କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି: ଚିପ୍ ଉତ୍ପାଦନ ଲାଗି ୫୦% ଆର୍ଥିକ ପ୍ରୋତ୍ସାହନ

ସୋଲାର୍‌ ପିଭି ମଡ୍ୟୁଲ୍‌ ପାଇଁ ପିଏଲ୍‌ଆଇ ସ୍କିମ୍ ମଞ୍ଜୁର, ଜାତୀୟ ଲଜିଷ୍ଟିକ୍ସ ନୀତି ମଞ୍ଜୁର

ନୂଆଦିଲ୍ଲୀ: ଚିପ୍ ଉତ୍ପାଦନକୁ ତ୍ବରାନ୍ବିତ କରିବା ଲାଗି ସେମିକଣ୍ଡକ୍ଟର କାରଖାନା ସ୍ଥାପନ କରିବାକୁ ଥିବା ସଂସ୍ଥାଙ୍କୁ ୫୦% ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି। ପୂର୍ବରୁ ବିଭିନ୍ନ ପ୍ରକାରର କାରଖାନା ଲାଗି ୩୦-୫୦% ପର୍ଯ୍ୟନ୍ତର ଭିନ୍ନ ଭିନ୍ନ ପ୍ରୋତ୍ସାହନ ବର୍ଗ ଥିଲା। ଆଗାମୀ ଦିନରେ ସବୁ ପ୍ରକାର ସଂସ୍ଥାଙ୍କୁ ଫ୍ଲାଟ୍‌ ୫୦% ପ୍ରୋତ୍ସାହନ ମିଳିବ। ଭାରତରେ ସେମିକଣ୍ଡକ୍ଟର ଓ ଡିସ୍‌ପ୍ଲେ ଉତ୍ପାଦନ ଲାଗି ବ୍ୟବସ୍ଥା ବିକଶିତ କରିବା ନିମନ୍ତେ ସରକାର ୭୬ ହଜାର କୋଟି ଟଙ୍କାର ସ୍କିମ୍ ଘୋଷଣା କରିଛନ୍ତି।

ସୋଲାର୍‌ ପିଭି ମଡ୍ୟୁଲ୍‌ ପାଇଁ ପିଏଲ୍‌ଆଇ ସ୍କିମ୍ ମଞ୍ଜୁର
ନୂଆଦିଲ୍ଲୀ: ଉଚ୍ଚ ଦକ୍ଷତା ସମ୍ପନ୍ନ ସୋଲାର ପିଭି ମଡ୍ୟୁଲ୍‌ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ମଞ୍ଜୁରି ପ୍ରଦାନ କରିଛି। ଏଥିପାଇଁ ୧୯,୫୦୦ କୋଟି ଟଙ୍କାର ବ୍ୟୟବରାଦ ଧାର୍ଯ୍ୟ କରାଯାଇଛି। ଦେଶ ଭିତରେ ଉଚ୍ଚ ମାନର ସୋଲାର ପିଭି ମଡ୍ୟୁଲ ଉତ୍ପାଦନ କରିବା ଲାଗି ଏହି ଜାତୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ଯାହା ଫଳରେ ଆମଦାନି ନିର୍ଭରଶୀଳତା ହ୍ରାସ ପାଇବ। ଏହି ସ୍କିମ୍ ଜରିଆରେ ଦେଶରେ ବାର୍ଷିକ ୬୫,୦୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ସୋଲାର ପିଭି ମଡ୍ୟୁଲ ଉତ୍ପାଦନ କାରଖାନା ସ୍ଥାପନ ହେବ। ଏହି କ୍ଷେତ୍ରରେ ୯୪,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଫଳରେ ୧,୯୫,୦୦୦ ପ୍ରତ୍ୟକ୍ଷ ଓ ୭,୮୦,୦୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଜାତୀୟ ଲଜିଷ୍ଟିକ୍ସ ନୀତି ମଞ୍ଜୁର
ନୂଆଦିଲ୍ଲୀ: ଚଳିତ ମାସ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଥିବା ଜାତୀୟ ଲଜିଷ୍ଟିକ୍ସ ନୀତିକୁ ଆଜି କ୍ୟାବିନେଟ୍ କମିଟି ମଞ୍ଜୁରି ପ୍ରଦାନ କରିଛି। ୨୦୩୦ ସୁଦ୍ଧା ଭାରତର ଲଜିଷ୍ଟିକ୍ସ ଖର୍ଚ୍ଚକୁ ବିଶ୍ବସ୍ତରରେ ପ୍ରଚଳିତ ସ୍ତରକୁ ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସେହି ସମୟ ଭିତରେ ଲଜି‌ଷ୍ଟିକ୍ସ ଖର୍ଚ୍ଚ ଦୃଷ୍ଟିରୁ ବିଶ୍ବର ଶ୍ରେଷ୍ଠ ୨୫ ଦେଶ ଭିତରେ ଭାରତକୁ ସ୍ଥାନିତ କରିବା ଲାଗି ଏହି ନୀତିରେ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ ସଚିବମାନଙ୍କ କ୍ଷମତା ସମ୍ପନ୍ନ ଗୋଷ୍ଠୀ ଗଠନ କରାଯାଇଛି। ୧୪ଟି ରାଜ୍ୟ ନିଜସ୍ବ ଲଜିଷ୍ଟିକ୍ସ ନୀତି ପ୍ରସ୍ତୁତ କରିସାରିଛନ୍ତି ଓ ଅନ୍ୟ ୧୩ଟି ରାଜ୍ୟର ନୀତି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି।

ସମ୍ବନ୍ଧିତ ଖବର