ଦେଶର ଚାଷୀକୁଳର କଲ୍ୟାଣକୁ ବଜେଟ୍ରେ ଧ୍ୟାନ ଦିଆଯାଇ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଘୋଷଣା କରାଯାଇଛି। ଯାହାର ଲକ୍ଷ୍ୟ ହେଉଛି କୃଷି ଉତ୍ପାଦକତା ବଢ଼ାଇବା, ଫସଲର ବିବିଧକରଣ କରିବା ଏବଂ ନିରନ୍ତର କୃଷି ଅଭ୍ୟାସକୁ ପ୍ରୋତ୍ସାହିତ କରିବା। କୃଷି ବଜେଟ୍କୁ ୪ ପ୍ରତିଶତ ଅଧିକ ପାଣ୍ଠି ଦିଆଯାଇଛି। ଉଚ୍ଚା ରହୁଥିବା ଡାଲି ଦରର ମୁକାବିଲା କରିବା ଲାଗି ଡାଲିରେ ଆତ୍ମନିର୍ଭର ହେବାକୁ ପଦକ୍ଷେପ ନିଆଯାଇଛି। ଚାଷ ପାଇଁ ଆବଶ୍ୟକ ପାଣ୍ଠି ଚାଷୀଙ୍କ ହାତରେ ପହଞ୍ଚାଇବା ଲାଗି କିଷାନ କ୍ରେଡିଟ୍ କାର୍ଡରେ ଋଣ ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। କପା ଓ ମଞ୍ଜି ପାଇଁ ମିସନ୍ ଘୋଷଣା ହୋଇଛି।
ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା
ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳତାକୁ ଦେଖି ଅର୍ଥମନ୍ତ୍ରୀ ଚଳିତ ବଜେଟ୍ରେ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ ଘୋଷଣା କରିଛନ୍ତି। ରାଜ୍ୟଗୁଡ଼ିକର ସହଯୋଗରେ ଦେଶର ୧୦୦ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ବର୍ତ୍ତମାନ ଚାଲିଥିବା ଯୋଜନାକୁ ଏଥିରେ ମିଶାଇ ଦିଆଯିବା ସହିତ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ। କମ୍ ଉତ୍ପାଦକତା ଥିବା ୧୦୦ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହାର ଲକ୍ଷ୍ୟ ହେଲା କୃଷି ଉତ୍ପାଦକତା ବଢ଼ାଇବା, ଫସଲର ବିବିଧକରଣ ଏବଂ ନିରନ୍ତର କୃଷି ଅଭ୍ୟାସ, ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଅମଳ ପରବର୍ତ୍ତୀ ସଂରକ୍ଷଣ ସୁବିଧା, ଜଳସେଚନ ସୁବିଧାରେ ଉନ୍ନତି ଏବଂ ସ୍ବଳ୍ପ ଓ ଦୀର୍ଘ ମିଆଦୀ ଋଣ ପ୍ରଦାନ। ଏହି ଯୋଜନା ଦ୍ବାରା ଦେଶର ୧.୭ କୋଟି କୃଷକ ଉପକୃତ ହେବେ।
କୃଷି ମନ୍ତ୍ରାଳୟ ବଜେଟ୍ ୪% ବୃଦ୍ଧି
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ କୃଷି କ୍ଷେତ୍ରର ବିକାଶ ପାଇଁ ଅନେକଗୁଡ଼ିଏ ଯୋଜନା ଘୋଷଣା କରିଥିଲେ ମଧ୍ୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟର ବ୍ୟୟବରାଦରେ ମାତ୍ର ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଗତ ବଜେଟ୍ରେ ଏହା ୧ ଲକ୍ଷ ୩୨ ହଜାର କୋଟି ଟଙ୍କା ଥିବାବେଳେ ଚଳିତ ବଜେଟ୍ରେ ଏହାକୁ ୧ ଲକ୍ଷ ୩୭ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଘୋଷଣା କରାଯାଇଥିଲେ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର ଭାବେ କିଛି ଅର୍ଥ ଘୋଷଣା କରାଯାଇନାହିଁ। ଡାଲି ମିସନ୍ ପାଇଁ ୧୦୦୦ କୋଟି, ପନିପରିବା ଏବଂ ଫଳ ମିସନ୍ ପାଇଁ ୫୦୦ କୋଟି, ମାଖନା ବୋର୍ଡ ପାଇଁ ୧୦୦ କୋଟି, ହାଇବ୍ରିଡ୍ ମଞ୍ଜି ମିସନ ପାଇଁ ୧୦୦ କୋଟି ଏବଂ କପା ପ୍ରଯୁକ୍ତି ମିସନ୍ ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
/sambad/media/media_files/2025/02/02/8MpcsYmlGjWW1rrSjVqV.jpg)
ଜାତୀୟ ମଞ୍ଜି ମିସନ୍
ଦେଶରେ ଜାତୀୟ ଉଚ୍ଚ ଅମଳକ୍ଷମ ମଞ୍ଜି ମିସନ୍ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ବଜେଟ୍ରେ ଘୋଷଣା କରିଛନ୍ତି। ଏହି ମିସନ୍ରେ ଗବେଷଣା ପରିବେଶରେ ଉନ୍ନତି ଆଣିବା, ଉଚ୍ଚ ଅମଳକ୍ଷମ ମଞ୍ଜିର ବିକାଶକୁ ପ୍ରୋତ୍ସାହନ ଦେବା, କୀଟ ପ୍ରତିରୋଧୀ ମଞ୍ଜି ବିକାଶ କରିବା ସହିତ ୨୦୨୪ ଜୁଲାଇଠାରୁ ବିକାଶ ହୋଇଥିବା ୧୦୦ରୁ ଅଧିକ ବିହନକୁ ବାଣିଜ୍ୟିକ ଭାବେ ଉପଲବ୍ଧ କରାଇବା ପାଇଁ ବଜେଟ୍ରେ ପ୍ରସ୍ତାବ ରଖାଯାଇଛି।
କପା ଉତ୍ପାଦକତା ମିସନ୍
କପା ଉତ୍ପାଦକତା ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ବଜେଟରେ କପା ଉତ୍ପାଦକତା ମିସନ୍ ଘୋଷଣା କରିଛନ୍ତି। ୫ ବର୍ଷ ପାଇଁ ଏହି ମିସନ୍ କାର୍ଯ୍ୟ କରିବ।
ଆସାମରେ ୟୁରିଆ କାରଖାନା
ଆସାମର ନାମରୁପଠାରେ ବାର୍ଷିକ ୧୨.୭ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ୟୁରିଆ କାରଖାନା ସ୍ଥାପନ ପାଇଁ ଅର୍ଥମନ୍ତ୍ରୀ ବଜେଟ୍ରେ ଘୋଷଣା କରିଛନ୍ତି।
କେସିସିରେ କୃଷକଙ୍କ ଋଣ ସୀମା ୫ ଲକ୍ଷକୁ ବଢ଼ିଲା
କିଷାନ କ୍ରେଡିଟ୍ କାର୍ଡ (କେସିସି) ଜରିଆରେ ଏମ୍ଆଇଏସ୍ଏସ୍ (ମୋଡିଫାଏଡ୍ ଇଣ୍ଟ୍ରେଷ୍ଟ୍ ସବ୍ଭେନ୍ସନ୍ ସ୍କିମ୍)ରେ ଋଣ ପ୍ରଦାନ ସୀମାକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୦୬-୦୭ ମସିହାରୁ ଏହି ସୀମା ୩ ଲକ୍ଷ ଟଙ୍କାରେ ସ୍ଥିର ରହିଥିଲା। ଏହାକୁ ବଢ଼ାଇବା ପାଇଁ ବିଭିନ୍ନ ରାଜ୍ୟ ଦାବି କରୁଥିଲେ। ଏହାଦ୍ବାରା ୭.୭ କୋଟି ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧଚାଷୀ ଉପକୃତ ହେବେ।
ଏଥର ମଧୁବନି ଶାଢ଼ି
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବା ବେଳେ କେଉଁ ଶାଢ଼ି ପିନ୍ଧୁଛନ୍ତି ତାହା କିଛି ବର୍ଷ ହେଲା ଚର୍ଚ୍ଚାର ବିଷୟ ହୋଇରହିଛି। ଚଳିତ ବର୍ଷ ବଜେଟ୍ ଅଭିଭାଷଣ ପଢ଼ିବା ଲାଗି ସେ ପଦ୍ମଶ୍ରୀ ଦୁଲାରି ଦେବୀ ଦେଇଥିବା ମଧୁବନି ଆର୍ଟ ଶାଢ଼ି ପନ୍ଧିଥିଲେ। ବିହାରର ମଧୁବନି ଆର୍ଟକୁ ପରିଦର୍ଶନରେ ଯାଇଥିବା ବେଳେ ତାଙ୍କୁ ସେହି ଶାଢ଼ି ଉପହାର ସୂତ୍ରରେ ମିଳିଥିଲା। ବଜେଟ୍ ଦିନ ଏହି ଶାଢ଼ିକୁ ପିନ୍ଧିବା ଲାଗି ଦୁଲାରି ଦେବୀ ତାଙ୍କୁ ଅନୁରୋଧ କରିଥିଲେ। ୨୦୨୪ କାମଚଳା ବଜେଟ ଉପସ୍ଥାପନ କରିବା ସମୟରେ ସେ ନୀଳ ରଙ୍ଗର କାନ୍ଥା କାମ ହୋଇଥିବା ଟସର ଶାଢ଼ି ପିନ୍ଧିଥିଲେ। ତା ପୂର୍ବବର୍ଷ ଅର୍ଥମନ୍ତ୍ରୀ ହାତ ତିଆରି ଲାଲ ଇକଟ୍ ଶାଢ଼ି ପିନ୍ଧିଥିଲେ। ସେଥିରେ ନବଲଗୁଣ୍ଡା ଏମ୍ପ୍ରୋଡେରି କାମ ହୋଇଥିଲା। କର୍ଣ୍ଣାଟକର ଧରୱାଡ଼ରେ ସେହି ଶାଢ଼ି ପ୍ରସ୍ତୁତ ହୋଇଥିଲା ଏବଂ ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ତାହା ଉପହାର ଦେଇଥିଲେ। ୨୦୨୨ରେ ନିର୍ମଳା ବଜେଟ୍ ଉପସ୍ଥାପନ ବେଳେ ବୋମକାଇ, ୨୦୨୧ରେ ପଞ୍ଚମପଲ୍ଲୀ, ୨୦୨୦ରେ ସିଲ୍କ ଶାଢ଼ି ଏବଂ ୨୦୧୯ରେ ମଙ୍ଗଳଗିରି ଶାଢ଼ି ପିନ୍ଧିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/02/Av0G4N65PQMXSa8t5uet.jpg)