ଡିଜିଟାଲ କାରବାରରେ ଅଧିକ ପସନ୍ଦ ୟୁପିଆଇ: ଡେବିଟ୍, କ୍ରେଡିଟ୍ କାର୍ଡ ସଂଖ୍ୟା ୧୦୦ କୋଟି ପାର୍‌

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ କାରବାର ବୃଦ୍ଧି ପାଉଛି। ଡେବିଟ୍ ଓ କ୍ରେଡିଟ୍ କାର୍ଡ ସଂଖ୍ୟା ୧୦୦ କୋଟି ଟପିଛି। ତେବେ ଭାରତୀୟଙ୍କ ସବୁଠୁ ଅଧିକ ପସନ୍ଦର କାରବାର ମାଧ୍ୟମ ୟୁପିଆଇ (ୟୁନାଇଟେଡ ପେମେଣ୍ଟ ଇଣ୍ଟରଫେସ) ରହିଛି। ମାସକୁ ୬୦୦ କୋଟିରୁ ଅଧିକ ସଂଖ୍ୟକ କାରବାର ୟୁପିଆଇରେ ହେଉଛି। ୨୦୨୨ ଦ୍ବିତୀୟ ତ୍ରୟମାସ ପାଇଁ ୱାର୍ଲଡଲାଇନ ଇଣ୍ଡିଆ ଡିଜିଟାଲ ପେମେଣ୍ଟସ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏହା ଦର୍ଶାଯାଇଛି। ଦେଶରେ ପ୍ରଚଳନରେ ଥିବା କ୍ରେଡିଟ୍ କାର୍ଡ ସଂଖ୍ୟା ୨୦୨୧ ଜୁନରେ ୬୨.୭୧ ନିୟୁତ ଥିବାବେଳେ ୨୦୨୨ ଜୁନରେ ତାହା ୭୮.୭ ନିୟୁତରେ ପହଞ୍ଚିଛି। ସେହିଭଳି ଡେବିଟ କାର୍ଡ ସଂଖ୍ୟା ୨୦୨୧ ଜୁନରେ ୯୦୬ ନିୟୁତ ଥିବାବେଳେ ୨୦୨୨ ଜୁନରେ ୯୨୧.୭୫ ନିୟୁତରେ ପହଞ୍ଚିଛି।

୨୦୨୧-୨୨ ଆର୍ଥିକ ବର୍ଷର ଏପ୍ରିଲ-ଜୁନ ଅବଧିରେ ୨୦.୫୭ ବିଲିଅନ ସଂଖ୍ୟକ ଡିଜିଟାଲ କାରବାର ହୋଇଛି। ମୂଲ୍ୟ ଅନୁସାରେ ଏହା ୩୬.୦୮ ଲକ୍ଷ କୋଟି ଟଙ୍କା। ଏସବୁ କାରବାର ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ମୋବାଇଲ ୱାଲେଟ ଏବଂ ୟୁପିଆଇରେ ହୋଇଛି। ଜୁଲାଇରୁ ସେପ୍ଟେମ୍ବର ଅବଧିରେ ୟୁପିଆଇ ଜରିଆରେ ପି୨ପି ବା ବ୍ୟକ୍ତିଙ୍କ ଠାରୁ ବ୍ୟକ୍ତିଙ୍କ ନିକଟକୁ କାରବାର ସଂଖ୍ୟା ୪୭ ପ୍ରତିଶତ ଏବଂ ମୂଲ୍ୟଦୃଷ୍ଟିରୁ ମୋଟ କାରବ‌ାର ୬୭ ପ୍ରତିଶତ ରହିଛି।
ୟୁପିଆଇର ମୋଟ କାରବାର ସଂଖ୍ୟା ୧୭.୪ ବିଲିଅନ ଏବଂ ମୋଟ କାରବାର ମୂଲ୍ୟ ୩୦.୪ ଲକ୍ଷ କୋଟି ଟଙ୍କା ରହିଛି। ପି୨ଏମ ବା ପର୍ସନ ଟୁ ମର୍ଚ୍ଚାଣ୍ଟ କାରବାର କ୍ଷେତ୍ରରେ ଏହାର ବଜାରଅଂଶ ସଂଖ୍ୟା ଦୃଷ୍ଟିରୁ ୩୪ ପ୍ରତିଶତ ଏବଂ ମୂଲ୍ୟଦୃଷ୍ଟିରୁ ୧୭ ପ୍ରତିଶତ ରହିଛି। ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡରେ କାରବାର ସଂଖ୍ୟାଦୃଷ୍ଟିରୁ ୮ ପ୍ରତିଶତ ଏବଂ ମୂଲ୍ୟଦୃଷ୍ଟିରୁ ୧୪ ପ୍ରତିଶତ ରହିଛି। ବଡ଼ ବଡ଼ କାରବାର କ୍ଷେତ୍ରରେ କ୍ରେଡିଟ୍ କାର୍ଡ ଲୋକଙ୍କ ପସନ୍ଦ ରହିଥିବାବେଳେ ବିଭିନ୍ନ ବର୍ଗର କାରବାର କ୍ଷେତ୍ରରେ ୟୁପିଆଇ ଲୋକଙ୍କ ପ୍ରିୟ ମା‌ଧ୍ୟମ ରହିଛି।

ଦେଶରେ ଡିଜିଟାଲ କାରବାରର ଲୋକପ୍ରିୟତା ବଢ଼ୁଛି। ପୂର୍ବ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ତୁଳନାରେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ସଂଖ୍ୟା ଦୃଷ୍ଟିରୁ ଡିଜିଟାଲ କାରବାର ୧୧୮ ପ୍ରତିଶତ ଏବଂ ମୂଲ୍ୟ ଦୃଷ୍ଟିରୁ ୯୮ ପ୍ରତିଶତ ବୃଦ୍ଧି ପାଇଛି। ଅଧିକ କାରବାର ସଂଖ୍ୟାଦୃଷ୍ଟିରୁ ଶ୍ରେଷ୍ଠ ୟୁପିଆଇ ଆପ୍‌ଗୁଡ଼ିକ ମଧ୍ୟରେ ଫୋନପେ, ଗୁଗୁଲ ପେ ଏବଂ ପେଟିଏମ ଆଦି ରହିଛି। ଦୋକାନରେ ଅଧିକ ସଂଖ୍ୟାରେ ଡିଜିଟାଲ କାରବାର ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ କେରଳ ରହିଛନ୍ତି। ସେହିଭଳି ସହର ଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ ଏବଂ ପୁଣେ ରହିଛନ୍ତି। ପି୨ପି ୟୁପିଆଇରେ ହାରାହାରି କାରବାର ରାଶି ୨୪୨୫ ଟଙ୍କା ରହିଥିବାବେଳେ ପି୨ଏମ୍‌ରେ ହାରାହାରି କାରବାର ୮୨୦ ଟଙ୍କା ରହିଛି।

ସମ୍ବନ୍ଧିତ ଖବର