ଫାଇଦାରେ

Advertisment

ମଧ୍ୟବିତ୍ତ ଶ୍ରେଣୀ: ମଧ୍ୟବିତ୍ତ ଟିକସଦାତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଦେଇ ବଜେଟରେ ନୂଆ ଟିକସ ବ୍ୟବସ୍ଥା ଅଧୀନରେ ନୂତନ ଟିକସ ସ୍ଲାବ୍ ଘୋଷଣା ହୋଇଛି। ଏହି ସଂଶୋଧିତ ଢାଞ୍ଚାରେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଟିକସ ବୋଝ ହ୍ରାସ କରାଯାଇଛି। ବେତନଭୋଗୀ ବ୍ୟକ୍ତିମାନେ ଷ୍ଟାଣ୍ଡାର୍ଡ ଡିଡକ୍ସନ ସମେତ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତିରୁ ଉପକୃତ ହେବେ।
ବିହାର: ପାଟନା ବିମାନବନ୍ଦରର ସମ୍ପ୍ରସାରଣ ସହିତ ଏକ ମାଖନା ବୋର୍ଡ ଏବଂ ନୂତନ  ବିମାନବନ୍ଦର ପ୍ରତିଷ୍ଠା ଘୋଷଣା କରାଯାଇଛି।  ଏହାବ୍ୟତୀତ ପୂର୍ବାଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣକୁ ବଢ଼ାଇବା ପାଇଁ ଜାତୀୟ ଖାଦ୍ୟ ପ୍ରଯୁକ୍ତି ବିଦ୍ୟା, ଉଦ୍ୟୋଗ ଓ ପରିଚାଳନା ପ୍ରତିଷ୍ଠାନ ଗଠନ ବିଷୟରେ ଘୋଷଣା ହୋଇଛି। ପଶ୍ଚିମ କୋଶି କେନାଲ ଇଆର୍‌ଏମ୍‌ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଏହା ଦ୍ବାରା ବିହାର ଉକୃତ ହେବ।

କୃଷି: ବଜେଟ୍‌ରେ ୧୭ ନିୟୁତ କୃଷକଙ୍କ ପାଇଁ ଋଣ ସୁବିଧା ଏବଂ ଡାଲି ପାଇଁ ୬ ବର୍ଷିଆ ଆତ୍ମନିର୍ଭରଶୀଳତା ଅଭିଯାନ ଆରମ୍ଭ କରିବା ଯୋଜନା ଘୋଷଣା କରାଯାଇଛି। କିଷାନ କ୍ରେଡିଟ୍‌ କାର୍ଡରେ ଋଣ ସୀମା ବଢ଼ାଯାଇଛି। ମଞ୍ଜି ଓ କପା ମିସନ ଆରମ୍ଭ କରାଯିବ।

ବିନିର୍ମାଣ: ଭାରତକୁ ଖେଳନା ଉତ୍ପାଦନରେ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ସ୍ଥାନିତ କରିବା ସହିତ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ) ପାଇଁ ଟାର୍ଗେଟ ପଦକ୍ଷେପ ଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଘରୋଇ ଉତ୍ପାଦନ ବଢ଼ାଇବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି।

ଯୁବବର୍ଗ ଓ ଶିକ୍ଷା: ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନଗୁଡ଼ିକରେ ଦକ୍ଷତା ବୃଦ୍ଧି ଏବଂ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଉତ୍କର୍ଷ କେନ୍ଦ୍ର  ପ୍ରତିଷ୍ଠା ଯୋଜନା ସହିତ ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ମିଳିଛି। ସରକାର ମେଡିକାଲ କଲେଜଗୁଡ଼ିକରେ ସିଟ୍ ବଢ଼ାଇବେ।

ଷ୍ଟାର୍ଟଅପ୍: ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ୧୦,୦୦୦ କୋଟି ଟଙ୍କାର ପାଣ୍ଠି ମିଳିବ ଯାହା ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅଧିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ।

ନିରାଶ

ରେଳବାଇ: ଆଧୁନିକୀକରଣ, ବିଦ୍ୟୁତ୍‌କରଣ ଏବଂ ନୂତନ ମାର୍ଗରେ ବ୍ୟାପକ ପୁଞ୍ଜିନିବେଶ ଆଶା ସତ୍ତ୍ୱେ ରେଳ କ୍ଷେତ୍ରକୁ ଉଲ୍ଲେଖନୀୟ ଆବଣ୍ଟନ ମିଳିନାହିଁ। ମୁଖ୍ୟ କ୍ଷେତ୍ରକୁ ଆର୍ଥିକ ବର୍ଷ ୨୦୨୬ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କାର ଆବଣ୍ଟନ ମିଳିଥିବା ବେଳେ ପୂର୍ବ ବର୍ଷ ଏହା ୨.୬୨ ଲକ୍ଷ କୋଟି ଟଙ୍କା ଥିଲା। ଏହା ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକୁ ମନ୍ଥର କରିବ ଏବଂ ପ୍ରମୁଖ ଅଂଶୀଦାରମାନଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି। 

ପ୍ରତିରକ୍ଷା: ଜାତୀୟ ନିରାପତ୍ତାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ବଜେଟ୍‌ରେ ପ୍ରତିରକ୍ଷା ଖର୍ଚ୍ଚରେ ସାମାନ୍ୟ ବୃଦ୍ଧି କରାଯାଇଛି ଯାହା ଆଧୁନିକୀକରଣ, କ୍ରୟ ଏବଂ ଗବେଷଣା ପାଣ୍ଠି ପାଇଁ ଶିଳ୍ପ ଆଶାଠାରୁ କମ୍ ରହିଛି। ପ୍ରତିରକ୍ଷା ଖର୍ଚ୍ଚ ବାବଦରେ ୬,୮୧,୨୧୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଯାହା ଗତ ବର୍ଷ ଜୁଲାଇରେ ମୋଦୀଙ୍କ ତୃତୀୟ ପାଳି ପ୍ରଥମ ବଜେଟରେ ଘୋଷଣା କରାଯାଇଥିବା ୬.୨୧ ଲକ୍ଷ କୋଟି ଟଙ୍କା ତୁଳନାରେ ସାମାନ୍ୟ ଅଧିକ।

କର୍ପୋରେଟ୍‌ ଜଗତ: ପ୍ରମୁଖ ଟିକସ ପ୍ରୋତ୍ସାହନ ଏବଂ ବ୍ୟବସାୟ ଅନୁକୂଳ ସଂସ୍କାର ପ୍ରାୟତଃ ନ ଥିବାରୁ କର୍ପୋରେଟ୍ ଜଗତ ନିରାଶ ହୋଇଛି। ଏମ୍ଏସ୍ଏମ୍ଇଗୁଡ଼ିକ ପ୍ରତି କିଛି ଧ୍ୟାନ ଆକର୍ଷଣ କରିଥିବା ବେଳେ ବଡ଼ ଶିଳ୍ପ ଏବଂ ବହୁରାଷ୍ଟ୍ରୀୟ ନିଗମଗୁଡ଼ିକ ପାଇଁ ବିଶେଷ କିଛି ନାହିଁ। 

ଭିତ୍ତିଭୂମି ଏବଂ ନିର୍ମାଣ: ସରକାରଙ୍କ ପୁଞ୍ଜି ବ୍ୟୟ ଆବଣ୍ଟନ ଗତବର୍ଷ ତୁଳନାରେ ୧%ରୁ କମ୍ ବୃଦ୍ଧି ପାଇଛି ଯାହା ବଜାର ଆଶାଠାରୁ କମ୍। ପୁଞ୍ଜି ବ୍ୟୟ କମ୍ ହୋଇଥିବାରୁ ଭିତ୍ତିଭୂମି ଓ ନିର୍ମାଣ କ୍ଷେତ୍ର ପ୍ରଭାବିତ ହେବା ଆଶଙ୍କା ରହିଛି।

ତୈଳ ଓ ବିଶୋଧନ: ତୈଳ ମନ୍ତ୍ରଣାଳୟକୁ ବଜେଟ୍‌ରେ କୌଣସି ପ୍ରକାର ସୁବିଧା ଦିଆଯାଇନାହିଁ। ତୈଳ କମ୍ପାନିଗୁଡ଼ିକର କ୍ଷତି ଭରଣା କରିବା ଲାଗି ଘୋଷଣା ହୋଇନାହିଁ। ପେଟ୍ରୋଲିୟମ୍ କ୍ଷେତ୍ର ଲାଗି ସବ୍‌ସିଡିକୁ ୧୨,୧୦୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି। 

ସ୍ୱାସ୍ଥ୍ୟ ସେବା: ଭାରତ ଜିଡିପିର ମାତ୍ର ୩.୩% ସ୍ବାସ୍ଥ୍ୟ କ୍ଷେତ୍ରରେ ନିବେଶ କରୁଛି ଯାହା ଚୀନ୍‌ର ୫.୪% ଏବଂ ଆମେରିକାର ୧୬% ତୁଳନାରେ ବହୁତ କମ୍ । ନୂତନ ସ୍ୱାସ୍ଥ୍ୟସେବା ପଦକ୍ଷେପ କିମ୍ବା ବଜେଟ୍ ସହାୟତାର ଅଭାବ ଏହି କ୍ଷେତ୍ରରେ ନିବେଶକମାନଙ୍କୁ ନିରାଶ କରିଛି।

ବିତ୍ତୀୟ ନିଅଣ୍ଟ ୪.୪%ରେ ଧାର୍ଯ୍ୟ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ମୋଟ ୫୦ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି। ବ୍ୟୟ ହେବାକୁ ଥିବା ଉକ୍ତ ରାଶି ମଧ୍ୟରୁ ସରକାର ଋଣ ବାଦ୍‌ ଅନ୍ୟାନ୍ୟ ମାଧ୍ୟମରୁ ୩୪ ଲକ୍ଷ ୯୬ ହଜାର କୋଟି ଟଙ୍କା ପାଇବେ। ନିଟ୍‌ ଟିକସ ରାଜସ୍ବ ୨୮ ଲକ୍ଷ ୩୭ ହଜାର ଟଙ୍କା ରହିବ। ସରକାରଙ୍କ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୪.୪%ରେ ରଖିବା ପାଇଁ ବଜେଟ୍‌ରେ ଧାର୍ଯ୍ୟ କରାଯାଇଛି। ୨୦୨୪-୨୫ର ସଂଶୋଧିତ ଅଟକଳରେ ବିତ୍ତୀୟ ନିଅଣ୍ଟ ଜିଡିପିର ୪.୮ ପ୍ରତିଶତ ରହିଛି। ବିତ୍ତୀୟ ନିଅଣ୍ଟକୁ ଭରଣା କରିବା ପାଇଁ ସରକାର ନିଟ୍‌ ବଜାର ଋଣ ବାବଦରେ ୧୧ ଲକ୍ଷ ୫୪ ହଜାର କୋଟି ଟଙ୍କା ସଂଗ୍ରହ କରିବେ। ଅବଶିଷ୍ଟ ଅର୍ଥ ସ୍ବଳ୍ପ ସଞ୍ଚୟ ଓ ଅନ୍ୟାନ୍ୟ ସୂତ୍ରରୁ ସଂଗ୍ରହ କରାଯିବ। ତେବେ ମୋଟ ବଜାର ଋଣ ୧୪ ଲକ୍ଷ ୮୨ ହଜାର କୋଟି ଟଙ୍କାରେ ରଖାଯାଇଛି।

୬ଟି କ୍ଷେତ୍ରରେ ସଂସ୍କାର ଆସିବ
ବଜେଟ୍‌ରେ ୬ଟି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଯୋଜନା କରିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ଏସବୁ କ୍ଷେତ୍ର ଦେଶର ବିକାଶକୁ ଆଗକୁ ବଢ଼ାଇବ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆମକୁ ଅଧିକ ପ୍ରତିଯୋଗୀକ୍ଷମ କରିବ। ସେହି ୬ଟି କ୍ଷେତ୍ର ହେଲା ଟିକସ, ଶକ୍ତି, ସହରାଞ୍ଚଳ ବିକାଶ, ଖଣି, ଆର୍ଥିକ କ୍ଷେତ୍ର ଏବଂ ନିୟାମକ ସଂସ୍କାର ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଉଲ୍ଲେଖ କରିଛନ୍ତି।
ବିହାରକୁ ଅଜାଡ଼ିଦେଲେ
ଚଳିତବର୍ଷ ନଭେମ୍ବର ବେଳକୁ ବିହାର ବିଧାନସଭା ପାଇଁ ନିର୍ବାଚନ ହେବାକୁ ଅଛି। ଏଠାରେ ବିଜେପି ଏବଂ ନୀତୀଶ କୁମାରଙ୍କ ଜେଡି(ୟୁ) ମେଣ୍ଟ ବିଜୟୀ ହେବା ପାଇଁ ବଜେଟ୍‌ରେ କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ‌ନେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକାଧିକ ପ୍ରକଳ୍ପ ଆଜି ବଜେଟ୍‌ରେ ଘୋଷଣା କରିଛନ୍ତି। ଏକ ନୂଆ ମାଖନା ବୋର୍ଡ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫୁଡ୍ ଟେକ୍ନୋଲୋଜି, ଏଣ୍ଟରପ୍ରେନ୍ୟୁୟରସିପ୍ ଆଣ୍ଡ୍‌ ମ୍ୟାନେଜ‌୍‌ମେଣ୍ଟ୍‌ ଘୋଷଣା କରାଯାଇଛି। ଏଥିସହିତ ପାଟନା ବିମାନବନ୍ଦରର ସଂପ୍ରସାରଣ ସହିତ ଆଉ ଏକ ନୂଆ ବିମାନ ବନ୍ଦର ସ୍ଥାପନ, ମିଥିଳାଞ୍ଚଳର ବିକାଶ ପାଇଁ ୱେଷ୍ଟ କୋଶୀ କେନାଲ ପ୍ରକଳ୍ପକୁ ପାଣ୍ଠି ପ୍ରଦାନ  ଘୋଷଣା କରାଯାଇଛି। ମାଖନା ଚାଷୀମାନଙ୍କୁ ତାଲିମ ପ୍ରଦାନ କରିବା ସହିତ ଅନ୍ୟାନ୍ୟ ସହାୟତା ଦିଗରେ ମାଖନା ବୋର୍ଡ କାର୍ଯ୍ୟ କରିବ।