ନୂଆ ମାଇଲଖୁଣ୍ଟ ହାସଲ କଲା ୟୁପିଆଇ

ନୂଆଦିଲ୍ଲୀ: ଡିଜିଟାଲ କାରବାର କ୍ଷେତ୍ରରେ ୟୁପିଆଇ (ୟୁନିଫାଏଡ ପେମେଣ୍ଟ୍‌ସ ଇଣ୍ଟରଫେସ୍‌) ନୂଆ ବିପ୍ଳବ ଆଣିଛି। ଏହାଦ୍ବାରା ଲୋକମାନେ ତୁରନ୍ତ ‌ଅନ୍ୟଙ୍କୁ ଟଙ୍କା ସ୍ଥାନାନ୍ତାର କରିପାରୁଛନ୍ତି। ତେବେ ଅଗଷ୍ଟ ମାସରେ ଭାରତରେ ୟୁପିଆଇ ନୂଆ ମାଇଲଖୁଣ୍ଟ ହାସଲ କରିଛି। ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ବାରା ପରିଚାଳିତ ହେଉଥିବା ୟୁପିଆଇରେ ୧୦ ବିଲିଅନ ଥରରୁ ଅଧିକ କାରବାର ଅଗଷ୍ଟ ମାସରେ ହୋଇଛି। ଫୋନପେ, ଗୁଗୁଲ୍‌ ପେ ଏବଂ ପେ‌ଟିଏମ୍‌ ଆଦି ପ୍ରମୁଖ ସଂସ୍ଥା ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଫୋନ୍‌ ‌ପେ ଜରିଆରେ ପ୍ରାୟ ୪.୭ ବିଲିଅନ ସଂଖ୍ୟକ ଏବଂ ଗୁଗୁଲ୍‌ ପେ ଜରିଆରେ ୩.୪ ବିଲିଅନ କାରବାର ହୋଇଛି। ଚଳିତବର୍ଷ ଅଗଷ୍ଟରେ ମୋଟ ୧୦.୫ ବିଲିଅନ ସଂଖ୍ୟକ କାରବାର ହୋଇଥିବାବେଳେ ଜୁଲାଇରେ ଏହା ୯.୯ ବିଲିଅନ ରହିଥିଲା। ମୂଲ୍ୟଦୃଷ୍ଟିରୁ ଦେଖିଲେ ଅଗଷ୍ଟ ମାସରେ ‌୧୫.୭ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ଜୁଲାଇ ମାସରେ ଏହା ୧୫.୩ ଲକ୍ଷ କୋଟି ଟଙ୍କା ରହିଥିଲା। ୟୁପିଆଇ ବ୍ୟବସ୍ଥା ସହିତ ଏବେ ୪୭୩ଟି ବ୍ୟାଙ୍କ ଯୋଡ଼ି ହୋଇଛନ୍ତି। ଏନପିସିଆଇର ସୂଚନା ଅନୁଯାୟୀ ଗତବର୍ଷ ଅଗଷ୍ଟରେ ୬.୫ ବିଲିଅନ ସଂଖ୍ୟକ କାରବାର ୟୁପିଆଇରେ ହୋଇଥିଲା। ୨୦୨୧ ଅଗଷ୍ଟରେ ଏହି ସଂଖ୍ୟା ୩.୫ ବିଲିଅନ ରହିଥିଲା।

ସମ୍ବନ୍ଧିତ ଖବର