ଆସୁଛି ପୂଜା: ୨୦୨୨ ମାର୍ଚ୍ଚ ସୁଦ୍ଧା ଟିଭିଏସ୍‌ ଆଣିବ ଦୁଇ ନୂଆ ମଡ଼େଲ

ଭୁବନେଶ୍ବର: ଦେଶର ପ୍ରମୁଖ ଦୁଇ ଚକିଆ ଯାନ କମ୍ପାନି ମଧ୍ୟରେ ଟିଭିଏସ୍‌ ଅନ୍ୟତମ। ଆପାଚି ଠାରୁ ଆରମ୍ଭ କରି ଜୁପିଟର ପର୍ଯ୍ୟନ୍ତ ଅନେକ ସଫଳ ମଡେଲ ବଜାରକୁ ଆଣି କମ୍ପାନି ବେଶ୍‌ ସଫଳତା ହାସଲ କରିଛି। ଭାରତ ସମେତ ବିଦେଶ ବଜାରରେ ଟିଭିଏସ୍‌ ଗାଡ଼ି ବିକ୍ରି କରୁଛି। ଦେଶରେ କମ୍ପାନିର ବର୍ତ୍ତମାନ ୧୦୫୦ଟି ସୋ’ରୁମ୍‌ ରହିଥିବାବେଳେ ଏଥିରୁ ଓଡ଼ିଶାରେ ୩୬ଟି ସୋ’ରୁମ୍ ରହିଛି। ନିୟମିତ ବ୍ୟବଧାନରେ କମ୍ପାନି ନୂଆ ମଡେଲ୍‌ ଗ୍ରାହକଙ୍କୁ ପ୍ରଦାନ କରିଆସୁଛି। ନିକଟରେ କମ୍ପାନି ୧୨୫ ସିସି ବର୍ଗରେ ରାଇଡର୍‌ ନାମରେ ଏକ ନୂଆ ଅତ୍ୟାଧୁନିକ ବାଇକ୍‌ ଆଣିଛି। ଏହା ଉକ୍ତ ବର୍ଗର ବାଇକ୍‌ କ୍ଷେତ୍ରରେ ଏକ ଗେମ୍‌ଚେଞ୍ଜର୍‌ ହେବ ବୋଲି ଟିଭିଏସ ମୋଟ କମ୍ପାନିର ଉପସଭାପତି (ବିକ୍ରି) ୟୁ ଭି ପାଣ୍ଡେ କହିଛନ୍ତି।

ସମ୍ବାଦକୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି। ‘ରାଇଡର’ରେ ଅନେକ ନୂଆ ନୂଆ ସୁବିଧା ସୁଯୋଗ କମ୍ପାନି ପ୍ରଦାନ କରିଛି। ଏସବୁକୁ ଗ୍ରାହକମାନେ ନିଶ୍ଚିତଭାବେ ପସନ୍ଦ କରିବେ। ଏଥିସହିତ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୨ ମାର୍ଚ୍ଚ ସୁଦ୍ଧା କମ୍ପାନି ଆଉ ୨ଟି ନୂଆ ମଡେଲ ବଜାରକୁ ଆଣିବା ଯୋଜନା ରଖିଛି। ଏଥିରୁ ଗୋଟିଏ ମୋଟରସାଇକଲ କ୍ଷେତ୍ରରେ ଅପ୍‌ଗ୍ରେଡେଡ୍‌ ମଡେଲ୍‌ ଭାବେ ଏବଂ ଅନ୍ୟଟି ସ୍କୁଟି ବର୍ଗରେ ଆସିବ ବୋଲି କମ୍ପାନିର ଉପ ସଭାପତି –ଶ୍ରୀ ପାଣ୍ଡେ କହିଛନ୍ତି।
ଅନ୍ୟାନ୍ୟ ଶିଳ୍ପ ଭଳି ଦୁଇ ଚକିଆ ଯାନ ନିର୍ମାତାଙ୍କ ପାଇଁ କରୋନା ମହାମାରୀ ନିଶ୍ଚିତ ଭାବେ ଚାଲେଞ୍ଜ ଆଣିଛି। କାରଣ କରୋନା ଯୋଗୁ ଲୋକଙ୍କ ଆୟ, ନିଯୁକ୍ତି ଏବଂ ଆତ୍ମବିଶ୍ବାସ ପ୍ରଭାବିତ ପଡ଼ିଛି। ସ୍ବାସ୍ଥ୍ୟ ସୁରକ୍ଷା ଏବେ ଲୋକଙ୍କ ପାଇଁ ପ୍ରାଥମିକତା ପାଲଟିଯାଇଛି। ତଥାପି ଦେଶରେ ଟିକାକରଣ ଯେଉଁ ହାରରେ ଚାଲିଛି ତାହା ଦ୍ବାରା ଆଗାମୀ ଦିନରେ କରୋନାର ପ୍ରକୋପକୁ ଅନେକ ମାତ୍ରାରେ ହ୍ରାସ କରାଯାଇପାରିବ। ଲୋକଙ୍କ ଆତ୍ମବିଶ୍ବାସ ଫେରିପାଇବ। ଯଦି ତୃତୀୟ ଲହର ନଆସେ ଏବଂ ଟିକାକରଣ ଭଲ ଭାବେ ଆଗେଇ ଚାଲେ ତା’ହେଲେ ଚଳିତ ଆର୍ଥିକବର୍ଷ ଶେଷ ଆଡ଼କୁ ବ୍ୟବସାୟ ୯୦ରୁ ୯୫ ପ୍ରତିଶତ ପର୍ଯ୍ୟନ୍ତ ସ୍ବାଭାବିକ ହୋଇଯିବ।

ଇ-ଭେଇକିଲ୍‌ କ୍ଷେତ୍ରରେ ଟିଭିଏସ୍ ପୂର୍ବରୁ ରହିଛି। ନିକଟରେ କମ୍ପାନି ୟୁରୋପର ଏକ ପ୍ରମୁଖ ଇ-ଭେଇକିଲ୍ କମ୍ପାନି ‘ଇଗୋ’କୁ କିଣିଛି। କମ୍ପାନିର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଗତମାସରେ ଇ-ଭେଇକିଲ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କାର ନିବେଶ ଘୋଷଣା କରିଛନ୍ତି। କମ୍ପାନି ନିକଟରେ ଅତ୍ୟାଧୁନିକ ଇଲେକ୍ଟ୍ରିକ ଯାନ ନିର୍ମାଣ ପ୍ଲାଟଫର୍ମ ରହିଛି। ତେଣୁ ଆଗାମୀ ଦିନରେ ଇ-ଭେଇକିଲ୍‌ କ୍ଷେତ୍ରରେ ମଧ୍ୟ ଅନେକ ନୂଆ ଉତ୍ପାଦ ବଜାରକୁ ଆସିବା ନେଇ ସେ ଦୃଢ଼ ଆଶାବାଦୀ ଅଛନ୍ତି। ନିକଟରେ ସରକାର ଅଟୋମୋବାଇଲ ଶିଳ୍ପ ପାଇଁ ପିଏଲ୍‌ଆଇ ସ୍କିମ୍ ଘୋଷଣା କରିଛନ୍ତି। ଏହା ଅଟୋମୋବାଇଲ ଶିଳ୍ପକୁ ଆଗକୁ ନେବାରେ ବିଶେଷ ସହାୟକ ହେବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଗତ କିଛିମାସ ହେଲା ବିଶ୍ବରେ ସେମିକଣ୍ଡକ୍ଟରର ଅଭାବ ଦେଖାଦେଇଛି। ସେମିକଣ୍ଡକ୍ଟର ସହିତ ଗାଡ଼ି ନିର୍ମାଣରେ ବ୍ୟବହୃତ ଅନ୍ୟାନ୍ୟ ଉପକରଣର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। କମ୍ପାନି ଉପରେ ଏହାର ଚାପ ରହିଛି। ତେବେ ଅନ୍ୟ କମ୍ପାନି ଗୁଡ଼ିକ କିଭଳି ପଦକ୍ଷେପ ନେଉଛନ୍ତି ତାହାକୁ ଦେଖି ଟିଭିଏସ ପଦକ୍ଷେପ ନେବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି।

ଓଡ଼ିଶାରେ ବର୍ତ୍ତମାନ ଟିଭିଏସର ୧୫ ପ୍ରତିଶତ ବଜାରଅଂଶ ରହିଛି। ଏହାକୁ ବଢ଼ାଇବା ପାଇଁ କମ୍ପାନି ଉଦ୍ୟମ ଚଳାଇଛି। ଦେଶରେ ଟିଭିଏସ୍‌ ମାସକୁ ୧,୦୦, ୦୦୦ ସ୍କୁଟି ବିକ୍ରି କରୁଛି ବୋଲି‌ ସେ କହିଛନ୍ତି। ତେବେ ପୂଜା ପାଇଁ କମ୍ପାନି କୌଣସି କ୍ୟାସ ଉପହାରର ଯୋଜନା ରଖିନାହିଁ। ଏହା ବଦଳରେ କମ୍ପାନି ଗ୍ରାହକଙ୍କୁ ଉତ୍ତମ ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରଦାନ କରିବା ଉପରେ ଗୁରୁତ୍ବ ଦେଉଛି ବୋଲି ଶ୍ରୀ ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର