ନୂଆଦିଲ୍ଲୀ,: ବ୍ୟାଙ୍କ ଠକେଇ ବିରୋଧରେ ସିବିଆଇ ପକ୍ଷରୁ ବଡ଼ ଧରଣର ଅଭିଯାନ ଆରମ୍ଭ କରାଯାଇଛି। ଋଣ ଜାଲିଆତି କରିଥିବା ସଂସ୍ଥାଗୁଡ଼ିକ ବିରୋଧରେ ମାମଲା ରୁଜୁ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଅନ୍ ବ୍ୟାଙ୍କର ଭୁବନେଶ୍ବର ଶାଖାରେ ଗୃହ ଋଣ ଆବଣ୍ଟନରେ ହୋଇଥିବା ଜାଲିଆତିକୁ ନେଇ ସିବିଆଇ ପକ୍ଷରୁ ତିନିଟି ମାମଲା ରୁଜୁ କରାଯାଇଛି। ଏଫ୍ଆଇଆରରେ ଅଭିଯୁକ୍ତ ଭାବେ ବ୍ୟାଙ୍କର କିଛି ବରିଷ୍ଠ ଅଧିକାରୀଙ୍କ ନାମ ରହିଛି। ୟୁନିଅନ୍ ବ୍ୟାଙ୍କର ଭୁବନେଶ୍ବର ଶାଖାରୁ ଗୃହ ଋଣ ଠକେଇ ଯୋଗୁ ବ୍ୟାଙ୍କକୁ ୨୪ କୋଟି ୧୭ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଏହାକୁ ନେଇ ଦାୟର କରାଯାଇଥିବା ଏଫ୍ଆଇଆର୍ ଆଧାରରେ ଓଡ଼ିଶାର ନଅଟି ସ୍ଥାନରେ ଚଢ଼ଉ କରାଯାଇଛି।
ବ୍ୟାଙ୍କ ଠକେଇକୁ ନେଇ ସିବିଆଇ ପକ୍ଷରୁ ଆଜି ସମଗ୍ର ଦେଶରେ ୧୭ଟି ମାମଲା ରୁଜୁ କରାଯାଇଛି, ଯାହା ସହିତ ୧୧୩୯ କୋଟି ଟଙ୍କା ଜଡ଼ିତ ରହିଛି। ଓଡ଼ିଶାକୁ ମିଶାଇ ଆଜି ଦେଶର ୧୮ଟି ସହରର ୬୧ଟି ସ୍ଥାନରେ ସିବିଆଇ ଚଢ଼ଉ କରିଥିଲା। ଏହି ଅଭିଯାନରେ ୩୦୦ରୁ ଅଧିକ ଅଧିକାରୀ ସାମିଲ ଥିଲେ। ସେମାନେ ଋଣ ଖିଲାପୀଙ୍କ ବିଭିନ୍ନ ସମ୍ପତ୍ତି ଉପରେ ଚଢ଼ଉ କରିଥିଲେ। ଏହି ଅଭିଯାନ ଉପରେ ସିବିଆଇ ନିର୍ଦେଶକ ଋଷି କୁମାର ଶୁକ୍ଳା ତୀକ୍ଷ୍ଣ ନଜର ରଖିଥିଲେ। ଆଜି ଭୁବନେଶ୍ବର, ମୁମ୍ବାଇ, ଦିଲ୍ଲୀ, ଲୁଧିଆନା, ଥାନେ, ଭଲସାଡ୍, ପୁନେ, ପାଲାନି, ଗୟା, ଗୁରୁଗ୍ରାମ, ଚଣ୍ଡିଗଡ଼, ଭୋପାଳ, ସୁରଟ ଏବଂ କୋଲାର ଆଦି ସହରରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଛି।
ଦିନର ବିଭିନ୍ନ ସମୟରେ ସିବିଆଇ ପକ୍ଷରୁ ବ୍ୟାଙ୍କ ଠକେଇକୁ ନେଇ ଏକାଧିକ ମାମଲା ରୁଜୁ କରାଯାଇଥିଲା। ପ୍ରଥମେ ଖବର ଆସିଥିଲା ୬୪୦ କୋଟି ଟଙ୍କାର ବ୍ୟାଙ୍କ ଠକେଇକୁ ନେଇ ୧୪ଟି ମାମଲା ରୁଜୁ କରାଯାଇଛି। ମାତ୍ର ସନ୍ଧ୍ୟାରେ ସୂଚନା ଦିଆଯାଇଥିଲା ଯେ, ଆଜି ଦିନରେ ୧୭ଟି ମାମଲା ରୁଜୁ କରାଯାଇଛି ଯେଉଁଥିରେ ୧୧୩୯ କୋଟି ଟଙ୍କା ଜଡ଼ିତ ରହିଛି। ଆଗକୁ ମାମଲା ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି।
ଆଜି ସିବିଆଇ ଅଧିକାରୀମାନେ ହୀରା ବ୍ୟବସାୟୀ ଜତିନ ମେହଟାଙ୍କ ୱିନ୍ସମ୍ ଡାଇମଣ୍ଡ୍ ଗ୍ରୁପ୍ରେ ଚଢ଼ଉ କରିଥିଲେ। ଆଜି ୧୬ତମ ମାମଲା ରୁଜୁ କରିଛି। ପୂର୍ବରୁ ତାଙ୍କ ନାମରେ ୧୫ଟି ମାମଲା ରହିଛି। ସେ ଏକ୍ଜିମ୍ ବ୍ୟାଙ୍କରୁ ୨୦୨ କୋଟି ଠକେଇ କରିଛନ୍ତି। ମୋଟ ଉପରେ ସେ ୬୫୦୦ କୋଟି ଟଙ୍କାର ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରହିଛି। ମୁମ୍ବାଇର ଅନ୍ୟ ଦୁଇଟି କଂପାନିରେ ମଧ୍ୟ ସିବିଆଇ ଚଢ଼ଉ କରିଛି। ୟୁନିଅନ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ସିଡ୍ବି ଓ ବ୍ୟାଙ୍କ ଅଫ୍ ବରୋଦାରୁ ଋଣ ଠକେଇ କରିଥିବା କଂପାନିଗୁଡ଼ିକୁ ସିବିଆଇ ଟାର୍ଗେଟ୍ କରିଥିଲା।
ୟୁନିଅନ ବ୍ୟାଙ୍କ ଭୁବନେଶ୍ବର ଶାଖାରେ ଠକେଇ
/sambad/media/post_attachments/wp-content/uploads/2019/07/Transcrop-kxzH-621x414@LiveMint-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)