ୟୁନାଇଟେଡ୍‌ ଇଣ୍ଡିଆ ଆଣିବ ସାଇବର ବୀମା

ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡ‌ସ୍‌ ୨୦୨୩

ଦେଶର ଦ୍ବିତୀୟ ବୃହତ୍ତମ ରାଷ୍ଟ୍ରାୟତ୍ତ ସାଧାରଣ ବୀମା କଂପାନି ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ପଦରେ ପ୍ରଥମ ଓଡ଼ିଆ ଭାବେ କାର୍ଯ୍ୟ କରୁଥିବା ସତ୍ୟଜିତ ତ୍ରିପାଠୀଙ୍କ ସହ କଂପାନିର ଆଞ୍ଚଳିକ କାର୍ଯ୍ୟାଳୟରେ ହୋଇଥିବା ଆଲୋଚନାକୁ ଏଠାରେ ଉପସ୍ଥାପନ କରାଯାଇଛି:

ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ସ୍ଥିତି କ’ଣ ରହିଛି?
ଆମ ଦେଶରେ ଥିବା ଚାରିଟି ରାଷ୍ଟ୍ରାୟତ୍ତ ସାଧାରଣ ବୀମା କଂପାନି ମଧ୍ୟରୁ ଏହା ହେଉଛି ଦ୍ବିତୀୟ ବୃହତ୍ତମ। ସେହିପରି, ରାଷ୍ଟ୍ରାୟତ୍ତ ଓ ଘରୋଇ ସଂସ୍ଥାଙ୍କୁ ମିଶାଇ ମୋଟ ୩୪ଟି ସାଧାରଣ ବୀମା କଂପାନି ଥିବା ବେଳେ ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ସେମାନଙ୍କ ଭିତରେ ତୃତୀୟ ସ୍ଥାନରେ ରହିଛି।

କଂପାନିର ସର୍ବଭାରତୀୟ କାରବାର କିଭଳି ରହିଛି?
୨୦୨୧-୨୨ ଆର୍ଥିକ ବର୍ଷରେ ଆମ କାରବାର ପରିମାଣ ୧୫,୭୨୨ କୋଟି ଟଙ୍କା ଥିଲା। ୨୦୨୨-୨୩ରେ ଆମେ ୧୭,୫୦୫ କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଛୁ। ଓଡ଼ିଶାରେ ଗତ ଆର୍ଥିକ ବର୍ଷରେ ଆମ କାରବାର ୧୧୪ କୋଟି ଟଙ୍କା ଥିଲା। ୨୦୨୩ ମାର୍ଚ୍ଚ ସୁଦ୍ଧା ଆମେ ରାଜ୍ୟରେ ୧୩୨ କୋଟି ଟଙ୍କାର ବ୍ୟବସାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛୁ।

ଆପଣଙ୍କ ପାଇଁ ଓଡ଼ିଶା ବଜାର ଏତେ ଛୋଟ କାହିଁକି?
ଓଡ଼ିଶା ହେଉଛି ଆମ ପାଇଁ ମୁଖ୍ୟତଃ ଏକ ଖୁଚୁରା ବଜାର। କର୍ପୋରେଟ୍ ଜଗତରୁ ବିଶେଷ କାରବାର ହୁଏନାହିଁ। କାରଣ ରାଜ୍ୟର ବଡ଼ ସଂସ୍ଥାଗୁଡ଼ିକ ବଡ଼ ସହରରୁ ବୀମା କିଣୁଛନ୍ତି।

ଓଡ଼ିଶାରେ କେତେ ଲୋକଙ୍କ ପାଖରେ ବୀମା ଅଛି?
ଓଡ଼ିଶାର ଖୁବ୍‌ କମ୍‌ ଲୋକଙ୍କ ପାଖରେ ବୀମା ରହିଛି। ମୋ ମତରେ ଲୋକମାନେ ବୀମାକୁ ନେଇ ଅଧିକ ଯତ୍ନବାନ ହେବା ଉଚିତ। ଓଡ଼ିଶାରେ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି। ରାଜ୍ୟର ଜନବହୁଳ ଅଞ୍ଚଳଗୁଡ଼ିକ ଏହା ଦ୍ବାରା ଅଧିକ ପ୍ରଭାବିତ ହେବ। ଏବେଠାରୁ ସେମାନେ ନିଜ ସମ୍ପତ୍ତିର ସୁରକ୍ଷା ଲାଗି ବୀମା କିଣିବା ଉଚିତ।

କୋଭିଡ୍‌ ପାଇଁ ବୀମା କ୍ଷେତ୍ର କିଭଳି ପ୍ରଭାବିତ?
ସାଧାରଣ ବୀମା କଂପାନିଗୁଡ଼ିକ ପ୍ରାୟ ୨୮ ହଜାର କୋଟି ଟଙ୍କାର କୋଭିଡ୍‌ ଦାବି ଫଇସଲା କରିଛନ୍ତି। କେବଳ ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ ୩୦୦୦ କୋଟି ଟଙ୍କାର ଦାବି ଫଇସଲା କରିଥିଲା। ମହାମାରୀ ଯୋଗୁ ବୀମାକୁ ନେଇ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସଚେତନତା ଯୋଗୁ ବିକ୍ରି ବଢ଼ିଛି ଓ କଂପାନିଗୁଡ଼ିକର ଆର୍ଥିକ ଚାପ ଅନେକାଂଶରେ ଦୂର ‌ହୋଇପାରିଛି। ଗାଡ଼ି, ଘର ଆଦି ବିକ୍ରି ବଢ଼ିବା ଯୋଗୁ ବ୍ୟବସାୟ ଆହୁରି ତ୍ବରାନ୍ବିତ ହୋଇପାରିଛି। ଆର୍ଥିକ କ୍ଷତିର ମୁକାବିଲା ଲାଗି ଆମ ସଂସ୍ଥା ୧୪-୧୫ ହଜାର କୋଟି ଟଙ୍କା ସ୍ବତନ୍ତ୍ର ଭାବେ (ପ୍ରୋଭିଜନିଂ) ରଖୁଛି।

ନୂଆ ଉତ୍ପାଦ ଆଣିବା ଯୋଜନା ଅଛି କି?
ଆମେ ୫-୬ଟି ନୂଆ ଉତ୍ପାଦ ଆଣିବା ଉପରେ କାର୍ଯ୍ୟ କରୁଛୁ। ସେଥିରେ ସାଇବର ବୀମା, ସ୍ବାସ୍ଥ୍ୟ ବୀମା, ଟପ୍ ଅପ୍ ବୀମା ଆଦି ଉତ୍ପାଦ ରହିବ। ସାଇବର ଅପରାଧ ଏକ ବହୁତ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାରୁ ଆମେ ସେହି କ୍ଷେତ୍ର ଲାଗି ବୀମା ଆଣିବା ଉପରେ ଗୁରୁତ୍ବ ଦେଉଛୁ।

ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ, ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୩ ବିଷୟରେ ଆପଣଙ୍କ ମତ କ’ଣ?
ଏହା ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ବେଶ ଚମତ୍କାର ମଧ୍ୟ। ବ୍ୟବସାୟରେ ଉତ୍କର୍ଷ ଆଣିବା ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥାଙ୍କୁ ଏଥିରେ ପୁରସ୍କୃତ କରାଯାଉଥିବା ଜାଣି ମୋତେ ଖୁସି ଲାଗୁଛି ଏବଂ ଏହି ଅଭିଯାନ ଏକ ନୂଆ ଯୁଗ ଆରମ୍ଭ କରିବ। ଏହା ଦ୍ବାରା ପ୍ରତିଟି କ୍ଷେତ୍ରରେ ଉତ୍କର୍ଷର ଗୁରୁତ୍ବ ବୃଦ୍ଧି ପାଇବ। ଏହି ଅଭିଯାନ ପାଇଁ ମୁଁ ସମ୍ବାଦକୁ ଧନ୍ୟବାଦ ଜଣାଉଛି।

ସମ୍ବନ୍ଧିତ ଖବର