ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆପ୍ଲିକେସନ ୟୋନୋରେ ୟୁପିଆଇ ଭଳି ସୁବିଧା ଉପଲବ୍ଧ ହୋଇଛି। ଗ୍ରାହକମାନେ ସ୍କାନ୍ ଆଣ୍ଡ୍ ପେ’, ପେ’ ବାଏ କଣ୍ଟାକ୍ଟ ସୁବିଧା ପାଇପାରିବେ ଏବଂ ଅର୍ଥରାଶି ପାଇବା ଲାଗି ଅନୁରୋଧ ମଧ୍ୟ ପଠାଇପାରିବେ। ୨୦୧୭ରେ ୟୋନୋ ଆରମ୍ଭ ହୋଇଥିଲା। ଏହା ପରଠାରୁ ୬ କୋଟିରୁ ଅଧିକ ଗ୍ରାହକ ଏହି ଆପ୍ ବ୍ୟବହାର କରୁଛନ୍ତି। ୨୦୨୨-୨୩ରେ ୟୋନୋ ଜରିଆରେ ସମ୍ପୂର୍ଣ୍ଣ ଡିଜିଟାଲ୍ ଉପାୟରେ ୭୮.୬୦ ଲକ୍ଷ ସଞ୍ଚୟ ଖାତା ଖୋଲାଯାଇଥିଲା।
ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଇଣ୍ଟରଅପରେବଲ୍ କାର୍ଡଲେସ୍ ଟଙ୍କା ଉଠାଣ ସୁବିଧା ମଧ୍ୟ ଆରମ୍ଭ କରାଯାଇଛି। ଏହି ସୁବିଧାକୁ ଉଭୟ ଷ୍ଟେଟ୍ ବ୍ୟାଙ୍କ ଓ ଅଣ-ଷ୍ଟେଟ୍ ବ୍ୟାଙ୍କ ଗ୍ରାହକମାନେ ବ୍ୟବହାର କରିପାରିବେ। ‘ୟୁପିଆଇ କ୍ୟୁଆର୍ କ୍ୟାସ୍’କୁ ବ୍ୟବହାର କରି ଗ୍ରାହକମାନେ ଏଟିଏମ୍ରୁ ଟଙ୍କା ଉଠାଇପାରିବେ। ତେବେ ଏହି ସୁବିଧା ଥିବା ଏଟିଏମ୍ରୁ ହିଁ ଟଙ୍କା ଉଠାଯାଇପାରିବ। ଏହି ସୁବିଧାରେ ଗ୍ରାହକମାନଙ୍କୁ ପିନ୍ ଦାଖଲ କରିବାକୁ ପଡ଼ିବ ନାହିଁ କିମ୍ବା କାର୍ଡ ଧରି ଏଟିଏମ୍ ଯିବାକୁ ପଡ଼ିବନି। ଗ୍ରାହକମାନେ ସୁରକ୍ଷିତ ଭାବେ ଏଟିଏମ୍ରୁ ଟଙ୍କା ଉଠାଇପାରିବେ।