ମେ’ରୁ ବନ୍ଦ ହେବ ଅବାଞ୍ଛିତ କଲ୍, ଏସ୍‌ଏମ୍ଏସ୍‌

ନେଟ୍‌ୱର୍କ ବିଭ୍ରାଟର ସୂଚନା ଦେବେ କଂପାନି

ନୂଆଦିଲ୍ଲୀ : ଅବାଞ୍ଚିତ କଲ୍ ଓ ଏସ୍‌ଏମ୍ଏସ୍‌ ସମସ୍ୟା ଦୂର କରିବା ଲାଗି ଟେଲିକମ୍ କଂପାନିଗୁଡ଼ିକ ଯେତିକି ପଦକ୍ଷେପ ନେବା କଥା ତାହା ନେଉନାହାନ୍ତି ବୋଲି ସରକାର ଭାବୁଛନ୍ତି। ତେଣୁ ନୂଆ ନୂଆ ପ୍ରଯୁକ୍ତି ବ୍ୟବହାର କରି ଏହି ସମସ୍ୟାର ସମାଧାନ କରିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ଅବାଞ୍ଛିତ କଲ୍ ଓ ଏସ୍‌ଏମ୍ଏସ୍‌କୁ ଆଗୁଆ ଚିହ୍ନଟ କରିବା ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ (ଏଆଇ) ଓ ମେସିନ ଲର୍ଣ୍ଣିଂ (ଏମ୍ଏଲ୍‌) ପ୍ରଯୁକ୍ତି ବ୍ୟବହାର କରିବା ଲାଗି ଟେଲିକମ୍ କଂପାନିଗୁଡ଼ିକୁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କହିଛି। ଅବାଞ୍ଛିତ କଲ୍ ଚିହ୍ନଟ ଲାଗି ରହିଥିବା ବ୍ୟବସ୍ଥାକୁ ମେ’ ୧ ସୁଦ୍ଧା ସମୀକ୍ଷା କରିବା ଲାଗି କଂପାନିଗୁଡ଼ିକୁ କୁହାଯାଇଛି। ତେଣୁ ମେ’ରୁ ଏହି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ ବୋଲି ଆଶା କରାଯାଉଛି।

ଏକକାଳୀନ ବିପୁଳ ପରିମାଣର ଏସ୍‌ଏମ୍ଏସ୍‌ ପଠାଉଥିବା ପ୍ରିନ୍‌ସିପାଲ୍ ଏଣ୍ଟିଟି (ପିଇ) ଓ ଟେଲି ମା‌ର୍କେଟର (ଟିଏମ୍‌)ମାନଙ୍କ ପଞ୍ଜୀକରଣକୁ ଆହୁରି କଠୋର କରିବାକୁ ଟେଲିକମ୍ କଂପାନିଗୁଡ଼ିକୁ ଟ୍ରାଇ କହିଛି। ଅବାଞ୍ଛିତ କଲ୍ ସମସ୍ୟା ଦୂର କରିବା ଲାଗି ବହୁ ପଦକ୍ଷେପ ଗ୍ରହଣ କରାଯିବା ସତ୍ତ୍ବେ ତାହାର ସମାଧାନ ହୋଇପାରୁନାହିଁ। ଏହି ସମସ୍ୟାରୁ ଦେଶର ବରିଷ୍ଠ ବ୍ୟକ୍ତିମାନେ ମଧ୍ୟ ନିସ୍ତାର ପାଇନାହାନ୍ତି। ଏ ସମ୍ପର୍କରେ ଟେଲିକମ୍ କଂପାନିଗୁଡ଼ିକ ସହ ଟ୍ରାଇ ଅଧ୍ୟକ୍ଷ ପି ଡି ବାଘେଲା ଓ ସଚିବ ଭି ରଘୁନନ୍ଦନ ଆଲୋଚନା କରିଥିଲେ।

ମାର୍କେଟିଂ ଓ ପ୍ରଚାର ଉଦ୍ଦେଶ୍ୟରେ ପଠାଯାଉଥିବା କଲ୍ ଓ ଏସ୍‌ଏମ୍ଏସ୍‌ ପାଇଁ ଏକ ନୂଆ ନମ୍ବର ସିରିଜ୍ ଲାଗୁ କରିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ଏହା ଦ୍ବାରା ଗ୍ରାହକମାନେ ପ୍ରଚାରଧର୍ମୀ କଲ୍‌ଗୁଡ଼ିକୁ ସହଜରେ ଜାଣିପାରିବେ। ଏବେ ସେଭଳି କଲ୍ କିମ୍ବା ଏସ୍‌ଏମ୍ଏସ୍‌କୁ ଆଗୁଆ ଜାଣିବା ଲାଗି କୌଣସି ବ୍ୟବସ୍ତା ନାହିଁ। ଅଯାଚିତ କଲ୍‌ ଦ୍ବାରା ଦେଶରେ ସାଇବର ଅପରାଧ ଓ ଠକେଇ ବହୁତ ବଢ଼ିଯାଇଛି। ତାହାର ମୁକାବିଲା ଲାଗି ପଦକ୍ଷେପ ନେବାକୁ ମଧ୍ୟ କଂପାନିଗୁଡ଼ିକୁ କୁହାଯାଇଛି।

ନେଟ୍‌ୱର୍କ ବିଭ୍ରାଟର ସୂଚନା ଦେବେ କଂପାନି
ନୂଆଦିଲ୍ଲୀ  ବୈଷୟିକ ତ୍ରୁଟି କିମ୍ବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଟେଲିକମ୍ ନେଟ୍‌ୱର୍କରେ ବିଭ୍ରାଟ ଦେଖାଦେଲେ ସେ ସମ୍ପର୍କରେ କଂପାନିଗୁଡ଼ିକ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)କୁ ସୂଚନା ଦେବେ। ନେଟ୍‌ୱର୍କରେ ଅଘଟଣ ଘଟିଲେ ତାହା ଗ୍ରାହକମାନଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଥାଏ। ବିଶେ‌ଷ କରି ସୀମାବର୍ତ୍ତୀ ଓ ପାର୍ବତ୍ୟାଞ୍ଚଳ ‌ଲୋକମାନେ ଅଧିକ ହଇରାଣ ହୋଇଥାନ୍ତି। ଟ୍ରାଇ କହିଛି ଯେ କୌଣସି ଜିଲ୍ଲାରେ ଚାରି ଘଣ୍ଟାରୁ ଅଧିକ ସମୟ ‌ନେଟ୍‌ୱର୍କରେ ବିଭ୍ରାଟ ଦେଖାଦେଲେ ତାହାର ସୂଚନା ୨୪ ଘଣ୍ଟା ଭିତରେ ଦେବେ। ନେଟ୍‌ୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ମୂଳ କାରଣ ଏବଂ ୭୨ ଘଣ୍ଟା ଭିତରେ ତାହାର ସମାଧାନ ସମ୍ପର୍କରେ ମଧ୍ୟ କଂପାନିଗୁଡ଼ିକ ସୂଚନା ଦେବେ।

ସମ୍ବନ୍ଧିତ ଖବର