ନୂଆଦିଲ୍ଲୀ: ଦେଶରେ ଏଟିଏମ୍ କାଉଣ୍ଟରଗୁଡ଼ିକ ଆଲୋଡ଼ା ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଏଟିଏମ କାଉଣ୍ଟର ବନ୍ଦ ହେଉଛି। ଏହା ପଛର ମୁଖ୍ୟ କାରଣ ହେଉଛି ଡିଜିଟାଲ୍ ପେମେଣ୍ଟରେ ହୋଇଥିବା ବୃଦ୍ଧି। ଲୋକମାନେ ଦୈନନ୍ଦିନ କିଣାକିଣି ବେଳେ ଫୋନ୍ପେ, ଗୁଗୁଲ୍ପେ ଭଳି ୟୁପିଆଇ ଆପ୍ ଜରିଆରେ ଡିଜିଟାଲ୍ ପେମେଣ୍ଟ କରୁଥିବାରୁ ଏଟିଏମ୍ ଏତେଟା ଖୋଜା ପଡ଼ୁନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୩ ସେପ୍ଟେମ୍ବର ସୁଦ୍ଧା ଦେଶରେ ୨,୧୯,୦୦୦ ଏଟିଏମ୍ କାଉଣ୍ଟର ଥିଲା। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏଟିଏମ୍ ସଂଖ୍ୟା ୨,୧୫,୦୦୦କୁ ହ୍ରାସ ପାଇଛି। ବ୍ୟାଙ୍କ ଶାଖାଠାରୁ ଦୂରରେ ସ୍ଥାପନ କରାଯାଇଥିବା ଏଟିଏମ୍ଗୁଡ଼ିକୁ ବନ୍ଦ କରାଯାଉଛି। ସେଭଳି ଅଫ୍-ସାଇଟ୍ ଏଟିଏମ୍ ସଂଖ୍ୟା ଏହି ବର୍ଷକ ମଧ୍ୟରେ ୯୭,୦୭୨ରୁ ହ୍ରାସ ପାଇ ୮୭,୬୩୮ରେ ପହଞ୍ଚିଛି।
ଡିଜିଟାଲ୍ କାରବାରର ଗ୍ରହଣୀୟତା ବଢ଼ିଥିଲେ ମଧ୍ୟ ଦେଶରେ ନଗଦ ରାଶି ଏପର୍ଯ୍ୟନ୍ତ ଅଲୋଡ଼ା ହୋଇନାହିଁ। ଏବେବି ୮୯ ପ୍ରତିଶତ କାରବାର ନଗଦରେ ହେଉଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ତାହାର ଅବଦାନ ୧୨ ପ୍ରତିଶତ ରହିଛି। ଦେଶରେ ଏଟିଏମ୍ ସଂଖ୍ୟା ଜନସଂଖ୍ୟା ଦୃଷ୍ଟିରୁ କମ୍ ରହିଛି। ଏକ ଲକ୍ଷ ଲୋକ ପିଛା ମାତ୍ର ଗୋଟିଏ ଲେଖାଏଁ ଏଟିଏମ୍ ରହିଛି। ଏଟିଏମ୍ ବ୍ୟବହାରକୁ ସୁଗମ କରିବା ଲାଗି ନିର୍ଦ୍ଦିଷ୍ଟ କେତେ ଥର ଏଟିଏମ୍କୁ ମାଗଣାରେ ବ୍ୟବହାର କରିବା, ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କରିବାର ସୁବିଧା ଏବଂ ଇଣ୍ଟରଚାର୍ଜ ଫି’ ଭଳି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେତେକ ନିୟମ ଲାଗୁ କରାଯାଇଥିବାରୁ ଏଟିଏମ୍ରେ ଅଧିକ ନିବେଶ କରିବାକୁ ତାହା ନିରୁତ୍ସାହିତ କରୁଛି।
ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ଖୁବ୍ଶୀଘ୍ର ଭାରତ ବିଶ୍ବରେ ପ୍ରଚଳନରେ ଥିବା ଏଟିଏମ୍ ଢାଞ୍ଚାକୁ ଆପଣେଇବ ଯେଉଁଠାରେ ଶାଖା ପିଛା ଦୁଇଟି ଏଟିଏମ୍ ରହିବ। ଗୋଟିଏ ଶାଖା ସହ ଏବଂ ଅନ୍ୟଟି ଶାଖାଠାରୁ ଦୂରରେ ରହିବ। ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କ ଆବଶ୍ୟକତାକୁ ଉଭୟ ପ୍ରତ୍ୟକ୍ଷ ଶାଖା, ଏଟିଏମ୍ ଓ ଡିଜିଟାଲ୍ ମାଧ୍ୟମରେ ପୂରଣ କରିବା ଲାଗି ଉଦ୍ୟମ କରୁଥିବାରୁ ଆଗାମୀ ଦିନରେ ଏହି ଢାଞ୍ଚାର ଗ୍ରହଣୀୟତା ଦେଖିବାକୁ ମିଳିବ।
ଗୋଟିଏ ପଟେ ଏଟିଏମ୍ ବନ୍ଦ ହେଉଥିବା ବେଳେ ଅନ୍ୟ ପଟେ ୟୁପିଆଇ କାରବାରରେ ରେକର୍ଡ ହୋଇଛି। ଗତ ଅକ୍ଟୋବର ମାସରେ ୨୩.୫ ଲକ୍ଷ କୋଟି ଟଙ୍କାର କାରବାର ୟୁପିଆଇ ଜରିଆରେ ହୋଇଛି। ୨୦୧୬ ଏପ୍ରିଲ୍ରୁ ୟୁପିଆଇ ସେବା ଉପଲବ୍ଧ ହେବା ପରେ ଏହା ହେଉଛି ସର୍ବାଧିକ ମାସିକ କାରବାର।