ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଚଳିତମାସ ୨୨ ତାରିଖରୁ ଆରମ୍ଭ ହେବ। ଏହା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୨୩ ତାରିଖରେ କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ସୂଚନା ଦେଇଛନ୍ତି। ଉଭୟ ଗୃହର ଅଧିବେଶନ ଆରମ୍ଭ ନେଇ ଦିଆଯାଇଥିବା ପ୍ରସ୍ତାବକୁ ରାଷ୍ଟ୍ରପତି ମଞ୍ଜୁରି ଦେଇଛନ୍ତି ବୋଲି ସେ କହିଛନ୍ତି। ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ଉପସ୍ଥାପନ କରିବେ। କ୍ରମାଗତଭାବେ ଏହା ତାଙ୍କର ସପ୍ତମ ବଜେଟ୍ ଉପସ୍ଥାପନ। ଏହାଦ୍ବାରା ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସହ ସମକକ୍ଷ ହେବେ।
କ୍ରମାଗତ ସପ୍ତମ ଥର ପାଇଁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା
ମୋରାରଜୀ ଦେଶାଇଙ୍କ ସମକକ୍ଷ ହେବେ
ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ରେ ସରିବ ବଜେଟ୍ ଅଧିବେଶନ
ନିର୍ମଳା ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ହୋଇଥିବାବେଳେ ୨୦୧୯ ମସିହାରୁ ସେ ବଜେଟ୍ ଉପସ୍ଥାପନ କରିଆସୁଛନ୍ତି। ଗତ ଫେବ୍ରୁଆରି ପହିଲାରେ ଆସିଥିବା କାମଚଳା ବଜେଟ୍କୁ ମିଶାଇ ନିର୍ମଳା ୬ଟି ବଜେଟ୍ ଆଗତ କରିସାରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲି, ପି ଚିଦମ୍ବରମ, ଯଶୱନ୍ତ ସିହ୍ନା କ୍ରମାଗତଭାବେ ୫ଟି ଲେଖାଏଁ ବଜେଟ ଉପସ୍ଥାପନ କରିଛନ୍ତି। ତେଣୁ ଏମାନଙ୍କ କୀର୍ତ୍ତିମାନକୁ ନିର୍ମଳା ପୂର୍ବରୁ ଅତିକ୍ରମ କରିସାରିଛନ୍ତି। ନିର୍ମଳା ବଜେଟ ଉପସ୍ଥାପନରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ୨୦୧୯ରେ ସେ ପାରମ୍ପରିକ ବଜେଟ୍ ବାକ୍ସ ବଦଳରେ ‘ବହି ଖାତା’ରେ ବଜେଟ ଉପସ୍ଥାପନ କରିଥିଲେ। ସଂପ୍ରତି ସେ ବହି ଖାତା ବଦଳରେ ଟାବଲେଟ୍ ଜରିଆରେ ବଜେଟ୍ ଉପସ୍ଥାପନ କରୁଛନ୍ତି।
ଲୋକସଭା ନିର୍ବାଚନ ପୂର୍ବରୁ ଗତ ଫେବ୍ରୁଆରିରେ ନିର୍ମଳା କାମଚଳା ବଜେଟ୍ ଆଗତ କରିଥିଲେ। ଗତମାସ ୨୪ ତାରିଖରେ ଆରମ୍ଭ ହୋଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେଇଥିଲେ। ଆଗାମୀ ଦିନରେ ଅନେକ ଐତିହାସିକ ପଦକ୍ଷେପ ନିଆଯିବ ବୋଲି ସେ ଘୋଷଣା କରିଥିଲେ। ତେଣୁ ଆଗାମୀ ପୂର୍ଣ୍ଣାଙ୍ଗ ବଜେଟ୍ରେ ଅର୍ଥମନ୍ତ୍ରୀ ଅନେକ ନୂଆ ଯୋଜନା ସମେତ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।