ଐତିହାସିକ, ଭବିଷ୍ୟତବାଦୀ ଓ ସନ୍ତୁଳିତ ବଜେଟ୍: ଧ‌ର୍ମେନ୍ଦ୍ର
ଭୁବନେଶ୍ୱର: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି, ତାହା ବିକଶିତ ଭାରତର ସଂକଳ୍ପ ପାଇଁ ଏକ ଐତିହାସିକ, ଭବିଷ୍ୟତବାଦୀ ଓ ସନ୍ତୁଳିତ ବଜେଟ୍। ଗୋଟିଏ ଶିଶୁ ଜନ୍ମ ହେବା ଠାରୁ  ଆରମ୍ଭ କରି ଉଚ୍ଚସ୍ତରୀୟ ଗବେଷଣା, ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ତଥା ମାନବ ପୁଞ୍ଜିର ସର୍ବାଙ୍ଗୀନ ବିକାଶକୁ ଏହି ବଜେଟ୍ ପୂରଣ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅର୍ଥମନ୍ତ୍ରୀ ଦେଶର ଗରିବ, ମହିଳା, କୃଷକ, ଯୁବକ, ମଧ୍ୟବିତ୍ତ ଏବଂ ବଞ୍ଚିତ ବର୍ଗଙ୍କ ହିତରେ ଏକ ଉତ୍ସର୍ଗୀକୃତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ବିକଶିତ ଭାରତର ସଂକଳ୍ପକୁ ନୂଆ ଉଚ୍ଚତାରେ ପହଞ୍ଚାଇବ। ସବ୍‌କା ସାଥ୍, ସବ୍‌କା ବିକାଶର ସଂକଳ୍ପକୁ ସାକାର କରିବ। ଏହି ବଜେଟ୍‌ରୁ ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବେ ଲାଭବାନ ହେବ। ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କର ଛାଡ଼ ଘୋଷଣା ମଧ୍ୟବିତ୍ତଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଉପହାର। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଏହି ବଜେଟ୍ ଏକବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ପାଇଁ ଉଦ୍ଦିଷ୍ଟ। ଯେଉଁଥିରେ ଶିଶୁଙ୍କ ଠାରୁ ଆରମ୍ଭ କରି ବିକଶିତ ଭାରତର ଏଜେଣ୍ଡାର ସ୍ୱପ୍ନକୁ ସାକାର କରିବା ପାଇଁ ନେତୃତ୍ୱକାରୀ ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବଜେଟ୍ ଚାଷୀଙ୍କ ଆୟ ବୃଦ୍ଧି, ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ସୁଯୋଗ ତିଆରି କରିବ। ପୁଞ୍ଜିଗତ ବ୍ୟୟ ବୃଦ୍ଧି ହେବ, ପୁଞ୍ଜିନିବେଶ ବୃଦ୍ଧି ପାଇବ ଏବଂ ଦେଶର ଭିତ୍ତିଭୂମିକୁ ଏକ ନୂଆ ଦିଗ ମିଳିବ। ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହନ ମିଳିବ। ଶକ୍ତି, ଭିତ୍ତିଭୂମି ଏବଂ ଚାଷ ଭଳି କ୍ଷେତ୍ରକୁ ଅଧିକ ଗତି ମିଳିବ।

Advertisment

ଓଡ଼ିଶାର ବାସ୍ତବ ଦାବିକୁ ଅଣଦେଖା କରାଯାଇଛି: ନବୀନ
ଭୁବନେଶ୍ବର: ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଓଡ଼ିଶା ଯଥାର୍ଥ ଭାବେ ସ୍ବତନ୍ତ୍ର ପାହ୍ୟାର ମାନ୍ୟତା ଦାବି କରିଆସୁଛି। ଅଥଚ ବଜେଟ୍‌ରେ ଅନ୍ୟ ରାଜ୍ୟକୁ ସ୍ବତନ୍ତ୍ର ପ୍ରାବଧାନ ମିଳୁଥିବାବେଳେ ଓଡ଼ିଶାର ବାସ୍ତବ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଆସୁଛନ୍ତି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। କେନ୍ଦ୍ର ସରକାରଙ୍କ ବଜେଟ୍‌କୁ ନବୀନ କଡ଼ା ସମାଲୋଚନା କରି ମନ୍ତବ୍ୟ ରଖିଛନ୍ତି ଯେ ଆଜି ଦେଶର ଯୁବପିଢ଼ି ପାଇଁ ନିଯୁକ୍ତିର ଅତ୍ୟନ୍ତ ଆବଶ୍ୟକତା ଅଛି। ସାଧାରଣ ଲୋକମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅପରିବର୍ତ୍ତିତ ଦର ବୃଦ୍ଧିର ଶିକାର ହେଉଛନ୍ତି। ଦୁର୍ଭାଗ୍ୟଜନକ ଯେ ଦେଶ ସମ୍ମୁଖୀନ ହେଉଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜର ସମାଧାନ ପାଇଁ ଚଳିତ ବଜେଟ୍‌ରେ କିଛି ବ୍ୟବସ୍ଥା କରାଯାଇନି।

ବିକଶିତ ଭାରତ ପାଇଁ ମୋଦୀ ସରକାରଙ୍କ ଦୂରଦୃଷ୍ଟିର ବ୍ଲୁ-ପ୍ରିଣ୍ଟ: ମନମୋହନ
ଭୁବନେଶ୍ୱର: ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶକୁ ଏକ ବିକଶିତ ଏବଂ ଶ୍ରେଷ୍ଠ ଭାରତ ଭାବେ ଗଢ଼ି ତୋଳିବା ପାଇଁ ମୋଦୀ ସରକାରଙ୍କ ଦୂରଦୃଷ୍ଟିର ବ୍ଲୁ-ପ୍ରିଣ୍ଟ ହେଉଛି ଏହି ବଜେଟ୍‌। ଏହି ବଜେଟ୍‌ ସଂପୂର୍ଣ୍ଣ ଭାବେ ମଧ୍ୟବିତ୍ତ, ଅନ୍ନଦାତା, ମହିଳା ଓ ଯୁବକଙ୍କ ଉନ୍ନତ ଜୀବନ ଧାରଣ ସହିତ ବିକଶିତ ଭାରତ ଆକାଂକ୍ଷାକୁ ଅତ୍ୟନ୍ତ ଚମତ୍କାର ଭାବେ ସନ୍ତୁଳିତ କରିଛି। ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହା ଏକ ଶ୍ରେଷ୍ଠ ରୋଡମ୍ୟାପ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଶ୍ରୀ ସାମଲ କହିଛନ୍ତି, ଅଭିବୃଦ୍ଧି ଓ ସର୍ବସମାବେଶୀର ଗଣିତକୁ ନେଇ ମୋଦୀଙ୍କ ବିକାଶର ଖସଡ଼ା ଏହି ବଜେଟରେ ପ୍ରତିଫଳିତ ହୋଇଛି। ଏହି ଅନ୍ତର୍ଭୁକ୍ତ ଓ ଦୂରଦୃଷ୍ଟିସଂପନ୍ନ ବଜେଟ ପାଇଁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି।

ବିକଶିତ ଭାରତ-୨୦୪୭ ଲକ୍ଷ୍ୟ ବିଫଳ ହେବ: ପ୍ରଫୁଲ୍ଲ ଘଡ଼ାଇ
ଯାଜପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଲକ୍ଷ୍ୟ ରଖିଛନ୍ତି। ହେଲେ ଚଳିତ ବଜେଟ୍‌ରେ ସେପରି ବ୍ୟବସ୍ଥା କରାଯାଇନାହିଁ। ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଜିଡିପିରେ ୮ପ୍ରତିଶତରୁ ଅଧିକ ଅଭିବୃଦ୍ଧି ପରିବର୍ତ୍ତେ ୭ ପ୍ରତିଶତରୁ କମ୍ ୬.୮ପ୍ରତିଶତ କରାଯାଇଛି। ଏଭଳି ଯୋଜନା କଲେ ୨୦୪୭ରେ ବିକଶିତ ଭାରତ ଲକ୍ଷ୍ୟ ହାସଲ କରି ହେବନାହିଁ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବର୍ଷୀୟାନ ରାଜନେତା ଡ. ପ୍ରଫୁଲ୍ଲଚନ୍ଦ୍ର ଘଡ଼ାଇ କହିଛନ୍ତି। ସରକାର କୃଷି ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି। ତୈଳବୀଜ, ଡାଲି ଉତ୍ପାଦନ ବଢ଼ାଇବା ସହ ଅଧିକ ୟୁରିଆ ପ୍ଲାଣ୍ଟ କରିବାକୁ କହିଛନ୍ତି। ତେବେ କୃଷିର ବିକାଶ ପାଇଁ ତୃଣମୂଳରେ ଯେପରି ଅର୍ଥ ବ୍ୟବସ୍ଥା ହେବା କଥା, ସେପରି ହୋଇନାହିଁ। ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ କମ ବ୍ୟୟବରାଦ ହୋଇଛି। ଓଡ଼ିଶା କଥା ବିଚାରକୁ ନେଲେ ଶିଳ୍ପାୟନ ପାଇଁ ସେପରି ଅର୍ଥ ବ୍ୟବସ୍ଥା ବଜେଟ୍‌ରେ କରାଯାଇନାହିଁ। ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଥିବାବେଳେ ଏଥର ବଜେଟ୍ ‘ବିହାର ବଜେଟ୍’ ବୋଲି କୁହାଯାଉଛି। ବିହାରରେ ବିଶ୍ବବିଦ୍ୟାଳୟ, ଏୟାରପୋର୍ଟ ସମେତ ବ୍ୟାପକ ପୁଞ୍ଜିନିବେଶ କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ଆନ୍ଧ୍ରପ୍ରଦେଶ, ମହାରା‌ଷ୍ଟ୍ର, ଗୁଜୁରାଟ, ଆସାମ ପାଇଁ ମଧ୍ୟ ବଜେଟ୍‌ରେ ଅଧିକ ବ୍ୟୟବରାଦ ଉପରେ ଗୁରୁତ୍ବ ଦିଆଯାଇଛି। ହେଲେ ଓଡ଼ିଶା ପାଇଁ କରାଯାଇନାହିଁ। ତେବେ ଏହି ବଜେଟ୍‌ରେ ଆୟକର ଛାଡ଼ ସୀମା ୧୨ଲକ୍ଷକୁ ବୃଦ୍ଧି କରାଯାଇଥିବାରୁ ଏହା ଏକ ଖୁସି ଖବର। ଚଳିତ ବଜେଟ୍ ଏକ ମିଶ୍ରିତ ବଜେଟ୍ ବୋଲି ଶ୍ରୀ ଘଡ଼ାଇ କହିଛନ୍ତି।

ବିହାର, ଦିଲ୍ଲୀବାସୀ ଖୁସି, ଓଡ଼ିଶାକୁ କିଛି ନାହିଁ: ପଞ୍ଚାନନ କାନୁନ୍‌ଗୋ
ପ୍ରତ୍ୟେକ ବଜେଟ୍‌କୁ ମୁଖ୍ୟତଃ ୩ଭାଗରେ ବିଭକ୍ତ କରାଯାଇପାରେ। ଯାହାଙ୍କ ହାତ ଖାଲି ଅଛି ତାଙ୍କୁ ରୋଜଗାର ଦେବା, ଯେଉଁମାନେ ରୋଜଗାର କରୁଛନ୍ତି ସେମାନଙ୍କ ହାତରୁ ସଞ୍ଚୟ ଖସି ନ ଯିବା ଓ ରୋଜଗାରକୁ ବୃଦ୍ଧି କରିବା। ଚଳିତ ବଜେଟ୍‌ରେ ଯେଉଁ ବର୍ଗଟି ଟିକସ ଦେଉଥିଲେ ସେମାନଙ୍କ ପାଇଁ ରିଆତି ବ୍ୟବସ୍ଥା ହୋଇଛି। ମାତ୍ର ଖାଲି ହାତରେ ଥିବା ବର୍ଗଙ୍କ ପାଇଁ କୌଣସି ରୋଜଗାର ବ୍ୟବସ୍ଥା ହୋଇନାହିଁ। ଚଳିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦେଶର ୫୦% ଲୋକ ବ‌ାର୍ଷିକ ୩ଲକ୍ଷରୁ ଅଧିକ ରୋଜଗାର କରୁ ନ ଥିବା ଦର୍ଶାଯାଇଛି। ମାତ୍ର ଦରବୃଦ୍ଧି କାରଣରୁ ଲୋକଙ୍କ ହାତରୁ ଟଙ୍କା ଖସି ଯାଉଛି। ଏମ୍‌ଏସ୍‌ଏମ୍‌ଇକୁ ସହାୟତା ଦେବା କଥା ପୂର୍ବରୁ ମଧ୍ୟ କୁହାଯାଉଥିଲା, ଏବେ ମଧ୍ୟ କୁହାଯାଉଛି। ମାତ୍ର ଏହି ଏମ୍‌ଏସ୍‌ଏମ୍‌ଇମାନେ ବଜା‌ରରେ କିଭଳି ବଡ଼ କମ୍ପାନିର ମୁକାବିଲା କରିବେ ସେଥିପାଇଁ କିଛି ବ୍ୟବସ୍ଥା ନାହିଁ। ସେହିପରି ଡାଲି ଉତ୍ପାଦନରେ ସ୍ବାବଲମ୍ବୀ ହେବା କଥା ବଜେଟରେ କୁହାଯାଇଛି। ମାତ୍ର ଚାଷୀଙ୍କୁ ଏମ୍‌ଏସ୍‌ପି ନ ମିଳିଲେ ଓ ଧାନ ଭଳି ସରକାର ଡାଲି କିଣିବାର ବ୍ୟବସ୍ଥା ନ କଲେ ଚାଷୀମାନେ ଡାଲି ଚାଷ ପାଇଁ ଆଗ୍ରହ ଦେଖାଇବେ ନାହିଁ। ତେଣୁ ୨୦୪୭ ବିକାଶ ଭାରତ କଥା କେବଳ ସ୍ବପ୍ନରେ ରହିଯିବ, ବାସ୍ତବାତରେ ରୂପାନ୍ତରିତ ହୋଇପାରିବ ନାହିଁ। ଏହାସହ ଚଳିତ ବଜେଟ୍‌କୁ ନେଇ ବିହାର ଓ ଦିଲ୍ଲୀବାସୀ ବେଶ୍‌ ଖୁସି ହେଉଥିବେ। ଆଉ କିଛିଦିନ ପରେ ଦିଲ୍ଲୀରେ ଭୋଟ୍‌ ପଡ଼ିବ ଓ ଆଗକୁ ବିହାରରେ ନିର୍ବାଚନ। ସେଥିପାଇଁ ବଜେଟ୍‌ରେ ବିହାରକୁ ବେଶ୍‌ ଗୁରୁତ୍ବ ଦିଆଯାଇଛି। ମାତ୍ର ଓଡ଼ିଶା ପାଇଁ କିଛି ନାହିଁ। ପର୍ଯ୍ୟଟନ କ୍ଷେତ୍ର ପାଇଁ ଯେଉଁ ଘୋଷଣା ହୋଇଛି ତହିଁରୁ ଓଡ଼ିଶା ଯଦି ଦାବି କରି ଅଧିକ ଆଣିପାରିବ ରାଜ୍ୟ ଲାଭବାନ ହେବ। ମାତ୍ର ଓଡ଼ିଶାରୁ ନେବା ପାଇଁ କିଛିଦିନ ତଳେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ହୋଇଥିଲା। ଓଡ଼ିଶାରେ ଥିବା ଖଣିଜ ସଂପଦକୁ ବ୍ୟବସାୟୀଙ୍କ ହାତକୁ ଟେକି ଦେବାର ଏଥିରେ ବ୍ୟବସ୍ଥା କରାଯାଇଛି।

ବିକଶିତ ଭାରତ ବିଳମ୍ବିତ ଭାରତରେ ପରିଣତ ହେବ: ଗଣେଶ୍ବର ବେହେରା
ଚଳିତ ବଜେଟ୍‌ରେ ଆୟକର କ୍ଷେତ୍ରରେ ରିହାତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ କ୍ଷୋଭର ବିଷୟ ହେଉଛି ଯେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବଜେଟ୍‌କୁ କମାଇ ଦିଆଯାଇଛି। ୨୦୨୪ ତୁଳନାରେ ଏଥର ପାଖାପାଖି ୧୦ହଜାର କୋଟି ଟଙ୍କା କମ୍‌ କରାଯିବା ଅତ୍ୟନ୍ତ ଦୁଃଖଦାୟକ। ବର୍ତ୍ତମାନ ଦେଶ ବେକାରୀ ଓ ଦରବୃଦ୍ଧି ସମସ୍ୟା ଭିତରେ ଗତି କରୁଥିବା ବେଳେ ବଜେଟ୍‌ରେ ଏହି ଦୁଇଟି ଦିଗ ପ୍ରତି ଦୃଷ୍ଟି ଦିଆଯାଇନାହିଁ। ଆଦିବାସୀ, ଦଳିତ, ପଛୁଆବର୍ଗ ଓ ସ˚ଖ୍ୟାଲଘୁଙ୍କ ପାଇଁ ବ୍ୟୟବରାଦ ହ୍ରାସ କରାଯାଇଛି। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିହାର ପାଇଁ ସ୍ବତନ୍ତ୍ର ଯୋଜନା ରଖାଯାଇଛି। ଅଥଚ, ଡବଲ୍‌ ଇ˚ଜିନ ସରକାର ଥିବା ଓଡ଼ିଶାକୁ ଆଦୌ ବିଚାରକୁ ନିଆଯାଇନାହିଁ। ଅଭିବୃଦ୍ଧି ହାର ଯେଉଁଭଳି ରହିଛି, ତାହାକୁ ବିଚାରକୁ ନେଲେ ୨୦୪୭ ସୁଦ୍ଧା ବିକଶିତ ଭାରତ ନେଇ ଆମେ ଯେଉଁ ସ୍ବପ୍ନ ଦେଖୁଛୁ, ତାହା ସାକାରା ହେବା ନେଇ ଆଶଙ୍କା ରହିଛି। ବିକଶିତ ଭାରତ ବିଳମ୍ବିତ ଭାରତରେ ପରିଣତ ହେଇଯିବା ଭଳି ମନେ ହେଉଛି।