ନୂଆଦିଲ୍ଲୀ: କୌଣସି ପ୍ରକାର ବ୍ୟବସ୍ଥା ଅଧୀନରେ ନ ରହି ଖୋଲାଖୋଲି ଭାବେ ବେଆଇନ ଋଣ କାରବାର କରୁଥିବା ସଂସ୍ଥାଗୁଡ଼ିକ ଉପରେ ଲଗାମ କଷିବା ଲାଗି ଏକ କଡ଼ା ଆଇନ ଆଣିବା ଉପରେ ସରକାର ବିଚାର କରୁଛନ୍ତି। ଏହି ଆଇନରେ ଏଭଳି ଲଗାମହୀନ ସଂସ୍ଥାଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ରହିବ। ଦଶ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା କରାଯିବ। ଗ୍ରାହକଙ୍କୁ ନିର୍ଯ୍ୟାତନା ଦେଉଥିବା ବେଆଇନ ସଂସ୍ଥାଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ରହିବ। ସେମାନଙ୍କ ଲାଗି ତିନିରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଜରିମାନା ଲାଗୁ କରିବା ଲାଗି ଆଇନରେ ବ୍ୟବସ୍ଥା କରାଯିବ। ଋଣ କାରବାର କରୁଥିବା ବେଆଇନ ସଂସ୍ଥାଗୁଡ଼ିକ ଲାଗି ଦୁଇରୁ ସାତ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ରହିବ। ବାରମ୍ବାର ନିୟମ ଖିଲାପକାରୀଙ୍କ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ। ନୂଆ ନିୟମରେ ବେଆଇନ ଋଣ କାରବାରକୁ ଜାମିନବିହୀନ ଅପରାଧରେ ପରିଣତ କରାଯିବ। ବହୁ ସଂଖ୍ୟାରେ ବେଆଇନ ସଂସ୍ଥା ଅନଲାଇନ୍‌ରେ ଋଣ ଦେଇ ଲୋକଙ୍କୁ ହଇରାଣ କରୁଥିବା ଓ ଗ୍ରାହକମାନେ ଜୀବନ ହାରୁଥିବା

Advertisment

ଅଭିଯୋଗ ପହଞ୍ଚିବା ପରେ ସରକାର ଏହି କଡ଼ା ଆଇନ ଆଣିବା ସମ୍ପର୍କରେ ବିଚାର କରୁଛନ୍ତି। ବିଶେଷ କରି ଚୀନ୍‌ର ଆପ୍‌ଗୁଡ଼ିକ ଡିଜିଟାଲ୍ ମାଧ୍ୟମରେ ଋଣ ଦେଇ ଲୋକମାନଙ୍କୁ ବିଭିନ୍ନ ଉପାୟରେ ହଇରାଣ କରୁଛନ୍ତି। ସେମାନଙ୍କୁ ବ୍ଲାକ୍‌ମେଲ୍‌ କରିବାକୁ ପଛାଉନାହାନ୍ତି। ଉତ୍ପୀଡ଼ନ ସହି ନ ପାରି କିଛି ଗ୍ରାହକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ଲଗାମହୀନ ଋଣ କାରବାର ଉପରେ ନଜର ରଖିବା ଲାଗି ଏକ ସ୍ବତନ୍ତ୍ର କର୍ତ୍ତୃପକ୍ଷ ଗଠନ କରାଯିବ ଯାହାର ମୁଖ୍ୟ ଭାବେ ଜଣେ ସଚିବ ସ୍ତରର ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ତାଙ୍କ ପାଖରେ ବେଆଇନ ସଂସ୍ଥାର ସମ୍ପତ୍ତି ଜବତ କରିବା ଓ ତଥ୍ୟ ମାଗିବା ଭଳି କ୍ଷମତା ରହିବ। ଏଜେନ୍ସି ଯେଉଁ ସବୁ ତଥ୍ୟ ପାଇବ ତାହାକୁ ସିବିଆଇ ଓ ରାଜ୍ୟ ପୁଲିସକୁ ଦେବ।