ଏଥର ବଜେଟ୍ରେ ଅର୍ଥମନ୍ତ୍ରୀ ଏକ ଭିନ୍ନ ଦିଗକୁ ଉପସ୍ଥାପନ କରିଛନ୍ତି। ଦେଶର ଗରିବ, ପଛୁଆ ବର୍ଗ ଏବଂ ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି। ଗାଁରେ ବାସ କରୁଥିବା ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି ବଜେଟ୍ରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟକୁ ଦ୍ବିତୀୟ ସର୍ବାଧିକ ଟଙ୍କା ଦିଆଯାଇଛି। ଦିନରାତି ପିଠିରେ ବ୍ୟାଗ୍ ବୋହି ଲୋକମାନଙ୍କ ଘରେ ଭୋଜନ ଓ ବିଭିନ୍ନ ଜିନିଷ ପହଞ୍ଚାଉଥିବା ଗିଗ୍ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଲାଗି ସେମାନଙ୍କ ପାଇଁ ମେଡିକ୍ଲେମ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯିବ। ଏଥି ସହିତ ମହିଳାମାନଙ୍କ ସଶକ୍ତୀକରଣ ଲାଗି ମଧ୍ୟ ବଜେଟ୍ ଅନେକ ଘୋଷଣା କରାଯାଇଛି। ବଜେଟ୍ର ଏହି ସବୁ ଘୋଷଣା ଦେଶର ଦୁର୍ବଳ ବର୍ଗଙ୍କୁ ସବଳ କରିବାରେ ବିଶେଷ ସହାୟକ ହେବ।
ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି
ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ବଜେଟ୍ରେ ୧ ଲକ୍ଷ କୋଟି ଟଙ୍କାର ଅର୍ବାନ ଚାଲେଞ୍ଜ୍ ଫଣ୍ଡ୍ ଗଠନ ଘୋଷଣା କରିଛନ୍ତି। ସହରଗୁଡ଼ିକୁ ବିକାଶ କେନ୍ଦ୍ରରେ ପରିଣତ କରିବା, ସହରଗୁଡ଼ିକୁ ସୃଜନଶୀଳ ଢାଞ୍ଚାରେ ପୁନଃବିକାଶ କରିବା ଏବଂ ଜଳ ଓ ପରିମଳ ପାଇଁ ରହିଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏହି ପାଣ୍ଠି ପ୍ରତିଷ୍ଠା କରାଯାଇଛି। ୨୦୨୫-୨୬ ବଜେଟ୍ରେ ଏଥିପାଇଁ ୧୦ ହଜାର କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସ୍ପେସାଲ ୱିଣ୍ଡୋ ଫର୍ ଆଫର୍ଡେବଲ୍ ଆଣ୍ଡ୍ ମିଡ୍-ଇନ୍କମ୍ ହାଉସିଂ (ସ୍ବାମିହ) ଅଧୀନରେ ୫୦ ହଜାର ବାସଗୃହ ନିର୍ମାଣ କରାଯାଇ ଚାବି ହସ୍ତାନ୍ତର କରାଯାଇଛି। ଆଉ ୪୦ ହଜାର ବାସଗୃହ ଏହା ଅଧୀନରେ ୨୦୨୫ରେ ନିର୍ମାଣ କରାଯିବ। ଏହାର ସଫଳତାକୁ ଆଧାର କରି ସ୍ବାମିହ ପାଣ୍ଠି-୨ ପ୍ରତିଷ୍ଠା କରାଯିବ। ୧୫ ହଜାର କୋଟିର ଏହି ପାଣ୍ଠିରେ ଆଉ ୧ ଲକ୍ଷ ୟୁନିଟ୍ ଘର ନିର୍ମାଣ ଶେଷ କରିବାକୁ ତ୍ବରାନ୍ବିତ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଥିସହିତ ଅର୍ଥମନ୍ତ୍ରୀ ପିଏମ୍ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ପିଏମ୍ ସ୍ବନିଧି)ରେ ପରିବର୍ତ୍ତନ ଘୋଷଣା କରିଛନ୍ତି। ଏହି ଯୋଜନାରେ ବ୍ୟାଙ୍କ ଋଣ ପରିମାଣ ବୃଦ୍ଧି ପାଇବ। ୟୁପିଆଇ ସଂଯୋଜିତ କ୍ରେଡିଟ୍ କାର୍ଡ ପ୍ରଦାନ କରାଯିବ, ଯେଉଁଥିରେ ୩୦ ହଜାର ଟଙ୍କାର ଋଣ ସୀମା ରହିବ। ପିଏମ୍ ସ୍ବନିଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୬୮ ଲକ୍ଷ ରାସ୍ତାକଡ଼ ଦୋକାନୀ ଉପକୃତ ହୋଇଛନ୍ତି।
ଗାଁ ବିକାଶକୁ ଦ୍ବିତୀୟ ସର୍ବାଧିକ ପାଣ୍ଠି
ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୫ରେ ଗ୍ରାମୀଣ ବିକାଶକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ଏହାକୁ ବଜେଟ୍ରେ ଦ୍ବିତୀୟ ସର୍ବାଧିକ ପାଣ୍ଠି ଦିଆଯାଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟକୁ ୨.୬୬ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ୨୦୨୩-୨୪ରେ ମନ୍ତ୍ରଣାଳୟକୁ ୨,୩୮,୯୮୪ କୋଟି ଟଙ୍କା ଦିଆଯାଇଥିବା ବେଳେ ୨୦୨୪-୨୫ରେ ତାହାକୁ ୧,୮୦,୨୨୮ କୋଟି ଟଙ୍କାକୁ ହ୍ରାସ କରାଯାଇଥିଲା। ଗ୍ରାମୀଣ ଅର୍ଥନୀତିରେ ଭାରତୀୟ ଡାକ ପ୍ରମୁଖ ଭୂମିକା ନିର୍ବାହ କରିବ। ତାହା ସାଧାରଣ ଜନତା ଓ ଉଦ୍ୟୋଗଗୁଡ଼ିକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ନଗଦ ରାଶି, ଲଘୁ ଉଦ୍ୟୋଗକୁ ଋଣ, ବୀମା ଓ ଅନ୍ୟାନ୍ୟ ଡିଜିଟାଲ୍ ସେବା ପ୍ରଦାନ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ଦେଶର ୫ ଲକ୍ଷ ପ୍ରଥମ ଥରର ମହିଳା ଉଦ୍ୟୋଗୀ ଏବଂ ଏସ୍ସି ଓ ଏସ୍ଟି ଉଦ୍ୟୋଗୀଙ୍କ ପାଇଁ ୨ କୋଟି ଟଙ୍କାର ଏକ ଟର୍ମ ଋଣ ଯୋଜନା ଘୋଷଣା କରିଛନ୍ତି। ଗ୍ରାମାଞ୍ଚଳର ବିକାଶ ପାଇଁ ଏକ ବହୁକ୍ଷେତ୍ରଭିତ୍ତିକ ‘ଗ୍ରାମୀଣ ସମୃଦ୍ଧି ଏବଂ ସହନଶୀଳତା’ କାର୍ଯ୍ୟକ୍ରମ ରାଜ୍ୟଗୁଡ଼ିକ ସହ ମିଶି ଆରମ୍ଭ ହେବ। କୃଷି କ୍ଷେତ୍ରରେ ଅଳ୍ପ ରୋଜଗାର କରୁଥିବା ବ୍ୟକ୍ତିମାନଙ୍କ ସମସ୍ୟା ଦୂର କରାଯିବ। ସେମାନଙ୍କୁ ତାଲିମ ଦିଆଯାଇ ଦକ୍ଷତା ବଢ଼ାଯିବ। ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ମହିଳା, ଯୁବ କୃଷକ, ଗ୍ରାମୀଣ ଯୁବକ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ, ଭୂମିହୀନ ଚାଷୀଙ୍କ ଉପରେ ପ୍ରାଧାନ୍ୟ ଦିଆଯିବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପାଳନ ହେଉଥିବା ସର୍ବୋତ୍କୃଷ୍ଟ ଅଭ୍ୟାସକୁ କାର୍ଯ୍ୟକାରୀ କରାଯିବ। ବହୁପାକ୍ଷିକ ସଂସ୍ଥାଗୁଡ଼ିକରୁ ଆର୍ଥିକ ସହାୟତା ଅଣାଯିବ। ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ସାମିଲ କରାଯିବ।
ଉପକୃତ ହେବେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ପଛୁଆ ବର୍ଗ
ବଜେଟ୍ରେ ସାମାଜିକ ନ୍ୟାୟ ଓ କଲ୍ୟାଣ ଲାଗି ୩୭.୫ ପ୍ରତିଶତ ଅଧିକ ପାଣ୍ଠି ପ୍ରଦାନ କରାଯାଇଛି। ୨୦୨୫-୨୬ ବଜେଟ୍ରେ ସେଥିପାଇଁ ୧୦,୦୨୬ କୋଟି ଟଙ୍କା ଦିଆଯାଇଛି। ସେଥିରୁ ୧୨୭୫ କୋଟି ଟଙ୍କା ଦିବ୍ୟାଙ୍ଗ କଲ୍ୟାଣରେ ବ୍ୟବହାର କରାଯିବ। ବଜେଟ୍ରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କ କଲ୍ୟାଣ ପ୍ରତି ଧ୍ୟାନ ଦିଆଯାଇଛି। ଏସ୍ସି ବର୍ଗଙ୍କ ପାଇଁ ଶ୍ରେୟସ୍ ଯୋଜନାକୁ ୪୭୨ କୋଟି ଟଙ୍କା ଦିଆଯାଇଛି। ଏସ୍ସିଙ୍କ ପାଇଁ ଜାତୀୟ ଫେଲୋସିପ୍ ବାବଦକୁ ୨୧୨ କୋଟି ଟଙ୍କା, ଏସ୍ସି ଓ ଓବିସିଙ୍କ ପାଇଁ ମାଗଣା କୋଚିଂ ବାବଦକୁ ୨୦ କୋଟି ଟଙ୍କା, ଉଚ୍ଚ ଶିକ୍ଷା ପାଇଁ ୧୧୦ କୋଟି ଟଙ୍କା ଓ ଜାତୀୟ ବିଦେଶ ବୃତ୍ତି ପାଇଁ ୧୩୦ କୋଟି ଟଙ୍କା ଦିଆଯାଇଛି। ଓବିସି ବର୍ଗଙ୍କ ଲାଭ ପାଇଁ ୨୫୦.୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଯଶସ୍ବୀ ଯୋଜନା ବାବଦକୁ ୨୧୯୦ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଦକ୍ଷ ଯୋଜନାକୁ ୧୩୦ କୋଟି ଟଙ୍କା ଏବଂ ନମସ୍ତେ ଯୋଜନାକୁ ୧୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏସ୍ସିଙ୍କ ଲାଗି ମେଟ୍ରିକ୍ ପରବର୍ତ୍ତୀ ବୃତ୍ତି ପାଇଁ ୬୩୬୦ କୋଟି ଟଙ୍କା ଓ ପ୍ରାକ୍ ମାଟ୍ରିକ୍ ବୃତ୍ତି ପାଇ ୫୭୭.୯୬ କୋଟି ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଅଜୟ ଯୋଜନାକୁ ୨୧୪୦ କୋଟି ଟଙ୍କା ଦିଆଯାଇଛି। ଏଡିଆଇପି ସ୍କିମ୍କୁ ୧୬୫ କୋଟି ଟଙ୍କା ଏବଂ ଦିବ୍ୟାଙ୍ଗ ଛାତ୍ରଙ୍କ ବୃତ୍ତି ପାଇଁ ୧୪୫ କୋଟି ଟଙ୍କାର ଆବଣ୍ଟନ କରାଯାଇଛି। ଅଟଳ ଭୟୋ ଅଭ୍ୟୁଦୟ ଯୋଜନା ପାଇଁ ୨୮୯ କୋଟି ଟଙ୍କା ଦିଆଯାଇଛି।
ଲଗାତାର ଅଷ୍ଟମ ବଜେଟ୍, ୭୪ ମିନିଟ୍ ପଢ଼ିଲେ
ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଲଗାତାର ୬ ବଜେଟ୍ ଉପସ୍ଥାପନ କରିଥିଲେ। ନିର୍ମଳା ସେହି ରେକର୍ଡ ପୂର୍ବରୁ କାଟି ସାରିଛନ୍ତି। ସେ ଏଥର ନିଜର ଲଗାତାର ଅଷ୍ଟମ୍ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୫-୨୬ ବଜେଟ୍ ଅଭିଭାଷଣକୁ ସେ ୭୪ ମିନିଟ୍ ପର୍ଯ୍ୟନ୍ତ ପଢ଼ିଥିଲେ। ସେଥିରେ ୭୯୦୦ଟି ଶବ୍ଦ ଥିଲା। ସେ ପଢ଼ିବା ବେଳେ ପାଞ୍ଚ ଥର ପାଣି ପିଇଥିଲେ। ୨୦୨୪ର ଅନ୍ତରୀଣ ବଜେଟ୍ ଅଭିଭାଷଣ ଥିଲା ନିର୍ମଳାଙ୍କ ସବୁଠୁ ଛୋଟ ବଜେଟ୍ ଯାହା ୫୮ ମିନିଟ୍ରେ ଶେଷ ହୋଇଥିଲା। ୨୦୨୦ରେ ନିର୍ମଳା ନିଜର ସବୁଠୁ ଲମ୍ବା ବଜେଟ୍ ଭାଷଣ ପଢ଼ିଥିଲେ ଯାହା ଥିଲା ଦୀର୍ଘ ୨ ଘଣ୍ଟା ୪୦ ମିନିଟ୍। ସବୁଠୁ ସଂକ୍ଷିପ୍ତ ଭାଷଣ ହିରୁଭାଇ ମୁଲିକିଭାଇ ପଟେଲ୍ଙ୍କ ନାମରେ ରହିଛି। ୧୯୭୭ରେ ସେ ଉପସ୍ଥାପନ କରିଥିବା ସେହି ଭାଷଣରେ ଥିଲା ମାତ୍ର ୮୦୦ଟି ଶବ୍ଦ। କିନ୍ତୁ ଶବ୍ଦ ଦୃଷ୍ଟିରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ୧୯୯୧ର ଭାଷଣ ସବୁଠୁ ଲମ୍ବା ଥିଲା। ସେଥିରେ ୧୮୬୫୦ ଶବ୍ଦ ଥିଲା।
ଗିଗ୍ ଶ୍ରମିକଙ୍କୁ ମେଡିକ୍ଲେମ୍
ଡେଲିଭରି ଏଜେଣ୍ଟ୍ ଭଳି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଲାଗି ମେଡିକ୍ଲେମ୍ ଘୋଷଣା କରାଯାଇଛି। ସେମାନଙ୍କ ଲାଗି ପରିଚୟପତ୍ର ଜାରି କରାଯିବ। ସେମାନଙ୍କୁ ଇ-ଶ୍ରମ ପୋର୍ଟାଲ୍ରେ ସାମିଲ କରଯିବ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ସେମାନଙ୍କୁ ସ୍ବାସ୍ଥ୍ୟ ସେବା ସୁବିଧା ମିଳିବ। ଏହି ପଦକ୍ଷେପ ଦ୍ବାରା ୧ କୋଟି ଗିଗ୍ ଶ୍ରମିକ ଉପକୃତ ହେବେ। ଘରୋଇ ସରକାରୀ ସହଭାଗିତାରେ ଅନ୍ଲାଇନ୍ ପ୍ଲାଟଫର୍ମ ପାଇଁ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଲାଗି ସାମାଜିକ ସୁରକ୍ଷା ସ୍କିମ୍ କାର୍ଯ୍ୟକାରୀ କରାଯିବ। ସେହି ମଡେଲ୍ ଗ୍ରହଣ କରିବା ଲାଗି ରାଜ୍ୟଗୁଡ଼ିକୁ ଉତ୍ସାହିତ କରାଯିବ। ଭିତ୍ତିଭୂମି ପ୍ରକଳ୍ପ ବିକାଶ ପାଣ୍ଠି ଯୋଜନାରୁ ଅର୍ଥ ଆଣି ସେଥିପାଇଁ ପ୍ରଦାନ କରାଯିବ।