ଅନାବଶ୍ୟକ, ବଡ଼ ଖର୍ଚ୍ଚ ବନ୍ଦ; ସ୍ବାସ୍ଥ୍ୟ ପାଇଁ ସଞ୍ଚୟକୁ ପ୍ରାଥମିକତା

ବ୍ୟାଙ୍କରେ ଜମା ଦୁଇ ଗୁଣା ବୃଦ୍ଧି, ଲୋକଙ୍କ ପାଖରେ ୪ ଲକ୍ଷ କୋଟି

ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁ ଆଡ଼େ ସଞ୍ଚୟକୁ ନେଇ ଲୋକମାନଙ୍କ ଭିତରେ ବଡ଼ ଧରଣର ଆଗ୍ରହ ସୃଷ୍ଟି ହୋଇଛି। କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅନିଶ୍ଚିତତାର ମୁକାବିଲା କରିବା ଲାଗି ଲୋକମାନେ ଯାହା ସମ୍ଭବ ହେଉଛି ସବୁ କିଛି ସଞ୍ଚୟ କରିବାକୁ ଚାହୁଛନ୍ତି। ଭାରତୀୟ ପରିବାରଗୁଡ଼ିକ ନିଜର ଅଦରକାରୀ, ଅନାବଶ୍ୟକ, ସୌକିନ ଓ ବଡ଼ ଖର୍ଚ୍ଚକୁ ବନ୍ଦ କରିଦେଇଛନ୍ତି। ଲୋକମାନେ ଏବେ ଆଉ ମନଇଚ୍ଛା ଖର୍ଚ୍ଚ କରିବାକୁ ଚାହୁନାହାନ୍ତି। ପସନ୍ଦର ସାମଗ୍ରୀ କିଣୁନାହାନ୍ତି। ସ୍ବାସ୍ଥ୍ୟକୁ ନେଇ ସେମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ସ୍ବାସ୍ଥ୍ୟକୁ ନେଇ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ଲାଗି ପାଣ୍ଠି ଯୋଗାଡ଼ କରୁଛନ୍ତି।

ଏ ସମ୍ପର୍କରେ ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ କମଲ୍ ନନ୍ଦୀ କହିଛନ୍ତି ଯେ କରୋନା ମହାମାରୀର ପ୍ରଥମ ଲହର ଆରମ୍ଭ ହେବା ପରଠାରୁ ଲୋକମାନେ କେବଳ ଅତ୍ୟାବଶ୍ୟକ ଆପ୍ଲାଏନ୍‌ସେସ୍‌ କିଣୁଛନ୍ତି। ଏବେ ଲୋକମାନେ ନିଜ ପାଖରେ ଟଙ୍କା ରଖୁଛନ୍ତି। କରୋନା ସଙ୍କଟ ଦୂର ହେବା ପରେ ବୋଧହୁଏ ସେମାନେ ସେହି ସଞ୍ଚୟ ରାଶିକୁ ନିଜ ପସନ୍ଦର ସାମଗ୍ରୀ କିଣିବାରେ ବ୍ୟବହାର କରିପାରନ୍ତି ବୋଲି ସେ କହିଛନ୍ତି। ଲୋକମାନଙ୍କ ପାଖରେ ଥିବା ନଗଦ ରାଶି ପରିମାଣ ୧୬% ବୃଦ୍ଧି ପାଇ ୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୦ ଏପ୍ରିଲ୍‌ରୁ ୨୦୨୧ ଏପ୍ରିଲ୍ ମଧ୍ୟରେ ବ୍ୟାଙ୍କ ଜମା ରାଶିରେ ୨୦ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି। ଏହାର ପୂର୍ବବର୍ଷ ତୁଳନାରେ ପ୍ରାୟ ଦୁଇ ଗୁଣା ଅଧିକ ଟଙ୍କା ସଞ୍ଚୟ ଖାତାରେ ରଖାଯାଇଛି। କେବଳ ସାଧାରଣ ଜନତା ନୁହନ୍ତି ବ୍ୟବସାୟୀମାନେ ମଧ୍ୟ ଭବିଷ୍ୟତର ଅନିଶ୍ଚିତତାକୁ ନଜରରେ ରଖି ନିଜ ପାଖରେ ଅଧିକ ପାଣ୍ଠି ରଖୁଛନ୍ତି। ଅଟୋମୋବାଇଲ୍ ବ୍ୟବସାୟ ସହ ଜଡ଼ିତ ଥିବା ସଂସ୍ଥା ଜାଟୋ ଡାଇନାମିକ୍ସର ସଭାପତି ରବି ଭାଟିଆ କହିଛନ୍ତି ଯେ ସାଧାରଣତଃ ଆମେ ଛଅ ମାସର ଆବଶ୍ୟକତା ପୂରଣ ହୋଇପାରୁଥିବା ଭଳି ନଗଦ ରାଶି ନିଜ ପାଖରେ ରଖୁଥିଲୁ। ସେହି ପାଣ୍ଠିକୁ ଏବେ ଆମେ ପାଞ୍ଚ ଗୁଣା ବଢ଼ାଇ ଦେଇଛୁ।

ମାରୁତି ସୁଜୁକିର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ ଲକ୍‌ଡାଉନ୍ ସମୟରେ ଖର୍ଚ୍ଚ ସାମାନ୍ୟ କମ୍ ରହିବ। ଗମନାଗମନକୁ ନେଇ ଲଗାଯାଇଥିବା କଟକଣା ହଟିବା ପରେ ସ୍ଥିତିରେ ସୁଧାର ହେବ। ସେ କହିଛନ୍ତି ଯେ ଏପ୍ରିଲ୍‌ ମାସର ତୃତୀୟ ଓ ଚତୁର୍ଥ ସପ୍ତାହରେ ଗ୍ରାମୀଣ ଅଞ୍ଚଳରେ ଥିବା ସୋ’ରୁମ୍‌ଗୁଡ଼ିକ ବନ୍ଦ ରହିବାରୁ ବିକ୍ରି ପ୍ରଭାବିତ ହୋଇଛି। ଏହି ସମୟରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରେ ଜମାରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ହୋଇନାହିଁ। ତେଣୁ ଏହା ଅନୁମାନ କରାଯାଉଛି ଯେ ଲୋକମାନେ ନଗଦ ଟଙ୍କାକୁ ନିଜ ଘରେ ରଖିଛନ୍ତି। କୋଭିଡ୍‌ ମହାମାରୀ ଲାଗି ସ୍ବାସ୍ଥ୍ୟ ସେବା ଖର୍ଚ୍ଚ ବଢ଼ିଯାଇଥିବାରୁ ସେମାନେ ନିଜ ପାଖରେ ଅଧିକ ଟଙ୍କା ରଖିବାକୁ ଚାହୁଛନ୍ତି।

ସମ୍ବନ୍ଧିତ ଖବର