କେନ୍ଦ୍ର ବଜେଟ୍ ୨୦୨୫ ଆଜି ଉପସ୍ଥାପନ ହେବାପରେ ଅନେକ ପ୍ରମୁଖ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ଏହାକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ଅନ୍ୟ ପ୍ରମୁଖ ନେତାମାନେ ବିଜେପି ନେତୃତ୍ବାଧୀନ ସରକାର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ମଧ୍ୟବିତ୍ତ ଶ୍ରେଣୀ ସର୍ବଦା ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟରେ: ଅମିତ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୫-୨୬ କେନ୍ଦ୍ର ବଜେଟକୁ ପ୍ରଶଂସା କରିବା ସହ ଏହାକୁ ବିକଶିତ ଭାରତର ବ୍ଲୁପ୍ରିଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି। ସେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ଏବଂ ମଧ୍ୟବିତ୍ତଙ୍କ ପାଇଁ ଏହାର ଲାଭ ଉପରେ ଆଲୋକପାତ କରିବା ସହ ବିଭିନ୍ନ କ୍ଷେତ୍ର ଏବଂ ସଂସ୍କାର ନେଇ ବ୍ୟାପକ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି। ମଧ୍ୟବିତ୍ତ ବର୍ଗ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହୃଦୟରେ ଅଛନ୍ତି। ବଜେଟରେ କୃଷକଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ପୋଷଣ ଓ ସ୍ୱାସ୍ଥ୍ୟ, ଷ୍ଟାର୍ଟଅପ୍ ଠାରୁ ଆରମ୍ଭ କରି ଉଦ୍ଭାବନ ଏବଂ ନିବେଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଶାହ କହିଛନ୍ତି। ଏହା ମୋଦୀଙ୍କ ଆତ୍ମନିର୍ଭର ଭାରତର ରୋଡ୍ ମ୍ୟାପ୍ ବୋଲି ସେ କହିଛନ୍ତି। ପ୍ରସ୍ତାବିତ ଟିକସ ଛାଡ଼ ମଧ୍ୟବିତ୍ତଙ୍କ ଆର୍ଥିକ ଉନ୍ନତିରେ ସହାୟକ ହେବ। ଏହି ଅବସରରେ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ଶାହ ଟ୍ବିଟ୍ କରିଛନ୍ତି। ଦୂରଦର୍ଶୀ ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶାହ କହିଛନ୍ତି, ବଜେଟ୍ ୨୦୨୫ ହେଉଛି ପ୍ରତ୍ୟେକ କ୍ଷେତ୍ରରେ ଏକ ବିକଶିତ ଏବଂ ଶ୍ରେଷ୍ଠ ଭାରତ ଗଠନ ଦିଗରେ ମୋଦୀ ସରକାରଙ୍କ ଦୃଷ୍ଟିକୋଣର ବ୍ଲୁପ୍ରିଣ୍ଟ। ମେଣ୍ଟର ଅନ୍ୟ ଏକ ଦଳ ଟିଡିପି ନେତୃତ୍ବାଧୀନ ଆନ୍ଧ୍ରପ୍ରଦେଶକୁ ନିଷ୍ଠୁର ଭାବେ ଅଣଦେଖା କରାଯାଇଥିବା କଂଗ୍ରେସ କହିଛି।
ବଜେଟ୍ ପ୍ରଗତିଶୀଳ : ନୀତୀଶ କୁମାର
କେନ୍ଦ୍ର ବଜେଟ୍କୁ ପ୍ରଶଂସା କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ବଜେଟ୍ ପ୍ରଗତିଶୀଳ ଏବଂ ଭବିଷ୍ୟମୁଖୀ। ଏହା ରାଜ୍ୟର ବିକାଶ ବୃଦ୍ଧି କରିବାରେ ବେଶ୍ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଉଛି। କୁମାର କହିଛନ୍ତି, ଫକ୍ସନଟ୍ କୃଷି କ୍ଷେତ୍ର ପାଇଁ ସମଗ୍ର ବିଶ୍ବରେ ପରିଚିତ ହୋଇଥିବା ବିହାର ନିମନ୍ତେ ମଖାନା ବୋର୍ଡ ପ୍ରତିଷ୍ଠା ଦ୍ବାରା ଏହି କ୍ଷେତ୍ର ଅଧିକ ସୁଦୃଢ଼ ହେବ। ଗ୍ରିନ୍ଫିଲ୍ଡ ବିମାନବନ୍ଦର ଦ୍ବାରା ରାଜ୍ୟରେ ବିମାନ ଚଳାଚଳ ଦିଗ ଅଧିକ ସୁଦୃଢ଼ ହେବ। ବିଶେଷ କରି ଏହାଦ୍ବାରା ଅନ୍ତର୍ଜାତୀୟ ବିମାନ ଅପରେସନ୍ ବଢ଼ିବ। ଏହାଦ୍ବାରା ଲୋକମାନେ ଉପକୃତ ହେବେ ଏବଂ ରାଜ୍ୟର ଅର୍ଥନୈତିକ ବିକାଶ ବଢ଼ିବ। ସେହିପରି ଆଇଆଇଟି ପାଟନାର କ୍ଷମତା ବୃଦ୍ଧି ଦ୍ବାରା ରାଜ୍ୟରେ ପ୍ରଯୁକ୍ତି ଶିକ୍ଷା ସୁଦୃଢ଼ ହେବ ବୋଲି ନୀତୀଶ କହିଛନ୍ତି।
ସବୁ ବର୍ଗର କଲ୍ୟାଣକୁ ଗୁରୁତ୍ବ : ଚନ୍ଦ୍ରବାବୁ
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ କେନ୍ଦ୍ର ବଜେଟ୍ ୨୦୨୫-୨୬କୁ ପ୍ରଶଂସା କରି ଏହାକୁ ଲୋକାଭିମୁଖୀ ଏବଂ ପ୍ରଗତିଶୀଳ କହିଛନ୍ତି। ଟିଡିପି ସଭାପତି ଏଥିପାଇଁ କେନ୍ଦ୍ର ସରକାର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନାଇଡ଼ୁ କହିଛନ୍ତି, ବଜେଟ୍ରେ ମହିଳା, ଗରିବ, ଯୁବଗୋଷ୍ଠୀ ଏବଂ କୃଷକଙ୍କ କଲ୍ୟାଣ ଉପରେ ଗୁରୁ୍ତ୍ବାରୋପ କରାଯାଇଛି। ପରବର୍ତ୍ତୀ ୫ ବର୍ଷ ପର୍ଯ୍ୟନ୍ତ ୬ଟି ପ୍ରମୁଖ କ୍ଷେତ୍ରର ବିକାଶ ପାଇଁ ଚିହ୍ନଟ କରାଯାଇଛି। ଜାତୀୟ ପ୍ରଗତି ଦିଗରେ ବଜେଟ୍ରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହା ଆମ ଦେଶର ସମୃଦ୍ଧ ଭବିଷ୍ୟତ ପାଇଁ ପ୍ରତିଶ୍ରୁତି ଦେଉଛି। ଦେଶର ଅର୍ଥନୀତିର ମୂଳଦୁଆ ତଥା ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଏହା ଟିକସ ଛାଡ଼ କରୁଛି। ଏହି ବଜେଟ୍କୁ ମୁଁ ସ୍ବାଗତ କରୁଛି।
ବିକଶିତ ଭାରତର ସଂକଳ୍ପକୁ ସୁଦୃଢ଼ କରୁଥିବା ବଜେଟ୍ : ଜେପି ନଡ୍ଡା
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ବଜେଟ୍ ଅତ୍ୟନ୍ତ ନିୟନ୍ତ୍ରିତ ଏବଂ ଏଥିରେ ସମସ୍ତଙ୍କ ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ବିକଶିତ ଭାରତର ସଂକଳ୍ପକୁ ସୁଦୃଢ଼ କରୁଥିବା ବଜେଟ୍। ସମାଜର ପ୍ରତିଟି କ୍ଷେତ୍ରର ବିକାଶ ବୃଦ୍ଧି ପାଇଁ ସମର୍ପିତ ଏହି ବଜେଟ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଶୁଭେଚ୍ଛା। ଦେଶରେ ମଧ୍ୟବିତ୍ତ ପରିବାର ପାଇଁ ଏକ ବଡ଼ ଆଶ୍ବସ୍ତି ପ୍ରଦାନ କରି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ କରାଯାଇଛି। ଏହି ବଜେଟ୍ରେ ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି, କୃଷିକ୍ଷେତ୍ରରେ ବିନିଯୋଗ ଏବଂ ଗ୍ରାମୀଣ ଅଞ୍ଚଳରେ ନିଯୁକ୍ତି ସୁଯୋଗ ଉପରେ ସ୍ବତନ୍ତ୍ର ଫୋକସ୍ କରାଯାଇଛି ବୋଲି ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି।
ବିକାଶ ବୃଦ୍ଧି କରିବ : ରାଜନାଥ ସିଂହ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଦେଶକୁ ବିକଶିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ପୂରଣ କରିବାପାଇଁ ଆସିଥିବା ଚମତ୍କାର ବଜେଟ୍ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଶୁଭେଚ୍ଛା। ଏହି ବଜେଟ୍ ଯୁବଗୋଷ୍ଠୀ, ଗରିବ, କୃଷକ ମହିଳା ଏବଂ ସମାଜର ସବୁ ଶ୍ରେଣୀର ବିକାଶ ବୃଦ୍ଧି କରିବାରେ ସହାୟକ ହେବ। ମଧ୍ୟବିତ୍ତ ଶ୍ରେଣୀଙ୍କ ଅବଦାନକୁ ଦୃଷ୍ଟିରେ ରଖି ଏହି ବଜେଟ୍ ଏକ ଅପ୍ରତ୍ୟାଶିତ ଉପହାର। ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ନିଷ୍ପତ୍ତିକୁ ମୁଁ ହୃଦୟରୁ ସ୍ବାଗତ କରୁଛି। ଏହି ଐତିହାସିକ ବଜେଟ୍ ପାଇଁ ମୁଁ ପୁଣିଥରେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି।
ପ୍ରଗତିଶୀଳ-ଭବିଷ୍ୟମୁଖୀ: ଶାସକ ଦଳ
ଦୁର୍ବଳ ଓ ଦିଗହରା ବଜେଟ୍: ବିରୋଧୀ
ବଜେଟ୍ ୨୦୨୫ରେ ସାଧାରଣ ଜନତା ଏବଂ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ କିଛି ନାହିଁ। ଆଗାମୀ ବିହାର ନିର୍ବାଚନକୁ ମୁଣ୍ଡରେ ରଖି କେନ୍ଦ୍ର ସରକାର ଏହି ବଜେଟ୍ ଆଣିଛନ୍ତି ବୋଲି ବିରୋଧୀ ଦଳ ନେତାମାନେ ଆଜି କହିଛନ୍ତି ଏବଂ ବଜେଟ୍କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ବଜେଟ୍ ଗତ ୧୦ ବର୍ଷ ମଧ୍ୟରେ ସବୁଠାରୁ ଦୁର୍ବଳ ଓ ଦିଗହରା ବୋଲି ଅନେକ ବିରୋଧୀ ଦଳ ନେତା କହିଛନ୍ତି।
ଲୋକଙ୍କୁ ବୋକା ବନାଇବାକୁ ଉଦ୍ୟମ: ଖଡ଼ଗେ
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ସମଗ୍ର ଦେଶ ମୁଦ୍ରାସ୍ଫୀତି, ବେକାରୀ ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ କେନ୍ଦ୍ର ସରକାର କେନ୍ଦ୍ର ବଜେଟ୍ ପାଇଁ ପ୍ରଶଂସା ସାଉଁଟିବା ନିମନ୍ତେ ବ୍ୟସ୍ତ ଅଛନ୍ତି। ଲୋକଙ୍କୁ ବୋକା ବନାଇବାପାଇଁ ଏହି ବଜେଟ୍ ଏକ ଉଦ୍ୟମ ବୋଲି ସେ କହିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ଖଡ଼ଗେ କହିଛନ୍ତି, ଗତ ୧୦ ବର୍ଷ ଧରି ନରେନ୍ଦ୍ର ମୋଦୀ ସରକାର ମଧ୍ୟବିତ୍ତ ଶ୍ରେଣୀଙ୍କଠାରୁ ୫୪.୧୮ ଲକ୍ଷ କୋଟି ଆୟକର ସଂଗ୍ରହ କଲେଣି। ଆଉ ଏବେ ଯେଉଁମାନେ ୧୨ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଥିବେ ସେମାନଙ୍କ ପାଇଁ ଆୟକର ଛାଡ଼ କରିଛନ୍ତି।
ପଶ୍ଚିମବଙ୍ଗ ବଜେଟ୍ରୁ କିଛି ପାଇନି: ଅଭିଷେକ ବାନାର୍ଜୀ
ଟିଏମ୍ସି ଜାତୀୟ ସାଧାରଣ ସମ୍ପାଦକ ଏବଂ ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି, ବଜେଟ୍ରେ ପଶ୍ଚିମବଙ୍ଗ ପାଇଁ କିଛି ନାହିଁ। ସେମାନେ ବିହାର ବିଧାନସଭା ନିର୍ବାଚନକୁ ମୁଣ୍ଡରେ ରଖି ବଜେଟ୍ ଉପସ୍ଥାପନ କରିଛନ୍ତି। ଗତ ବଜେଟ୍ରେ ମଧ୍ୟ ଆନ୍ଧ୍ର ଏବଂ ବିହାର ଉପରେ ଫୋକସ୍ କରାଯାଇଥିଲା। ଗତ ୧୦ ବର୍ଷ ଧରି ପଶ୍ଚିମବଙ୍ଗକୁ କିଛି ମିଳିନି ଏବଂ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।
ଆୟକର ପାଇଁ ଚାକିରି ଦରକାର: ଶଶି ଥରୁର୍
କଂଗ୍ରେସ ସାଂସଦ ଶଶି ଥରୁର୍ ବଜେଟକୁ ନେଇ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଥରୁର କହିଛନ୍ତି, ଚାକିରି ବିନା ଆୟକର କେଉଁଠାରୁ ଆସିବ। ଆପଣମାନଙ୍କୁ ଆୟକର ଛାଡ଼ରୁ ଲାଭବାନ୍ ହେବାପାଇଁ ପ୍ରଥମେ ଆପଣଙ୍କୁ ଚାକିରି କରିବାପାଇଁ ପଡ଼ିବ। ଅର୍ଥମନ୍ତ୍ରୀଙ୍କ ଦ୍ବାରା ବେକାରୀ ସଂକ୍ରାନ୍ତରେ କିଛି କୁହାଯାଇଛି। ଅର୍ଥମନ୍ତ୍ରୀ ଏହି ବିଷୟବସ୍ତୁକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଯାଇଛନ୍ତି ବୋଲି ସେ କହିଛନ୍ତି।
କୋଟିପତିଙ୍କ ଋଣଛାଡ଼ ଶେଷ କରିବା ପାଇଁ ପ୍ରସ୍ତାବ ନାହିଁ: ଅରବିନ୍ଦ କେଜ୍ରିୱାଲ
ଆପ୍ ସୁପ୍ରିମୋ ଆଜି ଉପସ୍ଥାପନ ହୋଇଥିବା କେନ୍ଦ୍ର ବଜେଟ୍କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କେଜ୍ରିୱାଲ କହିଛନ୍ତି, କେନ୍ଦ୍ର ବଜେଟ୍ରେ କୋଟିପତିଙ୍କ ଋଣଛାଡ଼ ଶେଷ କରିବାପାଇଁ କିଛି ପ୍ରସ୍ତାବ ନାହିଁ। କେଜ୍ରିୱାଲ ଦାବି କରିଛନ୍ତି ଯେ କୋଟିପତିଙ୍କ ଋଣଛାଡ଼ ପାଇଁ ଦେଶର ରାଜକୋଷରୁ ଏକ ବଡ଼ ଅଂଶ ଖର୍ଚ୍ଚ ହେଉଛି। ତେଣୁ କୋଟିପତିଙ୍କ ଋଣଛାଡ଼ ବନ୍ଦ କରିବା ପାଇଁ ମୁଁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲି। କିନ୍ତୁ ସେମିତି କିଛି ହେଲାନାହିଁ।
କାହା ପାଇଁ ଏହି ବଜେଟ୍: ଅଖିଳେଶ ଯାଦବ
କେନ୍ଦ୍ର ବଜେଟ୍ ୨୦୨୫ ଉପରେ ପ୍ରତିକ୍ରିୟା ରଖି ସପା (ସମାଜବାଦୀ ପାର୍ଟି) ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି, ଏହି ବଜେଟ୍ କାହାପାଇଁ ଆସିଛି। ଆପଣଙ୍କ ସରକାରଙ୍କର ପରିସ୍ଥିତି ନିୟନ୍ତ୍ରଣ କରିବାର ଦକ୍ଷତା ନାହିଁ। ସହରରେ ଆପଣଙ୍କ ଭିତ୍ତିଭୂମି କ’ଣ ରହିଛି ? ବଜେଟ୍ ତଥ୍ୟ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି କୁମ୍ଭମେଳା ଦଳାଚକଟାରେ କେତେ ମୃତ୍ୟୁ ହେଲା ସେହି ତଥ୍ୟ ଦେବା। କିନ୍ତୁ ତାହା ଦିଆଗଲାନି। କୁମ୍ଭମେଳା ୧୨ ବର୍ଷରେ ଥରେ ପଡ଼େ। କିନ୍ତୁ ସରକାର ହିନ୍ଦୁମାନଙ୍କର ଏହି ମହାପର୍ବ ପାଇଁ ସଠିକ୍ ବ୍ୟବସ୍ଥା କରିବାରେ ବିଫଳ ହୋଇଛନ୍ତି। ଏହା କ’ଣ ଆପଣଙ୍କ ବିକଶିତ ଭାରତ କି (?) ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି। ବଜେଟ୍ରେ ଗରିବଙ୍କ ପାଇଁ କିଛି ନାହିଁ ବୋଲି ସେ କହିଛନ୍ତି।
ବିହାର ପାଇଁ ଅନ୍ୟାୟ ହୋଇଛି: ତେଜସ୍ବୀ ଯାଦବ
ଆର୍ଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି , ସେମାନେ ବିହାର ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ସଂକ୍ରାନ୍ତରେ କିଛି କହିଲେନି। ଉପସ୍ଥାପନ ହୋଇଥିବା ବଜେଟ୍ ବିହାର ପାଇଁ ଅନ୍ୟାୟ। ଗତ ବଜେଟ୍ରେ ଯାହା ଦିଆଯାଇଥିଲା ଚଳିତ ଥର ତାହା ପୁଣିଥରେ ଦିଆଯାଇଛି। ଟ୍ରେନ୍ ଟିକେଟ୍ ବଢ଼ିବାରେ ଲାଗିଛି। ସେଥିରେ ବି କୌଣସି ରିହାନି ଦେଇନାହାନ୍ତି।
ଅଧିକ ରାଜନୈତିକ ସ୍ବାର୍ଥ ରହିଛି : ମାୟାବତୀ
ବହୁଜନ ସମାଜ ପାର୍ଟି (ବିଏସ୍ପି) ସୁପ୍ରିମୋ ମାୟାବତୀ କହିଛନ୍ତି, ବିଜେପି ସରକାରଙ୍କ ବଜେଟ୍ ପୂର୍ବର କଂଗ୍ରେସ ସରକାରଙ୍କ ପରି ଅଧିକ ରାଜନୈତିକ ସ୍ବାର୍ଥ ସହ ଜଡ଼ିତ। ଏଥିରେ ଜନତା ଏବଂ ଦେଶ ପାଇଁ ଖୁବ୍ କମ୍ ଫାଇଦା ରହିଛି। ମାୟାବତୀ କହିଛନ୍ତି, ଦରବୃଦ୍ଧି, ଦାରିଦ୍ରୢ ଏବଂ ବେରୋଜଗାର ସାଙ୍ଗକୁ ରାସ୍ତା, ପାଣି ଏବଂ ଶିକ୍ଷା କ୍ଷେତ୍ରରେ ଲୋକମାନେ ସାମ୍ନା କରୁଥିବା ସମସ୍ୟାର ସମାଧାନ କେନ୍ଦ୍ର ବଜେଟ୍ ଦ୍ବାରା କରାଯାଇଥାନ୍ତା। କିନ୍ତୁ ବଜେଟ୍ରେଏଭଳି କିଛି ଦେଖିବାକୁ ମିଳିନାହିଁ।
ଗୁରୁତ୍ବପୂର୍ଣ୍ଣ ଦିଗକୁ ଅଣଦେଖା: ଜୟରାମ ରମେଶ
ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଅର୍ଥମନ୍ତ୍ରୀ ୪ ଇଞ୍ଜିନ କଥା କହୁଛନ୍ତି ତାହା ହେଲା କୃଷି, ଏମ୍ଏସ୍ଏମ୍ଇ, ବିନିଯୋଗ ଏବଂ ରପ୍ତାନି। କିନ୍ତୁ ଆହୁରି ଅନେକ ଇଞ୍ଜିନ ରହିଛି ଯାହାକୁ ବଜେଟ୍ରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି।