କେଏନ୍ଆର୍ ଏବଂ ଆଇଆରବି ଇନଫ୍ରା ଭଳି କମ୍ପାନି ବିଶେଷ ଲାଭ ପାଇବେ।
ଇଲେକ୍ଟ୍ରୋନିକ୍ସ ନିର୍ମାଣ
ବଜେଟରେ ମୋବାଇଲ ଫୋନ୍, ଇଲେକଟ୍ରୋନିକ୍ସ ସାମଗ୍ରୀ, ସେମି କଣ୍ଡକ୍ଟର ଏବଂ ମେଡିକାଲ ଉପକରଣ ଆଦିର ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଇଛି। ଏହାଦ୍ବାରା ଡିକ୍ସନ ଟେକ୍ନୋଲୋଜିଜ୍, ଅମ୍ବର ଏଣ୍ଟରପ୍ରାଇଜେସ, ସବ୍ରୋଜ୍ ଭଳି କମ୍ପାନି ବିଶେଷ ଉପକୃତ ହେବେ।
ଗ୍ରାମୀଣ ଭାରତ
କୃଷି ଏବଂ ଗ୍ରାମୀଣ କ୍ଷେତ୍ର ଲାଭ ୨ ଲକ୍ଷ ୮୩ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି। କୃଷି ଋଣ ପ୍ରଦାନ ଲକ୍ଷ୍ୟ ୧୫ ଲକ୍ଷ କୋଟି ରଖାଯାଇଛି। ମତ୍ସ୍ୟଚାଷକୁ ବ୍ୟାପକ କରିବା ସହିତ ୫୦୦ ମତ୍ସ୍ୟ ଚାଷ ଉତ୍ପାଦନକାରୀ ସଂଘ ସ୍ଥାପନ ଦ୍ବାରା ଅବନ୍ତି ଫିଡ୍ସ, ଆପେକ୍ସ ଫ୍ରୋଜେନ ଫୁଡ୍ସ ଭଳି ସଂସ୍ଥା ଲାଭବାନ ହେବେ। ରେଳବାଇ ପକ୍ଷରୁ ଶୀତତାପ ନିୟନ୍ତ୍ରିତ ଫ୍ରେଟ୍ କାର୍ ଚଳାଚଳ କରାଯିବ। ଗୋଦାମ ସ୍ଥାପନ ପାଇଁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ ଯୋଗାଇ ଦିଆଯିବ। ଏହାଦ୍ବାରା କଣ୍ଟେନର କର୍ପୋରେସନ ଅଫ୍ ଇଣ୍ଡିଆ ସବୁଠାରୁ ଅଧିକ ଲାଭବାନ ହେବ। ସେହିଭଳି ଇମାମି, ହିନ୍ଦୁସ୍ତାନ ୟୁନିଲିଭର, ଡାବର, ଟାଟା ଗ୍ଲୋବାଲ ଭଳି ଏଫ୍ଏମ୍ସିଜି କମ୍ପାନି ଗୁଡ଼ିକ ମଧ୍ୟ ଲାଭରେ ରହିବେ।
ଜଳସେଚନ ଓ ପାନୀୟ ଜଳ ଯୋଗାଣ
ଜଳସେଚନ ଏବଂ ପାନୀୟ ଜଳ ଯୋଗାଣ ପାଇଁ ବଜେଟରେ ଅନେକ ବ୍ୟବସ୍ଥା ରଖାଯାଇଛି। ୨୦୨୪ ସୁଦ୍ଧା ସବୁ ଭାରତୀୟ ପରିବାରକୁ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ୩.୬ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି। କ୍ଲିନ୍ ଇଣ୍ଡିଆ ମିସନ୍ ପାଇଁ ୧୨୩ ବିଲିଅନ ଟଙ୍କା ଘୋଷଣା କରାଯାଇଛି। ଏଥିଯୋଗୁ ଅନେକ ଘରୋଇ କମ୍ପାନି ଲାଭବାନ ହେବେ।
ଟେଲିକମ୍
ଗ୍ରାମାଞ୍ଚଳ ଲୋକଙ୍କୁ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବା ପାଇଁ ଭାରତ ନେଟ୍ ପ୍ରକଳ୍ପ ଘୋଷଣା କରାଯାଇଛି। ଏଥିରେ ୬୦ ବିଲିଅନ ଟଙ୍କା ଯୋଗାଇ ଦିଆଯିବ। ଅର୍ଥମନ୍ତ୍ରୀଙ୍କ ଏହି ପଦକ୍ଷେପ ଯୋଗୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏଚଏଫସିଏଲ ଲିମିଟେଡ ବିଶେଷ ସୁବିଧା ପାଇବେ।
ଅନଲାଇନ୍ ଶିକ୍ଷାପ୍ରଦାନ
ବଜେଟ୍ରେ ଅର୍ଥମନ୍ତ୍ରୀ ଶିକ୍ଷାକୁ ବିଶେଷ ଗୁରୁତ୍ବ ଦେଇଛନ୍ତି। ଏଥିପାଇଁ ୯୯୩୦୦ କୋଟିର ବ୍ୟୟବରାଦ କରାଯାଇଛି। ଦେଶର ୧୦୦ଟି ପ୍ରମୁଖ ଶିକ୍ଷାନୁଷ୍ଠାନରେ ସ୍ଥାନ ପାଇଥିବା ପ୍ରତିଷ୍ଠାନ ଅନଲାଇନ ଶିକ୍ଷା ପ୍ରଦାନ କରିପାରିବେ। ଏହାଦ୍ବାରା ଏନଆଇଆଟି ଏବଂ ଏମଟି ଏଜୁକେୟାର ଭଳି ସଂସ୍ଥା ଲାଭରେ ରହିବେ।
ଆଇଟି
ବଜେଟ୍ରେ ଘରୋଇ କ୍ଷେତ୍ରକୁ ଡାଟା ସେଣ୍ଟର ପାର୍କ ସ୍ଥାପନ ଅନୁମତି ପ୍ରଦାନ କରାଯାଇଛି। ଏହାଦ୍ବାରା ଟିସିଏସ, ଇନଫୋସିସ, ୱିପ୍ରୋ, ଏଚସିଏଲ ଟେକ୍ନୋଲୋଜିଜ୍, ଟେକ୍ ମହିନ୍ଦ୍ରା, ମାଇଣ୍ଡ୍ ଟ୍ରି ଭଳି କମ୍ପାନି ଫାଇଦା ଉଠାଇ ପାରିବେ। ଆଦାନୀ ଏଣ୍ଟରପ୍ରାଇଜେସ୍ ମଧ୍ୟ ଏହାଦ୍ବାରା ଲାଭବାନ ହେବ।
ପାଇପଲାଇନ୍ ଏବଂ ସିଟି ଗ୍ୟାସ ଯୋଗାଣ
ଜାତୀୟ ଗ୍ୟାସ୍ ଗ୍ରିଡ୍ ନେଟୱାର୍କକୁ ୧୬,୨୦୦ କିମିରୁ ୨୭,୦୦୦ କିମିକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ୱେଲସ୍ପନ୍ କର୍ପୋରେସନ, ମହାରାଷ୍ଟ୍ର ସିମଲେସ୍ ଲିମିଟେଡ, ଜିନ୍ଦଲ ସ, ଆଇଜିଏଲ, ଏମଜିଏଲ ଏବଂ ଗୁଜରାଟ ଗ୍ୟାସ ଭଳି କମ୍ପାନି ଲାଭବାନ ହେବେ।
କ୍ଷତିରେ କିଏ
ବୀମା
ଭାରତୀୟ ଜୀବନ ବୀମା ନିଗମର ଅଂଶଧନ ବିକ୍ରି କରିବା ପାଇଁ ସରକାର ବଜେଟରେ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଏଲଆଇସି ଦୁର୍ବଳ ହେବାର ଆଶଙ୍କା ଦେଖାଦେଇଛି।ରାଷ୍ଟ୍ରାୟତ୍ତ ବ୍ୟାଙ୍କ
ଅର୍ଥମନ୍ତ୍ରୀ ବଜେଟରେ ସରକାରୀ ବ୍ୟାଙ୍କ ଗୁଡ଼ିକୁ ପୁଞ୍ଜି ପ୍ରଦାନ କରିବା ନେଇ କିଛି ଘୋଷଣା କରିନାହାନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଭାରତୀୟ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, କାନାରା ବ୍ୟାଙ୍କ ଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପ୍ରଭାବିତ ହେବେ।ରିଅଲ ଇଷ୍ଟେଟ ଓ ନିର୍ମାଣ
ରିଅଲ ଇଷ୍ଟେଟ କ୍ଷେତ୍ରର ସୁଧାର ପାଇଁ ଅର୍ଥମନ୍ତ୍ରୀ ବଜେଟରେ ନିର୍ଦ୍ଦିଷ୍ଟ ଭାବେ କିଛି ଘୋଷଣା କରିନାହାନ୍ତି। ଏଥିଯୋଗୁ ରିଅଲ ଇଷ୍ଟେଟ କମ୍ପାନି ଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଇଛି। ଆୟକର ହାର ଏବଂ ସ୍ଲାବରେ ପରିବର୍ତ୍ତନ ଆଣି ଅର୍ଥମନ୍ତ୍ରୀ ମଧ୍ୟବିତ୍ତ ଆୟବର୍ଗର ଲୋକଙ୍କ ହାତରେ ଅଧିକ ଟଙ୍କା ରଖିବାର ବ୍ୟବସ୍ଥା କରିଥିଲେ ମଧ୍ୟ ଏହା ରିଅଲ ଇଷ୍ଟେଟ କ୍ଷେତ୍ରର କମ୍ପାନି ଓ ନିବେଶକଙ୍କୁ ଉତ୍ସାହିତ କରିପାରିନାହିଁ।ସାର: ସାର ଶିଳ୍ପକୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନକୁ ହ୍ରାସ କରି କୃଷି କ୍ଷେତ୍ରରେ ସାରର ବ୍ୟବହାରକୁ ସନ୍ତୁଳିତ କରିବା ପାଇଁ ଅର୍ଥମନ୍ତ୍ରୀ ବଜେଟ୍ରେ ପ୍ରସ୍ତାବ ରଖିଛନ୍ତି। ଜିରୋ-ବଜେଟ୍ ଫାର୍ମିଂ ବ୍ୟବସ୍ଥା ମଧ୍ୟ ଘୋଷଣା କରାଯାଇଛି। ଏହାଦ୍ବାରା ଚାଷୀଙ୍କ ସାର ବ୍ୟବହାର ମାତ୍ରାଧିକ ହ୍ରାସ ଘଟିବ। ଏସବୁ ପ୍ରସ୍ତାବ ଯୋଗୁ ମାଙ୍ଗାଲୋର କେମିକାଲ୍ସ ଆଣ୍ଡ୍ ଫର୍ଟିଲାଇଜର୍ସ, ମାଡ୍ରାସ ଫର୍ଟିଲାଇଜର୍ସ କମ୍ପାନିର ସେୟାର ପ୍ରଭାବିତ ହୋଇଛି।
ମାଲ ପରିବହନ
ଅର୍ଥମନ୍ତ୍ରୀ ବଜେଟରେ ବହୁ ପ୍ରତୀକ୍ଷିତ ଜାତୀୟ ପରିବହନ (ଲଜିଷ୍ଟିକ୍ସ) ନୀତି ଘୋଷଣା କରିବେ ବୋଲି ଆଶା ରଖାଯାଇଥିଲା। କିନ୍ତୁ ଏହା ନହେବା କାରଣରୁ ବ୍ଲୁ ଡାର୍ଟ, ଗତି, ମହିନ୍ଦ୍ରା ଲଜିଷ୍ଟିକ୍ସ ଭଳି କମ୍ପାନି ନିରାଶ ହୋଇଛନ୍ତି।