ନୂଆଦିଲ୍ଲୀ: ବର୍ତ୍ତମାନ ଲୋକମାନେ ୫ଜି ମୋବାଇଲ୍‌ ସେବାକୁ ଅସୀମିତ ବ୍ୟବହାର କରୁଛନ୍ତି। ଏହି ସୁବିଧା କିନ୍ତୁ ବେଶି ଦିନ ରହିବନି। ୫ଜି ବ୍ୟବହାର ଲାଗି ଆଗାମୀ ଦିନରେ ଶୁଳ୍କ ଗଣିବାକୁ ପଡ଼ିବ। ଚଳିତ ବର୍ଷର ଦ୍ବିତୀୟ ଭାଗରେ ଦେଶର ଦୁଇ ଟେଲିକମ୍ କଂପାନି ଭାରତୀ ଏୟାରଟେଲ୍ ଓ ରିଲାଏନ୍ସ ଜିଓ ଏହି ସୁବିଧା ବନ୍ଦ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୫ଜି ସେବା ବ୍ୟବହାର କରିବା ଲାଗି ଗ୍ରାହକଙ୍କଠାରୁ ଶୁଳ୍କ ଆଦାୟ ହେବ। ସେହି ଶୁଳ୍କ ବର୍ତ୍ତମାନର ୪ଜି ପ୍ଲାନ୍‌ଠାରୁ ୫-୧୦ ପ୍ରତିଶତ ମହଙ୍ଗା ରହିବ।
୨୦୨୨ରେ ଉଭୟ ଏୟାରଟେଲ୍‌ ଓ ଜିଓ ୫ଜି ସେବା ଆରମ୍ଭ କରିଥିଲେ। ତା’ପରଠାରୁ ସେମାନେ ୫ଜି ଫୋନ୍‌ ବ୍ୟବହାର କରୁଥିବା ୪ଜି ଗ୍ରାହକମାନଙ୍କୁ ମାଗଣାରେ ଅସୀମିତ ୫ଜି ସେବା ବ୍ୟବହାର କରିବାର ସୁବିଧା ଦେଉଛନ୍ତି। ଯେହେତୁ ଉଭୟ କଂପାନି ଦେଶର ଅଧିକାଂଶ ସ୍ଥାନରେ ୫ଜି ସେବାକୁ ପହଞ୍ଚାଇସାରିଲେଣି, ତେଣୁ ସେଥିରୁ ଆୟ କରିବା ଲାଗି ସ୍ବତନ୍ତ୍ର ଯୋଜନା ଆଣିବା ଉପରେ ବିଚାର କରୁଛନ୍ତି।

Advertisment

ଭାରତରେ ୧୨.୫ କୋଟି ୫ଜି ବ୍ୟବହାରକାରୀ ରହିଛନ୍ତି। ୨୦୨୪ ଶେଷ ସୁଦ୍ଧା ସେମାନଙ୍କ ସଂଖ୍ୟା ୨୦ କୋଟି ଟପିବ ବୋଲି ଆକଳନ କରାଯାଇଛି। ଜେଫେରିଜ୍ ନାମକ ଏକ ସଂସ୍ଥା ଏହାର ରିପୋର୍ଟରେ ଆକଳନ କରିଛି ଯେ ଏୟାରଟେଲ୍‌ ଓ ଜିଓ ୫ଜି ସେବା ଲାଗି ଶୁଳ୍କ ଲାଗୁ କରିବା ପରେ ତାହାର ଗ୍ରହଣୀୟତା ବଢ଼ାଇବା ଲାଗି ୩୦-୪୦ ପ୍ରତିଶତ ଅଧିକ ଡାଟା ଦେବେ। ଚଳିତ ବର୍ଷର ସେପ୍ଟେମ୍ବର ସୁଦ୍ଧା ମୋବାଇଲ୍ ଟାରିଫ୍‌ରେ ୨୦ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ରିପୋର୍ଟରେ ଆକଳନ କରାଯାଇଛି।
ଭାରତ ହେଉଛି ବିଶ୍ବର ସବୁଠୁ ସୁଲଭ ଟେଲିକମ୍ ବଜାର। ଏଠାରେ ମାସିକ ୨ ଡଲାର (୧୬୦ ଟଙ୍କା)ରେ ମୋବାଇଲ୍‌ ସେବା ବ୍ୟବହାର କରିବା ସୁଯୋଗ ମିଳୁଛି। ଶେଷ ଥର ଲାଗି ୨୦୨୧ ନଭେମ୍ବରରେ ଟେଲିକମ୍ କଂପାନିଗୁଡ଼ିକ ସେମାନଙ୍କ ଟାରିଫ୍‌ରେ ୧୯-୨୫ ପ୍ରତିଶତ ବୃଦ୍ଧି କରିଥିଲେ। ଆଗାମୀ ଦିନରେ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଓ ଜିଓ ସେମାନଙ୍କ ପ୍ଲାନ୍‌ ଦାମ୍‌ ବଢ଼ାଇବେ ବୋଲି କୁହାଯାଉଛି।