ଭୁବନେଶ୍ବର: ଦେଶର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶାରେ ୧୨-୧୫ଟି ନୂଆ ଷ୍ଟୋର ଖୋଲିବାକୁ ଯୋଜନା ରଖିଛି। ୨୦୨୨ ମାର୍ଚ୍ଚ ସୁଦ୍ଧା ଏହି ସବୁ ଷ୍ଟୋର ଖୋଲିବ ବୋଲି କଂପାନିର ସିଇଓ ଶୁଭଙ୍କର ସେନ୍ କହିଛନ୍ତି। ଓଡ଼ିଶାରେ ଏବେ ଆମର ସାତଟି ଷ୍ଟୋର୍ ଭୁବନେଶ୍ବର, କଟକ, ବ୍ରହ୍ମପୁର, ବାଲେଶ୍ବର, ଭଦ୍ରକ, ଯାଜପୁର ଓ ବାରିପଦାରେ ରହିଛି। ଖୁବ୍ଶୀଘ୍ର ପଟିଆରେ ଆମେ ଏକ ବଡ଼ ଷ୍ଟୋର ଖୋଲିବୁ। ଆଗାମୀ ଦିନରେ ଆମ ନୂଆ ଷ୍ଟୋର୍ଗୁଡ଼ିକ ସମ୍ବଲପୁର, ରାଉରକେଲା, ଅନୁଗୁଳ ଓ ପୁରୀ ଭଳି ସହରରେ ଖୋଲାଯିବ। ଏବେ ଆମେ ଏହି ସବୁ ସ୍ଥାନରେ ଥିବା ବ୍ୟବସାୟ ସୁଯୋଗକୁ ଅନୁଧ୍ୟାନ କରୁଛୁ ବୋଲି ଶ୍ରୀ ସେନ୍ କହିଛନ୍ତି। ଓଡ଼ିଶା ବଜାରକୁ ନେଇ ଆମେ ବେଶ ଆଶାବାଦୀ ଓ ଏଠାକାର ଗ୍ରାହକମାନେ ଆମ ଗହଣାକୁ ବେଶ ପସନ୍ଦ କରୁଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗ ଭିତରେ ସାଂସ୍କୃତିକ ସମାନତା ଥିବା କାରଣରୁ ଆମ ଗହଣା ଡିଜାଇନ୍କୁ ଓଡ଼ିଶାର ଗ୍ରାହକମାନେ ପସନ୍ଦ କରନ୍ତି ବୋଲି ସେ କହିଛନ୍ତି।
ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ମୋଟ ଯେତିକି ଗହଣା ବିକ୍ରି କରୁଛି ସେଥି ମଧ୍ୟରୁ ୮୫% ମହିଳାଙ୍କ ଅଳଙ୍କାର ହୋଇଥିବା ବେଳେ ୧୫% ହେଉଛି ପୁରୁଷଙ୍କ ଗହଣା। ପୁରୁଷଙ୍କ ଅଳଙ୍କାର ମଧ୍ୟରେ ଚେନ୍ ଓ ବ୍ରେସ୍ଲେଟ୍ ଅଧିକ ମାତ୍ରାରେ ବିକ୍ରି ହେଉଛି। ମହିଳାମାନେ ବ୍ରାଇଡାଲ୍ ଗହଣା, ନେକ୍ଲେସ୍ ଓ ଚୂଡ଼ି ଅଧିକ କିଣୁଛନ୍ତି ବୋଲି ସେ କହିଛନ୍ତି। ଓଡ଼ିଶାର ଗ୍ରାହକମାନଙ୍କ ପସନ୍ଦ ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ ରାଜ୍ୟର ଲୋକମାନେ ସୁନା ଗହଣା କିଣିବାକୁ ଅଧିକ ପସନ୍ଦ କରନ୍ତି। ଏହା ସହିତ ପ୍ଲାଟିନମ୍କୁ ନେଇ ମଧ୍ୟ ଗ୍ରାହକଙ୍କ ଭିତରେ ବେଶ ଆଗ୍ରହ ଦେଖିବାକୁ ମିଳୁଛି। ପ୍ଲାଟିନମ୍ର ବିକ୍ରି ବଢ଼ୁଛି। ପରିମାଣ କମ୍ ରହୁଥିଲେ ମଧ୍ୟ ଅଭିବୃଦ୍ଧି ଉଚ୍ଚ ସ୍ତରର ରହୁଛି ବୋଲି ଶ୍ରୀ ସେନ୍ କହିଛନ୍ତି। ପ୍ଲାଟିନମ୍ର ଭବିଷ୍ୟତ ବେଶ ଉଜ୍ଜ୍ବଳ ବୋଲି ସେ ଆକଳନ କରିଛନ୍ତି।
ବର୍ତ୍ତମାନ ସୁନା ଦାମ୍ ଯେଉଁ ସ୍ତରରେ ରହିଛି ଅଳଙ୍କାର କିଣିବା ଲାଗି ଏହା ଶ୍ରେଷ୍ଠ ସମୟ ବୋଲି ଶ୍ରୀ ସେନ୍ କହିଛନ୍ତି। ତାଙ୍କ ମତରେ ଧନ୍ତେରସ୍ ସମୟରେ ଚାହିଦା ବଢ଼ିବ ଓ ଚାହିଦା ବଢ଼ିଲେ ଦାମ୍ ବି ବଢ଼ିବ। ଏବେ ସୁନା ଦାମ୍ ୪୪ ହଜାର ଟଙ୍କା ପାଖାପାଖି ଥିବାରୁ ଗ୍ରାହକମାନେ ଏବେ ଗହଣା କିଣିବା ବହୁତ ଭଲ ହେବ। ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଦୂର ହୋଇଥିବା ବେଳେ ଷ୍ଟୋର୍ଗୁଡ଼ିକରେ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୦ ତୁଳନାରେ ଚଳିତ ବର୍ଷ ଷ୍ଟୋର୍ରେ ପ୍ରବେଶ କରୁଥିବା ଗ୍ରାହକଙ୍କ ସଂଖ୍ୟା ୫୦-୬୦% ବଢ଼ିଛି। ତେଣୁ ଚଳିତ ଆର୍ଥିକ ବର୍ଷରେ ବିକ୍ରିରେ ୮-୧୦ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଶ୍ରୀ ସେନ୍ ଆକଳନ କରିଛନ୍ତି। ସାରା ଭାରତରେ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର ୧୧୬ ଷ୍ଟୋର୍ ରହିଛି। ସେଥିରୁ ୫୬ଟି ହେଉଛି ଫ୍ରାଞ୍ଚାଇଜି ମଡେଲ୍ରେ ଖୋଲାଯାଇଥିବା ଷ୍ଟୋର୍। ନିଜ ବ୍ୟବସାୟର ସମ୍ପ୍ରସାରଣ ବେଳେ କଂପାନି ଉଭୟ ମଡେଲ୍କୁ ବିଚାରକୁ ନେଇ ଆଗକୁ ବଢ଼ୁଛି ବୋଲି ଶ୍ରୀ ସେନ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/65fs4h564sf56h4h654fhs65fh.jpg)