ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ୫୦ ଲକ୍ଷ କୋଟି ଟଙ୍କାରୁ ବଡ଼ ବଜେଟ୍ ଉପସ୍ଥାପନ କରିଛନ୍ତି। ପୁଞ୍ଜି ବ୍ୟୟ ଉପରେ ଯଦିଓ ବିଶେଷ ଧ୍ୟାନ ଦିଆଯାଇନାହିଁ, କିନ୍ତୁ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ଲାଗି ଉଦ୍ୟମ କରାଯାଇଛି। ଶିକ୍ଷା ଓ ଦକ୍ଷତା ବିକାଶର ଗୁରୁତ୍ବକୁ ବୁଝିପାରି ଦେଶରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ସ୍ଥାପନ, ମେଡିକାଲ୍ ସିଟ୍ ସଂଖ୍ୟାରେ ୧୦ ହଜାର ବୃଦ୍ଧି, ପ୍ରତି ଜିଲ୍ଲା ଚିକିତ୍ସାଳୟରେ ଡେ କେୟାର କ୍ୟାନସର୍ ସେଣ୍ଟର୍ ଖୋଲାଯିବ ବୋଲି ଘୋଷଣା କରାଯାଇଛି। ବିତ୍ତୀୟ ନିଅଣ୍ଟକୁ ୪.୪ ପ୍ରତିଶତକୁ ହ୍ରାସ କରିବା ଲାଗି ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଆର୍ଥିକ ଶୃଙ୍ଖଳା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଉଛି। କେନ୍ଦ୍ର ସରକାର ଛଅଟି କ୍ଷେତ୍ରରେ ସଂସ୍କାର ଆଣିବାକୁ ଘୋଷଣା କରିଛନ୍ତି, ଯାହା ଅର୍ଥନୀତିକୁ ତ୍ବରାନ୍ବିତ କରିବାରେ ସହାୟକ ହେବ। ମନ୍ତ୍ରୀଙ୍କ ବେତନ ଓ ଅତିଥି ସତ୍କାର ପାଇଁ ୧୦୨୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସବୁଠୁ ବଡ଼ କଥା ହେଉଛି ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ସରକାର ଅଧିକ ପାଣ୍ଠି ଦେଇ ସ୍ଥାୟିତ୍ବ ପ୍ରତି ସମର୍ପଣ ଦର୍ଶାଇଛନ୍ତି।
ବଜେଟ୍ରେ ସାଧାରଣ ଜନତାଙ୍କ ଉପରେ ନିବେଶ କରିବାକୁ ପ୍ରାଧ୍ୟାନ୍ୟ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ ଭାବନା ଜାଗ୍ରତ କରିବା ଲାଗି ଆସନ୍ତା ୫ ବର୍ଷରେ ସରକାରୀ ସ୍କୁଲ୍ଗୁଡ଼ିକରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ସ୍ଥାପନ ହେବ। ଭାରତନେଟ୍ ପ୍ରକଳ୍ପ ଅଧୀନରେ ସରକାରୀ ମାଧ୍ୟମିକ ସ୍କୁଲ୍ ଓ ଜନ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରାଯିବ। ଭାରତୀୟ ଭାଷାର ପୁସ୍ତକଗୁଡ଼ିକୁ ସ୍କୁଲ୍ ଓ କଲେଜରେ ଡିଜିଟାଲ୍ ମାଧ୍ୟମରେ ଉପଲବ୍ଧ କରିବା ଲାଗି ଭାରତୀୟ ଭାଷା ପୁସ୍ତକ ସ୍କିମ୍ ଘୋଷଣା କରାଯାଇଛି। ‘ମେକ୍ ଫର୍ ଇଣ୍ଡିଆ, ମେକ୍ ଫର୍ ୱାର୍ଲଡ୍’ ବିନିର୍ମାଣ ପାଇଁ ପାଞ୍ଚଟି ଜାତୀୟ ଦକ୍ଷତା ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ। ଆଇଆଇଟିଗୁଡ଼ିକର କ୍ଷମତା ସମ୍ପ୍ରସାରଣ କରାଯିବ। ଶିକ୍ଷା ପାଇଁ ୫୦୦ କୋଟି ଟଙ୍କା ନିବେଶରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)ର ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ। ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ଗୁଡ଼ିକରେ ୧୦ ହଜାର ନୂଆ ସିଟ୍ ଯୋଡ଼ାଯିବ। ଆସନ୍ତା ୫ ବର୍ଷରେ ୭୫ ହଜାର ନୂଆ ସିଟ୍ ଯୋଡ଼ିବାକୁ ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସମସ୍ତ ଜିଲ୍ଲା ହସ୍ପିଟାଲ୍ଗୁଡ଼ିକରେ ତିନି ବର୍ଷ ଭିତରେ ଡେ କେୟାର କ୍ୟାନ୍ସର୍ ସେଣ୍ଟର ଖୋଲାଯିବ। ୨୦୨୫-୨୬ରେ ସେଭଳି ୨୦୦ କେନ୍ଦ୍ର ସ୍ଥାପନ କରାଯିବ।
ନୂଆ ଭାରତୀୟ ଭାଷା ପୁସ୍ତକ ଯୋଜନା
ଶିକ୍ଷା ପାଇଁ ଏଆଇ ଉତ୍କର୍ଷ କେନ୍ଦ୍ର
୧୦,୦୦୦ ନୂଆ ମେଡିକାଲ୍ ସିଟ୍
ଜିଲ୍ଲା ହସ୍ପିଟାଲ୍ରେ ଡେ କେୟାର୍ କ୍ୟାନ୍ସର୍ ସେଣ୍ଟର
ମନ୍ତ୍ରୀ ପରିଷଦର ସଦସ୍ୟ, କ୍ୟାବିନେଟ୍ ସଚିବାଳୟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଦେଶକୁ ଆସୁଥିବା ଅତିଥିମାନଙ୍କ ଆତିଥେୟତା ଓ ମନୋରଞ୍ଜନ ପାଇଁ ବ୍ୟୟ ବାବଦରେ ବଜେଟ୍ ୨୦୨୫-୨୬ରେ ୧୦୨୪.୩୦ କୋଟି ଟଙ୍କା ରଖାଯାଇଛି। ୨୦୨୪-୨୫ରେ ଏଥିପାଇଁ ୧୦୨୧.୮୩ କୋଟି ଟଙ୍କାର ବ୍ୟୟବରାଦ ରହିଥିଲା। ଚଳିତ ବଜେଟ୍ରେ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ଦରମା ବାବଦରେ ୬୧୯.୦୪ କୋଟି ପ୍ରଦାନ କରାଯାଇଛି। ୨୦୨୪-୨୫ରେ ଏହି ରାଶି ୫୪୦.୯୫ କୋଟି ଟଙ୍କା ରହିଥିଲା। କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦରମା, ଭତ୍ତା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅର୍ଥ ଖର୍ଚ୍ଚ ହେବ। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ବ୍ୟୟକୁ ଚଳିତ ବଜେଟ୍ରେ ହ୍ରାସ କରାଯାଇଛି।
ମନ୍ତ୍ରୀଙ୍କ ବେତନ, ଅତିଥି ସତ୍କାର ପାଇଁ ୧୦୨୪ କୋଟି
ଏଥିପାଇଁ ବଜେଟ୍ରେ ୧୮୨.୭୫ କୋଟି ଟଙ୍କା ଦିଆଯାଇଛି। ପୂର୍ବ ବଜେଟ୍ରେ ଏଥିପାଇଁ ୨୭୦.୦୮ କୋଟି ଟଙ୍କା ଦିଆଯାଇଥିଲା। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ପ୍ରାଶାସନିକ ଖର୍ଚ୍ଚ ସମେତ ମହାକାଶ କାର୍ଯ୍ୟକ୍ରମ ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଛି। ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟାଙ୍କ କାର୍ଯ୍ୟାଳୟ ପାଇଁ ୭୦.୧୨ କୋଟି ଟଙ୍କା ଆବଣ୍ଟନ ହୋଇଛି। ପୂର୍ବ ବଜେଟ୍ରେ ଏହା ୬୫.୭୨ କୋଟି ଟଙ୍କା ରହିଥିଲା। କ୍ୟାବିନେଟ୍ ସଚିବାଳୟକୁ ୭୫.୬୮ କୋଟି ଟଙ୍କା ଦିଆଯାଇଛି। ପୂର୍ବ ବଜେଟ୍ରେ ଏହା ୭୩.୯୮ କୋଟି ଟଙ୍କା ରହିଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ୭୦.୯୧ କୋଟି ଟଙ୍କା ଦିଆଯାଇଛି, ଯାହାକି ପୂର୍ବ ବଜେଟ୍ରେ ୬୫.୩୦ କୋଟି ଟଙ୍କା ଦିଆଯାଇଥିଲା। ଆତିଥେୟତା ଓ ମନୋରଞ୍ଜନ ବ୍ୟୟକୁ ପୂର୍ବ ବଜେଟ୍ ଭଳି ୪ କୋଟି ଟଙ୍କାରେ ଅପରିବର୍ତ୍ତିତ ରଖାଯାଇଛି। ପୂର୍ବତନ ରାଜ୍ୟପାଳମାନଙ୍କ ସଚିବାଳୟ ସହାୟକଙ୍କ ବ୍ୟୟ ବାବଦରେ ୧.୮୦ କୋଟି ଟଙ୍କାର ବଜେଟ୍ କରାଯାଇଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଆଗତ କରିଥିବା ବଜେଟ୍ର ମୋଟ ଆକାର ୫୦ ଲକ୍ଷ ୬୫ ହଜାର ୩୪୫ କୋଟି ଟଙ୍କା ରହିଛି। ୨୦୨୪-୨୫ ଆର୍ଥିକବର୍ଷର ବଜେଟ୍ ଆକାର ୪୮ ଲକ୍ଷ ୨୦ ହଜାର ୫୧୨ କୋଟି ଟଙ୍କା ରହିଥିଲା। ଗତ ବଜେଟ୍ ତୁଳନାରେ ଚଳିତ ବଜେଟ୍ର ଆକାର ୨ ଲକ୍ଷ ୪୪ ହଜାର ୮୩୩ କୋଟି ଅଧିକ। କିନ୍ତୁ ୨୦୨୪-୨୫ର ସଂଶୋଧିତ ଅଟକଳରେ ବଜେଟ୍ ରାଶି ୪୭ ଲକ୍ଷ ୧୬ ହଜାର ୪୮୭ କୋଟି ଟଙ୍କାକୁ ହ୍ରାସ ପାଇଥିବା ଆଜି ଉପସ୍ଥାପିତ ବଜେଟ୍ରେ ଜଣାଯାଇଛି। ୫୦ ଲକ୍ଷ ୬୫ ହଜାର ୩୪୫ କୋଟି ଟଙ୍କା ମଧ୍ୟରୁ ସରକାର ୪୨ ଲକ୍ଷ ୭୦ ହଜାର ୨୩୩ କୋଟି ଟଙ୍କା ମୋଟ ଟିକସ ରାଜସ୍ବ ଆକାରରେ ସଂଗ୍ରହ କରିବେ। ସେଥିରୁ କର୍ପୋରେଟ୍ ଟିକସରୁ ୧୦ ଲକ୍ଷ ୮୨ ହଜାର, ଆୟକରରୁ ୧୪ ଲକ୍ଷ ୩୮ ହଜାର, ସୀମା ଶୁଳ୍କରୁ ୨ ଲକ୍ଷ ୪୦ ହଜାର କୋଟି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରୁ ୩ ଲକ୍ଷ ୧୭ହଜାର କୋଟି, ସେବା ଟିକସରୁ ୧୦୦ କୋଟି, ଜିଏସ୍ଟିରୁ ୧୧ ଲକ୍ଷ ୭୮ ହଜାର କୋଟି, କେନ୍ଦ୍ର ଶାସିତ ଅଞ୍ଚଳରୁ ୧୦ ହଜାର ୧୩୩ କୋଟି, ଅନ୍ୟାନ୍ୟ ଟିକସ ବାବଦରେ ୫ ହଜାର କୋଟି ଟଙ୍କା ଆଦାୟ ହେବ। ମୋଟ ରାଜସ୍ବ ଆୟ ୩୪ ଲକ୍ଷ ୨୦ ହଜାର ୪୦୯ କୋଟି ଟଙ୍କା ରହିବ। ଏଥିସହିତ ମୋଟ ପୁଞ୍ଜି ଆୟ ୧୬ ଲକ୍ଷ ୪୨ ହଜାର ୪୫୨ କୋଟି ଟଙ୍କା ରହିବ ବୋଲି ଦର୍ଶାଯାଇଛି।
ଅନ୍ୟପକ୍ଷରେ କେନ୍ଦ୍ର ସରକାର ମୋଟ ବଜେଟ୍ ରାଶି ମଧ୍ୟରୁ ସର୍ବାଧିକ ବ୍ୟୟ କେନ୍ଦ୍ରୀୟ କ୍ଷେତ୍ରର ଯୋଜନା ବା ପ୍ରକଳ୍ପ ବାବଦରେ ହେବ। ଏଥିପାଇଁ ୧୬ ଲକ୍ଷ ୨୧ ହଜାର ୮୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାବ୍ୟତୀତ ଅନ୍ୟ କେନ୍ଦ୍ରୀୟ କ୍ଷେତ୍ର ବ୍ୟୟ ବାବଦରେ ୧୫ ଲକ୍ଷ ୨୬ ହଜାର ୮ କୋଟି, ପ୍ରତିଷ୍ଠାନ ବ୍ୟୟ ବାବଦରେ ୮ ଲକ୍ଷ ୬୮ ହଜାର ୯୬ କୋଟି ବ୍ୟୟ ହେବ। କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦରେ ୫ ଲକ୍ଷ ୪୧ ହଜାର ୮୫୦ କୋଟି, ଅର୍ଥ ଆୟୋଗ ଅନୁଦାନ ବାବଦରେ ୧ ଲକ୍ଷ ୩୨ ହଜାର ୭୬୭ କୋଟି ଓ ଅନ୍ୟାନ୍ୟ ବାବଦରେ ୩ ଲକ୍ଷ ୭୪ ହଜାର ୭୨୫ କୋଟି ଟଙ୍କା ବ୍ୟୟ ହେବ।