ଦରଦାମ୍ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନାହିଁ
ଏଥରର ବଜେଟ୍ରେ ଗରିବ ଜନସାଧାରଣଙ୍କ ଲାଗି କିଛି ବ୍ୟବସ୍ଥା ନାହିଁ। ଆୟକର ଟିକସରେ କେବଳ କିଛି ମଧ୍ୟବିତ୍ତ ଯାହା ଲାଭ ପାଇବେ। ମାତ୍ର ସାଧାରଣ ଲୋକଙ୍କ ପାଇଁ ସେମିତି କିଛି ନାହିଁ। ସେହିଭଳି ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ନରେଗାରେ ମଜୁରି ବୃଦ୍ଧି ବା ଅଧିକ ବଜେଟ୍ ବ୍ୟବସ୍ଥା ହେଉନି। ବିହାରରେ ହେବାକୁଥିବା ନିର୍ବାଚନକୁ ଆଖି ଆଗରେ ରଖି ବଜେଟ୍ ହୋଇଛି। ଓଡ଼ିଶା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଓଡ଼ିଶାକୁ ଅର୍ଥ ମନ୍ତ୍ରୀ ଅବହେଳା କରିଛନ୍ତି। ଦେଶରେ ମଜୁରି ବୃଦ୍ଧି ପାଇଁ, ଅସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ।
- ମହେନ୍ଦ୍ର ପରିଡ଼ା, ରାଜ୍ୟ ସମ୍ପାଦକ, ଏଆଇସିସିଟିୟୁ
ଶିକ୍ଷା କ୍ଷେତ୍ରରେ ଖୁବ୍ କମ୍ ବ୍ୟୟବରାଦ
ଶିକ୍ଷା କ୍ଷେତ୍ରକୁ ମାତ୍ର ୧ଲକ୍ଷ ୨୮ ହଜାର କୋଟି ଟଙ୍କାର ବ୍ୟୟବରାଦ ଅତ୍ୟନ୍ତ ନଗଣ୍ୟ l ଜାତୀୟ ଶିକ୍ଷାନୀତିକୁ ସଠିକ ଭାବେ ଲାଗୁ କରିବାକୁ ହେଲେ ଅତି କମ୍ରେ ବଜେଟ୍ର ୧୦ ପ୍ରତିଶତ ଶିକ୍ଷା କ୍ଷେତ୍ର ପାଇଁ ବ୍ୟୟବରାଦ କରିବା ଆବଶ୍ୟକ ଥିଲା। ଆଇଆଇଟି ଓ ମେଡିକାଲ ସିଟ୍ ସଂଖ୍ୟା ବୃଦ୍ଧି ସ୍ୱାଗତଯୋଗ୍ୟ। ସ୍କୁଲ୍ରେ ଯେଉଁଠି ଭିତ୍ତିଭୂମି, ଶିକ୍ଷକ ଓ ଯୋଗାଯୋଗ ସମ୍ପୂର୍ଣ ଅବ୍ୟବସ୍ଥିତ ବା ନଗଣ୍ୟ ସେଠାରେ ଏଆଇ ମାଧ୍ୟମରେ ପାଠ ପଢ଼ାଇବା ଯୋଜନା ହାସ୍ୟାସ୍ପଦ। ଘରୋଇ ଗବେଷଣା କ୍ଷେତ୍ରକୁ ପ୍ରାଧାନ୍ୟ ପ୍ରଦାନ, ଉଚ୍ଚତର ଶିକ୍ଷା ସମ୍ପୂର୍ଣ ଘରୋଇକରଣର ମୂଳଦୁଆ ସ୍ଥାପନ ସହ ନାମକରା ସରକାରୀ ଶିକ୍ଷାନୁଷ୍ଠାନକୁ ପଙ୍ଗୁ କରିଦେବା ଯୋଜନାର ଏହା ଅୟମାରମ୍ଭ ମାତ୍ର।
- ପ୍ରସନ୍ନ ବିଷୋୟୀ, କାର୍ଯ୍ୟକାରୀ ସଭାପତି,
ଓଡ଼ିଶା ଅଭିଭାବକ ମହାସଂଘ
ବଜେଟ୍ରେ ଓଡ଼ିଶା ନିରାଶ
ବିହାର, ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ଅନୁଦାନ ବେଳେ ଓଡିଶା ପାଇଁ କିଛି ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଉପକୂଳ ଓଡିଶାରେ ସବୁଜ ପ୍ରାଚୀର ପାଇଁ କୌଣସି ଅନୁଦାନ ନାହିଁ କିମ୍ବା ବିଜୁଳି ଭିତ୍ତିଭୂମି ପାଇଁ କିଛି ନାହିଁ। ସରକାର ଚାକିରିଆଙ୍କୁ ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ଅନେକ ସୁବିଧା ଏହି ବଜେଟ୍ରେ ଦେଇଥିଲା ବେଳେ ଦିନ ମଜୁରିଆ ନିରାଶ। ପେଟ୍ରୋଲ, ଡିଜେଲ ଉପରେ ସୀମା ଶୁଳ୍କ ହ୍ରାସ ନ ହେବା ଯୋଗୁଁ ଦରଦାମ୍ ମଧ୍ୟ କମିବ ନାହିଁ।
- ରବି ବେହେରା, ଆବାହକ, ଓଡ଼ିଆ ଅସ୍ମିତା ପରିଷଦ
ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ
ଏଆଇ ଦ୍ବାରା ପରିଚାଳିତ ଶିକ୍ଷା, ଦକ୍ଷତା ବିକାଶ ଓ ଡିଜିଟାଲ ଶିକ୍ଷା ଏବଂ ଗ୍ରାମୀଣ ଅର୍ଥନୀତିର ପ୍ରମୁଖ ବିକାଶ ସହିତ ସାଧାରଣ ଲୋକଙ୍କ ସଞ୍ଚୟ ବୃଦ୍ଧି ପାଇଁ ଅଗ୍ରାଧିକାର ଦିଆଯିବା ଏ ବଜେଟ୍ରେ ସ୍ୱତନ୍ତ୍ରତା। ପରମାଣୁ ଶକ୍ତି ଉତ୍ପାଦନରେ ପ୍ରାଇଭେଟ୍ ସେକ୍ଟର ସାମିଲ ହେବା ଏକ ଐତିହାସିକ ନିଷ୍ପତ୍ତି। ଉଚ୍ଚମାଧ୍ୟମିକ ସ୍କୁଲ ମାନଙ୍କରେ ବ୍ରଡ୍ବ୍ୟାଣ୍ଡ, ୫୦ ହଜାର ସ୍କୁଲରେ ଅଟଳ ଟିକରିଂ ଲ୍ୟାବ୍ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷା ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି କରାଇବ। ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଆଇଆଇଟି ଓ ଆଇଆଇଏସ୍ସିରେ ୧୦ ହଜାର ପିଏମ୍ ରିସର୍ଚ ଫେଲୋସିପ୍ ପ୍ରଦାନ କରାଯିବା ଦ୍ବାରା ଦୁର୍ବଳ ଆର୍ଥିକ ବର୍ଗର ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣା କରିବା ପାଇଁ ଆଗ୍ରହ ସୃଷ୍ଟି କରାଇପାରିବ।
- ଶରତ କୁମାର କର,ଶିକ୍ଷାବିତ୍
ବଜେଟ୍ ବେଶ୍ ଲୋକାଭିମୁଖୀ ହୋଇଛି
ଏଥିରେ ସବୁ ବର୍ଗର ଲୋକଙ୍କ ପାଇଁ ସମ୍ଭାବନା ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି। ବିଶେଷ ଭାବେ କୃଷି ଓ କୃଷକମାନଙ୍କ ପାଇଁ ଦୃଷ୍ଟି ଦିଆଯାଇଛି। ଏହା ଲୋକାଭିମୁଖୀ ବଜେଟ୍। କିନ୍ତୁ ୧୨ଲକ୍ଷ ଟଙ୍କା ଉପରେ ଯେଉଁ ଟିକସ ଛାଡ୍ କରାଯାଇଛି, ତାହା ଯଦି ୧୫ଲକ୍ଷ ଟଙ୍କା ଉପରେ କରାଯାଇ ଥାଆନ୍ତା ତାହାଲେ ମଧ୍ୟବିତ୍ତ ଓ ଗରିବ ଲୋକମାନେ ଆଶ୍ବସ୍ତି ପାଇଥାଆନ୍ତେ।
- ଚକ୍ରଧର ରଥ, ବରିଷ୍ଠ ନାଗରିକ, ଜଟଣୀ
ବଜେଟ୍ରେ ଓଡ଼ିଶାକୁ ଅବହେଳା
ଏଥରର ବଜେଟ୍ ସାଧାରଣ ଲୋକଙ୍କ ବୁଝିବା ବାହାରେ। କେବଳ ୧୨ ଲକ୍ଷ ଟଙ୍କା ଉପରେ ଟିକସ୍ ଛାଡ଼ କରିବା ଛଡ଼ା ଅନ୍ୟାନ୍ୟ କ୍ଷେତ୍ରରେ ବଜେଟ୍ ସମ୍ପୂର୍ଣ୍ଣ ନୈରାଶ୍ୟଜନକ। ମୁଖ୍ୟତଃ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ପାଇଁ ବଜେଟ୍ରେ କୌଣସି ବୃଦ୍ଧି କରାଯାଇ ନାହିଁ। କେନ୍ଦ୍ର ବଜେଟ୍ରେ ଓଡ଼ିଶାକୁ ଅବହେଳା କରାଯାଇଛି।
- ଅଙ୍କିତା ଶର୍ମା, ଶିକ୍ଷାବିତ୍, ଜଟଣୀ
ବିଶ୍ୱର ନେତୃତ୍ୱ ନେବ ଭାରତ
ଏଥର ଏଆଇ ଚାଳିତ ଶିକ୍ଷା, ଦକ୍ଷତା ବିକାଶ ଓ ଡିଜିଟାଲ୍ ଅନ୍ତର୍ଭୁକ୍ତ ଉପରେ ବଜେଟ୍ରେ ଅଗ୍ରାଧିକାର ଦିଆଯାଇଛି। ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୩ଟି ଏଆଇ ସେଣ୍ଟର ଖୋଲିବା ସହ ବିଶ୍ୱସ୍ତରରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତକୁ ବିଶ୍ୱନେତା ଭାବେ ପ୍ରଦର୍ଶିତ ଲାଗି ଏଆଇ ଅନୁସନ୍ଧାନ ବିକାଶ ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରାଯିବ। ଶିକ୍ଷା କ୍ଷେତ୍ରରେ କରାଯାଇଥିବା ବିଭିନ୍ନ ଯୋଜନା ଦ୍ୱାରା ଏହା ସାଧାରଣ ନାଗରିକଙ୍କ ନିକଟତର ହୋଇପାରିବ। ଯଦି ଏହି ନୀତିଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହୁଏ, ତେବେ ଭାରତ ନିଶ୍ଚିତ ବିଶ୍ୱରେ ନେତୃତ୍ୱ ହାସଲ କରିବ।
- ଶିଳ୍ପୀ ସାହୁ, ଚେୟାରପର୍ସନ, ସାଇ ଇଣ୍ଟରନ୍ୟାସନାଲ ଏଜୁକେସନ ଗ୍ରୁପ୍
ଦରବୃଦ୍ଧି ମୁକାବିଲା ବ୍ୟବସ୍ଥା ନାହିଁ
ଅର୍ଥମନ୍ତ୍ରୀ ବେକାରୀ ଓ ଦରବୃଦ୍ଧି ମୁକାବିଲା ପାଇଁ କିଛି ବ୍ୟବସ୍ଥା କରି ନାହାନ୍ତି। ବଜେଟ୍ ଘରୋଇକରଣକୁ ପ୍ରୋତ୍ସାହିତ କରିବ। ସେହିପରି ନୂତନ ଶିକ୍ଷାନୀତିର ପରୀକ୍ଷା ପାଇଁ ଜିଡିପିର ଶତକଡ଼ା ୬ ଭାଗ ମଧ୍ୟ ବ୍ୟୟବରାଦ ହୋଇନାହିଁ।
- ମାନସ ରଞ୍ଜନ ବେହେରା, ପ୍ରଫେସର, ରାଜନୀତି ବିଜ୍ଞାନ ବିଭାଗ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
ଇପିଏଫ୍ଓ କର୍ମଚାରୀଙ୍କ ଦୁଃଖ ବୁଝାଯାଉ
ସାମ୍ପ୍ରତିକ ବଜେଟ୍ ନିଶ୍ଚିତ ଭାବେ ଏକ ଲୋକ କଲ୍ୟାଣକାରୀ ବଜେଟ୍। ଏହାଦ୍ବାରା ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟ, କୃଷି ତଥା ଗ୍ରାମୀଣ ଅର୍ଥନୀତିର ବିକାଶ ହେବ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ନିୟନ୍ତ୍ରଣ ହେଲେ ସାଧାରଣ ଲୋକ, ଗରିବ ଖଟିଖିଆ ଉପକୃତ ହେବେ। ଇପିଏଫ୍ଓ କର୍ମଚାରୀ ଦେଶରେ ୬୭ ଲକ୍ଷ ଅଛନ୍ତି। ହେଲେ ସର୍ବନିମ୍ନ ୧୦୦୦ଟଙ୍କା ପେନ୍ସନ୍ ପାଇ ଅନଟନରେ କାଳାତିପାତ କରିବା ଏକ ଲଜ୍ୟାଜନକ ବିଷୟ।
– ନିଶାକର ରାଉତ, ସମ୍ପାଦକ, ସହିଦନଗର ବରିଷ୍ଠ ନାଗରିକ ସଂଘ
ମଧ୍ୟବିତ୍ତଙ୍କ ପାଖରେ ଅଧିକ ଅର୍ଥ ସଞ୍ଚୟ ହେବ
ବଜେଟ୍ରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ୍ କରାଯିବା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ମଧ୍ୟବିତ୍ତଙ୍କ ପାଖରେ ଅଧିକ ଅର୍ଥ ସଞ୍ଚୟ ହେବ। ସେମାନଙ୍କର କ୍ରୟ କରିବାର କ୍ଷମତା ବଢ଼ିବା ସହିତ ବଜାରରେ ଆର୍ଥିକ ଅଭିବୃଦ୍ଧି ହେବ। କୃଷି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ମଧ୍ୟ ଏହି ବଜେଟ୍କୁ ଅଧିକ ଲୋକାଭିମୁଖୀ କରାଇଛି l
- ଅଂଶୁମାନ ସାହୁ, ଛାତ୍ର
ପରିବେଶ ଉପରେ ଭଲ ପ୍ରଭାବ ପଡ଼ିବ
ମଧ୍ୟମ ବର୍ଗ ପାଇଁ ଏହା ଲୋକାଭିମୁଖୀ ବଜେଟ୍। ଏହା ଦ୍ୱାରା ସେମାନଙ୍କ ଉପରେ ପଡ଼ୁଥିବା କରର ଚାପ କମିବ। କୃଷି, ଶିକ୍ଷା କ୍ଷେତ୍ର ଓ ଶିଳ୍ପରେ ବିଶେଷ ଧ୍ୟାନ ସମେତ ମୋବାଇଲ ଫୋନ୍, ଜୀବନ ରକ୍ଷାକାରୀ ଔଷଧ ଆଦିର ଦର କମିବା ଅତ୍ୟନ୍ତ ପ୍ରଶଂସନୀୟ। ବ୍ୟାଟେରି ଚାଳିତ ଗାଡ଼ିର ଦାମ୍ ନିୟନ୍ତ୍ରଣ କରିବା ପରିବେଶ ଉପରେ ଭଲ ପ୍ରଭାବ ପକାଇବ।
– ଅମ୍ୱିକା ଶଙ୍କର ମିଶ୍ର, ସାମ୍ୱାଦିକତା ଓ ଗଣ ଯୋଗୋଯୋଗ ବିଭାଗ ମୁଖ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
ସବୁ ବିଭାଗକୁ ଗୁରୁତ୍ୱ ଦିଆଯାଇଛି
ଅର୍ଥମନ୍ତ୍ରୀ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି। ବିଶେଷ କରି କୃଷି ଧନ ଜନ ଯୋଜନାର ବିକାଶ ଉପରେ ଗୁରୁତ୍ୱ ଦେଶ ତଥା ରାଜ୍ୟର କୃଷକମାନଙ୍କ ପାଇଁ ସହାୟକ ହେବ। ସେହିପରି କ୍ୟାନସର ହସ୍ପିଟାଲ, ଶିକ୍ଷା କ୍ଷେତ୍ର ସହିତ ପର୍ଯ୍ୟଟନର ବିକାଶ ଦେଶର ଆର୍ଥିକ ଅଭିବୃଦ୍ଧିରେ
ସହାୟକ ହେବ।
– ମଧୁସ୍ମିତା ପଢ଼ିଆରି, ଛାତ୍ରୀ
ଖୋଲା ରାଜନୈତିକ ବ୍ୟାପାର: ପ୍ରତାପ
ଚଳିତ ବଜେଟ୍ରେ ବିହାରକୁ ସ୍ବତନ୍ତ୍ର ପ୍ୟାକେଜ୍ ମିଳିଥିବାରୁ ଏହାକୁ ବିଜେଡି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି ଯେ ୨୦୨୫-୨୬ ବଜେଟ୍ ଏକ ଖୋଲା ରାଜନୈତିକ ବ୍ୟାପାର। ଆଗକୁ ବିହାର ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ବିହାର ପାଇଁ ବିଶେଷ ପ୍ୟାକେଜ ଦିଆଯାଇଛି। ହେଲେ ଓଡ଼ିଶା ପୁଣିଥରେ ଅବହେଳିତ। ଓଡ଼ିଶାବାସୀ ଏହି ସରକାରକୁ ଆଣିଲେ, ହେଲେ ଏବେ ଓଡ଼ିଶାବାସୀଙ୍କ ଅଧିକାର ଅସ୍ବୀକୃତ। ବିଶେଷ ମର୍ଯ୍ୟାଦା ଦାବିକୁ ପୁଣି ଦୁର୍ବଳ କରାଯାଇଛି। ଏହା କ’ଣ ଓଡ଼ିଆ ଅସ୍ମିତାର ପ୍ରତିଫଳନ? ଓଡ଼ିଆଙ୍କ ଭୋଟ କେବଳ କ’ଣ ଉପଯୋଗ ପାଇଁ ବୋଲି ଶ୍ରୀ ଜେନା ପ୍ରଶ୍ନ କରିଛନ୍ତି।
ଜନ ବିରୋଧୀ, କର୍ପୋରେଟ ସପକ୍ଷବାଦୀ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୫-୨୬ ବଜେଟ୍ ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ, କର୍ପୋରେଟ ସପକ୍ଷବାଦୀ ଓ ଅନ୍ତସାରଶୂନ୍ୟ ବଜେଟ। ବଜେଟରେ ଦେଶର ଅର୍ଥନୀତି ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ସମାଧାନ ଦିଗରେ କୌଣସି ଦୃଷ୍ଟି ଦିଆଯାଇ ନାହିଁ। ସାରା ଦେଶରେ କ୍ରମବର୍ଦ୍ଧିଷ୍ଣୁ ବେକାରୀ, ଦରଦାମ ବୃଦ୍ଧି ପ୍ରଭୃତି ସମସ୍ୟାଗୁଡ଼ିକୁ ସମାଧାନ ଦିଗରେ ଏହି ବଜେଟ ସମ୍ପୂର୍ଣ୍ଣ ବିଫଳ। ଦେଶର ଅର୍ଥନୀତି ସଂକଟମୟ ସ୍ଥିତିରେ ଗତି କରୁଛି। ବୈଦେଶିକ ଋଣ ବୃଦ୍ଧି ସହିତ ଭାରତୀୟ ଟଙ୍କାର ମୂଲ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏଭଳି ଜଟିଳ ସ୍ଥିତିର ମୁକାବିଲା ସହିତ ଦେଶର ଆର୍ଥିକ ଅବସ୍ଥାର ସୁଧାର ପାଇଁ ବଜେଟରେ କୌଣସି ବିଶେଷ ବ୍ୟବସ୍ଥା ନାହିଁ। ଳିତ ବଜେଟ୍ ପେନ୍ସନ୍, ସାମାଜିକ ସୁରକ୍ଷା ଓ କୃଷକମାନେ ଦାବି କରୁଥିବା କୃଷି ଋଣ ଛାଡ଼ ଓ ଏମ୍ଏସ୍ପି ଭଳି ଦିଗ ପ୍ରତି ସମ୍ପୂର୍ଣ୍ଣ ନିରବ। ବୀମା କ୍ଷେତ୍ରରେ ଶତ ପ୍ରତିଶତ ବିଦେଶୀ ବିନିଯୋଗ ଦ୍ୱାରା ଜୀବନ ବୀମା ଓ ସାଧାରଣ ବୀମା କ୍ଷେତ୍ର ଆହୁରି ସଙ୍କଟମୟ ଦିଗକୁ ଗତି କରିବାର ସମ୍ଭାବନା ବଢ଼ିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ଏଭଳି ଜନ ବିରୋଧୀ ବଜେଟ ବିରୋଧରେ ସମାଜର ସବୁବର୍ଗର ଜନଗଣ ପତିବାଦ କରିବାକୁ ଫରୱାର୍ଡ ବ୍ଲକ ପକ୍ଷରୁ ଆହ୍ୱାନ ଦିଆଯାଇଛି।
– ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ,
ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ, ଓଡ଼ିଶା କମିଟି
ଧନୀ-ଗରିବ ତାରତମ୍ୟ, ବେରୋଜଗାର ବଢ଼ାଇବ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା କେନ୍ଦ୍ରୀୟ ବଜେଟ୍ରେ ଦେଶର ଅର୍ଥ ବ୍ୟବସ୍ଥା ଭିତରେ ବଢ଼ି ଚାଲିଥିବା ବେରୋଜଗାରୀ, ଦରଦାମ ବୃଦ୍ଧି, ଆଞ୍ଚଳିକ ବୈଷମ୍ୟ ଭଳି ବିଷୟକୁ ଅଣଦେଖା କରାଯାଇଛି। ଭାରତୀୟ ମୂଦ୍ରାର ମୂଲ୍ୟ ଡଲାର ତୁଳନାରେ କ୍ରମାଗତ ହ୍ରାସ ହୋଇ ଚାଲିବା, ବୈଦେଶିକ ଋଣ ଭାରରେ ଦେଶକୁ ବୁଡ଼ାଇ ଦେବାକୁ ମୋଦୀ-୩ ସରକାର ପଛାଇ ନାହାନ୍ତି। ସାମାଜିକ ସ୍ତରରେ ଅବହେଳିତ ବର୍ଗଙ୍କୁ ବଞ୍ଚିବାର ରାହା ଦେଖାଇଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଅଣଦେଖା କରାଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ ଆବଶ୍ୟକୀୟ ବ୍ୟୟ ବରାଦରେ ସରକାର ବିଫଳ ହୋଇଛନ୍ତି। ବୀମା କ୍ଷେତ୍ର ବିଦେଶୀ କମ୍ପାନିଙ୍କୁ ଶତ ପ୍ରତିଶତ ମାଲିକାନା ଦେଇ ଦେଶର ଜନଗଣଙ୍କୁ ଲୁଣ୍ଠନ ଓ ବୀମା ପ୍ରାପ୍ତି ବେଳେ ବିଦେଶୀ କମ୍ପାନି ପଳାୟନ ଭଳି ବିପଦଜନକ ବ୍ୟବସ୍ଥା ସୃଷ୍ଟି କରିବ। ସାମାଜିକ ସୁରକ୍ଷା, ପେନସନ, କୃଷକଙ୍କୁ ଏମ୍ଏସପି ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବଜେଟରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ। ଏହି ବଜେଟ କେତେକ ବିଦେଶୀ ଓ ଦେଶୀ ରାହୁ ପୁଞ୍ଜିପତିଙ୍କ ଲୁଣ୍ଠନର ସାହାଣ ମେଲା କଲାବେଳେ ସାଧାରଣ ମଣିଷ ପାଇଁ ବୋଝ ଉପରେ ନଳିତା ବିଡ଼ା ଲଦି ଦିଆଯାଇଛି। ତେଣୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏହି ବଜେଟ ବିରୋଧରେ ଶାଣିତ ପ୍ରତିବାଦ ଓ ପ୍ରତିରୋଧ କରିବ।
– ଜୟନ୍ତ ଦାସ, ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ, ସିପିଆଇ
ଜନ ମଙ୍ଗଳ ଯୋଜନାକୁ ଅଗ୍ରାଧିକାର ଦିଆଯାଇନି
ଚଳିତ କେନ୍ଦ୍ରୀୟ ବଜେଟରେ ଭାରତୀୟ ଅର୍ଥନୀତି ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଧ୍ୟାନ ଦିଆଯାଇନାହିଁ। ବଢ଼ୁଥିବା ବେରୋଜଗାରୀ, ମୂଲ୍ୟ ବୃଦ୍ଧି, ଭୟଙ୍କର ଅସମତା ଇତ୍ୟାଦି ଦେଶବାସୀଙ୍କ ପ୍ରମୁଖ ସମସ୍ୟା ଅଟେ। କିନ୍ତୁ ବଜେଟ୍ ଏହି ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବିଫଳ ହୋଇଛି। ଦେଶର ଅର୍ଥନୀତି ଅତି ଖରାପ ପରିସ୍ଥିତିରେ ଅଛି ଓ ଭାରତୀୟ ଟଙ୍କାର ବ୍ୟାପକ ମୂଲ୍ୟ ଅବମୂଲ୍ୟାୟନ ହୋଇଛି। ବିଦେଶୀ ଋଣ ବୃଦ୍ଧି ପାଇଛି। ସାମାଜିକ କଲ୍ୟାଣ ଓ ଅନ୍ୟ ଜନ ମଙ୍ଗଳ କାର୍ଯ୍ୟରେ ଯୋଜନାଗୁଡ଼ିକୁ ଅଗ୍ରାଧିକାର ଦିଆଯାଇନାହିଁ। ମନରେଗା ଭଳି ଶ୍ରମ ଭିତ୍ତିକ ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଅବହେଳା କରାଯାଇଛି। ନ୍ୟୁକ୍ଲିୟାର୍ ବିଜ୍ଞାନରେ ଘରୋଇ ପୁଞ୍ଜି ବିନିଯୋଗ ଓ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ଘରୋଇ ବିନିଯୋଗକୁ ଅଧିକ ବୃଦ୍ଧି କରାଯାଇଛି। ଏହା ଅର୍ଥନୀତି ପାଇଁ ଶୁଭ ଲକ୍ଷଣ ନୁହେଁ। ବୀମା କ୍ଷେତ୍ରରେ ଶତ ପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ ଦ୍ୱାରା ଜୀବନ ବୀମା ଓ ସାଧାରଣ ବୀମା କ୍ଷେତ୍ର ଆହୁରି ନକରାତ୍ମକ ଆଡ଼କୁ ଅଗ୍ରସର ହେବ। ବଜେଟ୍ରେ ଲିଙ୍ଗଗତ ସମାନତା ଓ ସାମାଜିକ ନ୍ୟାୟ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇନାହିଁ। ଏହି ବଜେଟ କର୍ପୋରେଟ୍ ସପକ୍ଷବାଦୀ ଓ ଜନସାଧାରଣଙ୍କ ଜୀବନ-ଜୀବିକା ସମସ୍ୟାଗୁଡ଼ିକୁ ସଫଳ କରିବାରେ ସାମଗ୍ରିକ ଭାବେ ବିଫଳ ହୋଇଛି।
– ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ, ସିପିଆଇ(ଏମ୍), ଓଡ଼ିଶା ରାଜ୍ୟ କମିଟି
କ୍ଷୁଦ୍ର, କପା ଓ ଡାଲି ଚାଷୀ ଉପକୃତ ହେବେ
ଚାଷୀମାନଙ୍କ ପାଇଁ କିସାନ କ୍ରେଡିଟ କାର୍ଡରେ ବର୍ଦ୍ଧିତ ଲୋନ୍ ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ ଥିଲା। ଚାଷୀ ମାନଙ୍କୁ ଲୋନ୍ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଦ୍ୱାରା କ୍ଷୁଦ୍ର ଚାଷୀ, କପା ଓ ଡାଲି ଚାଷୀମାନେ ଉପକୃତ ହେବେ। ଏଥି ସହିତ ଦୁଗ୍ଧ ଜାତୀୟ ଦ୍ରବ୍ୟ ଉତ୍ପାଦନ କରୁଥିବା ଚାଷୀମାନଙ୍କୁ ମଧ୍ୟ ଆୟ ବୃଦ୍ଧିରେ ସହାୟତା କରିବ। ଏମ୍ଏସ୍ଏମ୍ଇରେ ସହାୟତା ରାଶି ବୃଦ୍ଧି ଦ୍ୱାରା ଉତ୍ପାଦନ ବଢ଼ିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
- ରମେଶ କୁମାର କେଜ୍ରିୱାଲ, ବରିଷ୍ଟ ଅର୍ଥନୀତିଜ୍ଞ ଓ ସମୀକ୍ଷକ
ମଧ୍ୟମ ଓ ଯୁବକଙ୍କ ବଜେଟ
ବଜେଟ୍ରେ ବେକାରୀ ଓ ମଧ୍ୟବିତ୍ତ ପରିବାରଙ୍କ ଉପରେ ଅଧିକ ଫୋକସ୍ ରହିଛି। ଆୟକର ସ୍ଲାବକୁ ୧୨ ଲକ୍ଷ କରି ମଧ୍ୟବିତ୍ତ ପରିବାରର ଅର୍ଥନୀତିକୁ ସଶକ୍ତ କରିବାରେ ପ୍ରୟାସ କରାଯାଇଛି। ଚାକିରିଆମାନଙ୍କ ପାଇଁ ଏହା ଉପଯୋଗୀ ହେବ। ୨୨ ଲକ୍ଷ ବେକାରୀ ଯୁବକଯୁବତୀଙ୍କ କର୍ମନିଯୁକ୍ତି ବ୍ୟବସ୍ଥା ମଧ୍ୟ ଖୁବ ଭଲ ପଦକ୍ଷେପ। ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ୍ ଡ୍ୟୁଟି ଉଠାଇବା ସ୍ବାଗତଯୋଗ୍ୟ ପଦକ୍ଷେପ।
ସରୋଜ କୁମାର ସାହୁ, ଆଇନଜୀବୀ, ଟ୍ୟାକ୍ସ କନସଲଣ୍ଟାଣ୍ଟ
ଚାରିଟି ଶକ୍ତିଶାଳୀ ଇଞ୍ଜିନ୍ ଉପରେ କେନ୍ଦ୍ରିତ
କୃଷି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ନିବେଶ, ଏବଂ ରପ୍ତାନି ଏଭଳି ଚାରିଟି ଶକ୍ତିଶାଳୀ ଇଞ୍ଜିନ୍ ଉପରେ ବଜେଟ୍ର ଧ୍ୟାନ କେନ୍ଦ୍ରୀତ ହୋଇଛି। କୃଷି ଉତ୍ପାଦକତା ବୃଦ୍ଧି, ଫସଲ ବିବିଧତା ଗ୍ରହଣ ଓ ଜଳସେଚନ ସୁବିଧା ଉନ୍ନତ କରିବା ବ୍ୟବସ୍ଥା ରହିଛି। ଡାଲିରେ ଆତ୍ମନିର୍ଭରତା ପାଇଁ ମିସନ ଆରମ୍ଭ ହେବା ମଧ୍ୟ ଏକଭଲ ପଦକ୍ଷେପ।
– ସୌମ୍ୟରଞ୍ଜନ ସାହୁ, ଛାତ୍ର
ବିନା ଜନଗଣନାରେ ବଜେଟ୍ ହୋଇଥିବାରୁ ଅସଫଳ
ଯେଉଁ ଦେଶରେ ଲୋକସଂଖ୍ୟା କେତେ ତାହା ଜଣା ନାହିଁ ସେଠାରେ ଯେତେ ଭଲ ବଜେଟ୍ ପ୍ରସ୍ତୁତ କଲେ ମଧ୍ୟ ତାହା ସଫଳ ବଜେଟ୍ ବୋଲି କୁହାଯାଇ ପାରିବନାହିଁ। ଘରେ କେତେ ଜଣ ଲୋକ ଅଛନ୍ତି ଘର ମାଲିକଙ୍କୁ ଜଣା ନଥିଲେ ଖାଇବା, ଶୋଇବା ଓ ପିନ୍ଧିବା କେତେ ଜଣଙ୍କ ପାଇଁ କରିବେ?
– ଦିଲ୍ଲୀପ ଦାଶଶର୍ମା, ଆଇନଜୀବୀ
ଇପିଏଫ୍ ପେନ୍ସନ୍ଭୋଗୀଙ୍କୁ ନିରାଶ କରିଛି
ସ୍ୱଳ୍ପ ପେନ୍ସନ୍ ପାଇ ଆର୍ଥିକ ଦୂରାବସ୍ଥା ମଧ୍ୟରେ ଦିନ କାଟୁଥିବା ଦେଶର ୮୦ ଲକ୍ଷ ଇପିଏଫ୍ ପେନ୍ସନ୍ଭୋଗୀଙ୍କୁ ଚଳିତ କେନ୍ଦ୍ର ବଜେଟ୍ ନିରାଶ କରିଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମାସିକ ସର୍ବନିମ୍ନ ୯୦୦୦ ଟଙ୍କା ପେନ୍ସନ୍ ସହ ମହଙ୍ଗାଭତ୍ତା ପ୍ରଦାନ କରାଯାଉଛି। କିନ୍ତୁ ଇପିଏଫ୍ ପେନ୍ସନ୍ଧାରୀଙ୍କୁ ୧୦ ବର୍ଷ ହେଲାଣି ସର୍ବନିମ୍ନ ୧୦୦୦ ଟଙ୍କା ପେନ୍ସନ୍ ବିନା ମହଙ୍ଗା ଭତ୍ତାରେ ପ୍ରଦାନ କରାଯାଉଛି। ସରକାର ବାର୍ଦ୍ଧକ୍ୟ ଭତ୍ତାକୁ ମାସିକ ୪ ହଜାର ଟଙ୍କାକୁ ବୃଦ୍ଧି କରିଥିବା ବେଳେ ଇପିଏଫ୍ ପେନ୍ସନ୍ଭୋଗୀଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ ସର୍ବନିମ୍ନ ପେନ୍ସନ୍କୁ ବୃଦ୍ଧି ନ କରିବା ଅମାନବୀୟ ଓ ପ୍ରତାରଣାପୂର୍ଣ୍ଣ।
- ଭାଗ୍ୟଧର ବ୍ରହ୍ମା, ସାଧାରଣ ସମ୍ପାଦକ,
ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ
ଛାତ୍ରଛାତ୍ରୀମାନେ ଲାଭବାନ୍ ହେବେ
ନିଶ୍ଚିତ ଭାବେ ଏହା ଏକ ଲୋକ କଲ୍ୟାଣକାରୀ ବଜେଟ୍। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷିର ବିକାଶ ସହିତ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱାରୋପ ନିଶ୍ଚୟ ଭାବରେ ସ୍ୱାଗତଯୋଗ୍ୟ ପଦକ୍ଷେପ। ମୋବାଇଲ୍, ଏଲ୍ଇଡି ସହିତ ବ୍ୟାଟେରି ଗାଡ଼ି ଶସ୍ତା ହେବା ଦ୍ବାରା ଛାତ୍ରଛାତ୍ରୀମାନେ ଲାଭବାନ ହେବେ।
– ଶେଖ୍ ମୁନ୍ତାକିମ୍ ବକ୍ସ, ରାଜ୍ୟ ସଭାପତି,
ଅଲ୍ ଓଡ଼ିଶା ନନଭେଜ୍ ଟ୍ରେଡର୍ସ ଫେଡେରେସନ୍