ମାଲେ: ମାଳଦ୍ବୀପରେ ଭାରତ ୟୁପିଆଇ (ୟୁନାଇଟେଡ ପେମେଣ୍ଟ ଇଣ୍ଟରଫେସ୍) ସେବା ଆରମ୍ଭ କରିବ। ଏଥିପାଇଁ ଭାରତ ଓ ମାଳଦ୍ବୀପ ମଧ୍ୟରେ ଏକ ରାଜିନାମା ଶୁକ୍ରବାର ସ୍ବାକ୍ଷରିତ ହୋଇଛି। ମାଳଦ୍ବୀପକୁ ୩ ଦିନିଆ ଗସ୍ତରେ ଥିବା ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଉପସ୍ଥିତିରେ ଏହି ରାଜିନାମା ହୋଇଛି। ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ଭଲ ପ୍ରଭାବ ପଡ଼ିବ ବୋଲି ଜୟଶଙ୍କର କହିଛନ୍ତି। ଭାରତର ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ଏବଂ ମାଳଦ୍ବୀପର ଅର୍ଥନୈତିକ ବିକାଶ ଓ ବାଣିଜ୍ୟ ମନ୍ତ୍ରାଳୟ ମଧ୍ୟରେ ରାଜିନାମା ସ୍ବାକ୍ଷର ହୋଇଛି ବୋଲି ଜୟଶଙ୍କର ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ୍ କରିଛନ୍ତି।
ଏନପିସିଆଇ ଦ୍ବାରା ବିକାଶ ହୋଇଥିବା ୟୁପିଆଇ ଜରିଆରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ତୁରନ୍ତ ମୋବାଇଲ ଫୋନ ଜରିଆରେ ଟଙ୍କା ସ୍ଥାନାନ୍ତର ହୋଇପାରୁଛି। ମାଳଦ୍ବୀପର ବିଦେଶମନ୍ତ୍ରୀ ମୁସା ଜମିରଙ୍କ ଉପସ୍ଥିତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଜୟଶଙ୍କର କହିଛନ୍ତି ୟୁପିଆଇ ଜରିଆରେ ଭାରତରେ ଡିଜିଟାଲ କାରବାର କ୍ଷେତ୍ରରେ ବିପ୍ଳବ ଆସିଛି। ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏକ ନୂଆ ସ୍ତରରେ ପହଞ୍ଚିଛି। ବିଶ୍ବର ୪୦ ପ୍ରତିଶତ ଡିଜିଟାଲ କାରବାର ଭାରତରେ ହେଉଛି ବୋଲି ଜୟଶଙ୍କର କହିଥିଲେ। ଉଲ୍ଲେଖଯୋଗ୍ୟ, ମାଳଦ୍ବୀପ ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ସେହି ଦେଶର ମୋଟ ଜିଡିପିରେ ପର୍ଯ୍ୟଟନର ଯୋଗଦାନ ପ୍ରାୟ ୩୦ ପ୍ରତିଶତ। ୬୦ ପ୍ରତିଶତରୁ ଅଧିକ ବିଦେଶୀ ମୁଦ୍ରା ପର୍ଯ୍ୟଟନ ଜରିଆରେ ଏହି ଦେଶ ପାଇଥାଏ। ବିଗତ ଦିନରେ ଦୁଇ ଦେଶ ମଧ୍ୟରେ ସଂପର୍କ ଖରାପ ହୋଇଥିଲା। ତାହାକୁ ସଜାଡ଼ିବା ଜୟଶଙ୍କରଙ୍କ ଗସ୍ତର ଉଦ୍ଦେଶ୍ୟ ବୋଲି କୁହାଯାଉଛି। ୟୁପିଆଇ ସମେତ ଦୁଇ ଦେଶ ମଧ୍ୟରେ ଅନ୍ୟ କେତେକ କ୍ଷେତ୍ରରେ ବୁଝାମଣା ସ୍ବାକ୍ଷର ହୋଇଛି।
ଭାରତ ପକ୍ଷରୁ ମାଳଦ୍ବୀପକୁ ଶନିବାର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଜଳ ଓ ପରିମଳ ପ୍ରକଳ୍ପ ପାଇଁ ପ୍ରାୟ ୯୨୩ କୋଟି ଟଙ୍କା (୧୧୦ ନିୟୁତ ଡଲାର) ପ୍ରଦାନ କରିଛନ୍ତି। ମାଳଦ୍ବୀପର ୨୮ଟି ଦ୍ବୀପରେ ପ୍ରାୟ ୭ ପ୍ରତିଶତ ଲୋକ ଏହାଦ୍ବାରା ଉପକୃତ ହେବେ। ମାଳଦ୍ବୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୟଶଙ୍କର ଏହି ପ୍ରକଳ୍ପକୁ ଭର୍ଚୁଆଲ ମୋଡ୍ରେ ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପ ପାଇଁ ମୁଇଜୁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।