ଭୁବନେଶ୍ବର: ଦେଶର ସହରାଞ୍ଚଳଗୁଡ଼ିକରେ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୦ ମସିହାରେ ଆରମ୍ଭ କରାଯାଇଥିଲା ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ପିଏମ୍‌ ସ୍ବନିଧି) ଯୋଜନା। ଏହି ଯୋଜନାରେ ବ୍ୟବସାୟୀମାନଙ୍କୁ ବ୍ୟାଙ୍କଗୁଡ଼ିକ ବିନା ବନ୍ଧକରେ ଋଣ ପ୍ରଦାନ କରୁଛନ୍ତି। ପୌରସଂସ୍ଥାଗୁଡ଼ିକର ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୫୩ ଲକ୍ଷ ବ୍ୟବସାୟୀଙ୍କୁ ଉକ୍ତ ଯୋଜନାରେ ଋଣ ପ୍ରଦାନ କରାଯାଇଛି। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଉକ୍ତ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ବରସ୍ଥିତ ହୋଟେଲ ମେ’ ଫେୟାର ପରିସରରେ ଏକ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡା. ଭାଗବତ କରାଡ଼ ଯୋଗଦେଇ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଏହି ଯୋଜନାରେ ହାସଲ କରିଥିବା ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ ପୂର୍ବ ଭାରତର ଉପରୋକ୍ତ ୪ଟି ରାଜ୍ୟ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ସବୁଠୁ ଭଲ ରହିଛି। ଓଡ଼ିଶାରେ ମୋଟ ୧ ଲକ୍ଷ ୧୨ ହଜାର ରାସ୍ତାକଡ଼ ବିକ୍ରେତାଙ୍କୁ ଉକ୍ତ ଯୋଜନାରେ ଋଣ ପ୍ରଦାନ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୧ ପ୍ରତିଶତ ବିକ୍ରେତାଙ୍କୁ ଋଣ ପ୍ରଦାନ କରାଯାଇଛି। ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ଓଡ଼ିଶା ପଛକୁ ବିହାର ୪୨ ପ୍ରତିଶତ, ଝାଡ଼ଖଣ୍ଡ ୪୧ ପ୍ରତିଶତ ଅଗ୍ରଗତି ହାସଲ କରିଛନ୍ତି। କିନ୍ତୁ ପଶ୍ଚିମବଙ୍ଗର ଅଗ୍ରଗତି ମାତ୍ର ୧୬ ପ୍ରତିଶତ ରହିଛି। ଓଡ଼ିଶାରେ ୧.୧୨ ଲକ୍ଷ ରାସ୍ତାକଡ଼ ବିକ୍ରେତାଙ୍କୁ ବ୍ୟାଙ୍କଗୁଡ଼ିକ ଉକ୍ତ ଯୋଜନାରେ ମୋଟ ୮୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।

Advertisment

ବ୍ୟାଙ୍କଗୁଡ଼ିକ କିଭଳି ତୁରନ୍ତ ଏଭଳି ଯୋଜନାରେ ଅଧିକରୁ ଅଧିକ ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରିବେ ତାହା ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଉପସ୍ଥିତ ବ୍ୟାଙ୍କ ଅଧିକାରୀ ଏବଂ ନଗର ଉନ୍ନୟନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡା. କରାଡ଼ ବ୍ୟାଙ୍କ ଅଧିକାରୀମାନଙ୍କୁ ଉକ୍ତ ଯୋଜନାର ହିତାଧିକାରୀଙ୍କ ଋଣ ଆବେଦନକୁ ୧୫ ଦିନରେ ମଞ୍ଜୁରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ୭ ଦିନ ଭିତରେ ଋଣ ବାବଦ ଅର୍ଥ ପ୍ରଦାନ ସହିତ ଚଳିତମାସ ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ପଡ଼ି ରହିଥିବା ଆବେଦନଗୁଡ଼ିକର ସମାଧାନ ପାଇଁ ସ୍ବତନ୍ତ୍ର ଅଭିଯାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତମାସ ୫ ତାରିଖରେ ଉକ୍ତ ଯୋଜନାର ପ୍ରଥମ ସମୀକ୍ଷା ପଶ୍ଚିମ ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଗାନ୍ଧୀନଗରଠାରେ ହୋଇଥିବାବେଳେ ଆଜି ଭୁବନେଶ୍ବରଠାରେ ଦ୍ବିତୀୟ ବୈଠକ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ହୋଇଛି।

ଦେଶରେ ଉକ୍ତ ଯୋଜନାରେ ୫୩ ଲକ୍ଷ ହିତାଧିକାରୀଙ୍କୁ ଋଣ ମିଳିଛି। ହିତାଧିକାରୀଙ୍କୁ ଏହି ଯୋଜନାରେ ପ୍ରଥମେ ୧୦ ହଜାର ଟଙ୍କା, ଦ୍ବିତୀୟ ଥର ୨୦ ହଜାର ଟଙ୍କା ଏବଂ ତୃତୀୟ ଥର ୩୦ ହଜାର ଟଙ୍କାର ଋଣ ପ୍ରଦାନ ବ୍ୟବସ୍ଥା ରହିଛି। ସ୍ବନିଧିରୁ ସମୃଦ୍ଧି ଆଣିବା ଉକ୍ତ ଯୋଜନାର ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ଭାରତ ବିଶ୍ବର ଦଶମ ବୃହତ୍ ଅର୍ଥନୀତିରୁ ଏବେ ପଞ୍ଚମ ବୃହତ୍‌ ଅର୍ଥନୀତି ହୋଇସାରିଛି। ଭାରତକୁ ୩ ବୃହତ୍ ଅର୍ଥନୀତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସେ ଆହ୍ବାନ ଦେଇଥିଲେ। ଏଥିପାଇଁ ସବୁ ବର୍ଗର ବ୍ୟକ୍ତିଙ୍କୁ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଉକ୍ତ ବୈଠକରେ ‌ଅର୍ଥ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରଶାନ୍ତ କୁମାର ଗୋୟଲ, ସହରାଞ୍ଚଳ ବିକାଶ ମନ୍ତ୍ରାଳୟର ଯୁଗ୍ମ ସଚିବ ରାହୁଲ କପୁର, ରାଜ୍ୟ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାତନନ, ୟୁକୋ ବ୍ୟାଙ୍କ ଏମଡି ତଥା ସିଇଓ ଅଶ୍ବିନୀ କୁମାର, ଷ୍ଟେଟ ବ୍ୟାଙ୍କର ଉପ ପରିଚାଳନା ନିର୍ଦ୍ଦେଶକ ପ୍ରବୀଣ ରାଘବେନ୍ଦ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।