ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ଆଣବିକ ଶକ୍ତି କ୍ଷେତ୍ରକୁ ଘରୋଇ କମ୍ପାନିମାନଙ୍କ ପାଇଁ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ୨୦୩୩ ସୁଦ୍ଧା ପାଞ୍ଚଟି କ୍ଷୁଦ୍ର ଏବଂ ମଡ୍ୟୁଲାର ରିଆକ୍ଟର ସ୍ଥାପନ କରିବା ଲକ୍ଷ୍ୟରେ ଏହି କ୍ଷେତ୍ରରେ ଗବେଷଣା ପାଇଁ ୨୦,୦୦୦ କୋଟି ଟଙ୍କାର ଆଣବିକ ଶକ୍ତି ମିସନ ଘୋଷଣା କରିଛନ୍ତି। ୨୦୪୭ ସୁଦ୍ଧା ଅତି କମରେ ୧୦୦ ଗିଗାୱାଟ୍ ଆଣବିକ ଶକ୍ତି ଉତ୍ପାଦନ ଭାରତର ସ୍ବଚ୍ଛ ଶକ୍ତି ଆଡ଼କୁ ରୂପାନ୍ତର ପାଇଁ ଜରୁରୀ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଦେଶରେ ବର୍ତ୍ତମାନ ୮.୧ ଗିଗାୱାଟ୍ର ଆଣବିକ ଶକ୍ତି ଉତ୍ପାଦନ ହେଉଛି। ସାରା ଦେଶରେ ୨୪ଟି ଆଣବିକ ଶକ୍ତି କେନ୍ଦ୍ର ରହିଛି। ୨୦୩୨ ସୁଦ୍ଧା ତାହା ୨୦ ଗିଗାୱାଟ୍କୁ ବୃଦ୍ଧି ପାଇବା ଆଶା କରାଯାଉଛି।
୨୫ ପ୍ରକାର କ୍ରିଟିକାଲ୍ ମିନେରାଲ୍ ଉପରୁ ମୌଳିକ ସୀମା ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼
ବୁଣା ହୋଇଥିବା ଫ୍ୟାବ୍ରିକ୍ ଉପରେ ମୌଳିକ ସୀମା ଶୁଳ୍କ ୧୦ ପ୍ରତିଶତରୁ ୨୦ ପ୍ରତିଶତକୁ ସଂଶୋଧନ କରାଯାଇଛି। କେଜି ପିଛା ୧୧୫ ଟଙ୍କା କିମ୍ବା ଟିକସ ଯାହା ଅଧିକ ତାହା ଲାଗୁ ହେବ
ଇଣ୍ଟରଆକ୍ଟିଭ୍ ଫ୍ଲାଟ୍ ପ୍ୟାନେଲ୍ ଡିସ୍ପ୍ଲେ ଉପରେ ମୌଳିକ ସୀମା ଶୁଳ୍କକୁ ୧୦ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ ଏବଂ ଓପନ୍ ସେଲ୍ ଓ ଅନ୍ୟାନ୍ୟ ଉପକରଣରେ ୫ ପ୍ରତିଶତକୁ ବୃଦ୍ଧି କରାଯାଇଛି
କ୍ୟାପିଟାଲ୍ ଗୁଡ୍ସର ଛାଡ଼ ତାଲିକାରେ ଇଭି ବ୍ୟାଟେରି ଉତ୍ପାଦନ ଲଗି ୩୫ ଅତିରିକ୍ତ କ୍ୟାପିଟାଲ୍ ଗୁଡ୍ସ ଓ ମୋବାଇଲ୍ ଫୋନ୍ ବ୍ୟାଟେରି ନିର୍ମାଣ ପାଇଁ ୨୮ ଅତିରିକ୍ତ କ୍ୟାପିଟାଲ୍ ଗୁଡ୍ସକୁ ସାମିଲ କରାଯାଇଛି
ଜାହାଜ ନିର୍ମାଣ ପାଇଁ କଞ୍ଚାମାଲ, ଉପକରଣ, କଞ୍ଜ୍ୟୁମେବଲ୍ ଓ ଯନ୍ତ୍ରାଂଶ ଉପରୁ ମୌଳିକ ସୀମା ଶୁଳ୍କ ୧୦ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯାଇଛି
କ୍ୟାରିୟର ଗ୍ରେଡ୍ ଇଥରନେଟ୍ ସ୍ବିଚ୍ ଉପରେ ମୌଳିକ ସୀମା ଶୁଳ୍କ ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି। ଜାହାଜ ଭାଙ୍ଗିବା ଉପରେ ମଧ୍ୟ ସେହି ନିଷ୍ପତ୍ତି ଲାଗୁ ହେବ
ହସ୍ତତନ୍ତରେ ଶୁଳ୍କ ମୁକ୍ତ ଇନ୍ପୁଟ୍ ତାଲିକାରେ ୯ଟି ସାମଗ୍ରୀ ସାମିଲ କରାଯାଇଛି
ୱେଟ୍ ବ୍ଲୁ ଚମଡ଼ା ଉପରୁ ସୀମା ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି
କ୍ରଷ୍ଟ ଚମଡ଼ା ଉପରୁ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଉଚ୍ଛେଦ କରାଯାଇଛି
ଫ୍ରୋଜେନ୍ ଫିସ୍ ପେଷ୍ଟ୍ ଉପରୁ ମୌଳିକ ସୀମା ଶୁଳ୍କ ୩୦%ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି
ମାଛ ଖାଦ୍ୟରେ ବ୍ୟବହୃତ ଫିସ୍ ହାଇଡ୍ରୋଲାଇସେଟ୍ ଉପରୁ ମୌଳିକ ସୀମା ଶୁଳ୍କକୁ ୧୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।
ବିମାନବନ୍ଦର ଓ ଜାହାଜ ରକ୍ଷଣାବେକ୍ଷଣ, ମରାମତି ଓ ଓଭରହାଉଲ୍ (ଏମ୍ଆର୍ଓ) ଭଳି ସୁବିଧାକୁ ରେଳବାଇକୁ ପ୍ରଦାନ କରାଯିବ
୪ ଲକ୍ଷ ନା ୧୨ ଲକ୍ଷ ଦ୍ବନ୍ଦ୍ବ
ଅର୍ଥମନ୍ତ୍ରୀ ବଜେଟ୍ ୨୦୨୫-୨୬ରେ ୧୨ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି। ବେତନଭୋଗୀ ହୋଇଥିଲେ ଏହି ସୀମା ୧୨ ଲକ୍ଷ ୭୫ ହଜାର ଟଙ୍କାକୁ ବୃଦ୍ଧି ପାଇବ। ଏଥିରେ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ମିଶାଯାଇଛି। କିନ୍ତୁ ଅନ୍ୟପଟେ ସର୍ବନିମ୍ନ ଆୟକର ସ୍ଲାବକୁ ୩ ଲକ୍ଷ ପରିବର୍ତ୍ତେ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଅର୍ଥାତ୍ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ୨୦୨୪-୨୫ ବଜେଟ୍ରେ ଏହି ସୀମା ୩ ଲକ୍ଷ ଟଙ୍କାରେ ରଖାଯାଇଥିଲା। ତେଣୁ ପ୍ରକୃତରେ କେତେ ଆୟ ଉପରେ ଆୟକର ଦେବାକୁ ପଡ଼ିବ ନାହିଁ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଛି। ତେବେ ଏହାକୁ ବୁଝିବା ପାଇଁ ଏଠାରେ ଏକ ଉଦାହରଣ ଦିଆଯାଇଛି। ଧରନ୍ତୁ ଆପଣ ୫୦ ଲକ୍ଷ ଟଙ୍କା ବର୍ଷକୁ ରୋଜଗାର କରୁଛନ୍ତି। ଏହାହେଲେ ଘୋଷଣା ହୋଇଥିବା ବିଭିନ୍ନ ଟିକସ ସ୍ଲାବ ଓ ହାର ଆଧାରରେ ଆପଣଙ୍କ ଆୟକର ନିର୍ଦ୍ଧାରଣ ହେବ। ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ। ୪ ଲକ୍ଷରୁ ୮ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ, ୮ ଲକ୍ଷରୁ ୧୨ ଲକ୍ଷ ଟଙ୍କାର ଆୟ ଉପରେ ୧୦ ପ୍ରତିଶତ, ୧୨ ଲକ୍ଷରୁ ୧୬ ଲକ୍ଷ ଟଙ୍କା ଉପରେ ୧୫ ପ୍ରତିଶତ, ୧୬ରୁ ୨୦ ଲକ୍ଷ ଟଙ୍କା ଉପରେ ୨୦ ପ୍ରତିଶତ, ୨୦ରୁ ୨୪ ଲକ୍ଷ ଟଙ୍କା ଉପରେ ୨୫ ପ୍ରତିଶତ ଏବଂ ୨୪ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଦେବାକୁ ହେବ। ଏହିଭଳି ଭାବେ ଆୟକର ହିସାବ ହେବ।
ସିଂଘାଣିଆ ଆଣ୍ଡ୍ କମ୍ପାନିର ପାର୍ଟନର ରିତିକା ନାୟାର କହିଛନ୍ତି ଯେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ହିସାବ ହେବନାହିଁ। କିନ୍ତୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ଟିକସମୁକ୍ତ ରହିବେ ଅର୍ଥ ତାଙ୍କୁ ୮୭ଏ ଧାରାରେ ରିହାତି ମିଳିବ। ସ୍ଲାବ ଅନୁସାରେ ଟିକସ ହିସାବ ସମୟରେ ପ୍ରଦାନ କରାଯାଉଥିବା ରିବେଟ୍ ଜରିଆରେ ଚୂଡ଼ାନ୍ତ ଆୟକର ବୋଝ କିଛି ରହିବ ନାହିଁ ବୋଲି ସେ କହିଛନ୍ତି।
ସେନ୍ସେକ୍ସ, ନିଫ୍ଟି ଖସିଲା
ଶନିବାର ବଜେଟ୍ ଥିବାରୁ ଦେଶର ଦୁଇ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଖୋଲିଥିଲା। ଆଜି କିନ୍ତୁ କାରବାରରେ ବିଶେଷ ଉତ୍ସାହ ଦେଖିବାକୁ ମିଳିନଥିଲା। ମଧ୍ୟବିତ୍ତଙ୍କୁ ଟିକସ ରିହାତି ସତ୍ତ୍ବେ କାରବାର ଅସ୍ଥିର ରହିଛି। ଏହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୫ ପଏଣ୍ଟ ବୃଦ୍ଧି ପାଇ ୭୭,୫୦୫ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୬ ପଏଣ୍ଟ ହ୍ରାସ ପାଇ ୨୩,୪୮୨ ପଏଣ୍ଟରେ ବନ୍ଦ ହୋଇଛି। ଆଜି କାରବାର ବେଳେ ଏକ ସମୟରେ ସେନ୍ସେକ୍ସ ୪୯୪ ପଏଣ୍ଟ ତଳକୁ ଖସି ୭୭,୦୦୬ ପଏଣ୍ଟ ସ୍ତରକୁ ପଳାଇଥିଲା। ନିଫ୍ଟି ମଧ୍ୟ ୧୬୨ ପଏଣ୍ଟ ହ୍ରାସ ପାଇ ୨୩,୩୪୬ ପଏଣ୍ଟରେ ପହଞ୍ଚିଥିଲା। କିନ୍ତୁ କାରବାର ଶେଷ ବେଳକୁ ସେଥିରେ ସୁଧାର ଘଟିଥିଲା।