ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚାଲିଥିବା ପୁରୁଷ ଟି୨୦ କ୍ରିକେଟ୍ ବିଶ୍ବକପ୍ ୨୦୨୨ରେ ଗତ ରବିବାର ଅନୁଷ୍ଠିତ ହୋଇଥିବା ଭାରତ-ପାକ୍ ମ୍ୟାଚ୍ ରୋମାଞ୍ଚ ବ୍ୟବୀତ ଅନ୍ୟ ବହୁ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି। ଏହି ମ୍ୟାଚ୍ ଚାଲିଥିବା ବେଳେ ଭାରତରେ ୟୁପିଆଇ କାରବାର ୨୨% ହ୍ରାସ ପାଇଥିଲା। ମ୍ୟାକ୍ସ ଲାଇଫ୍ର ମୁଖ୍ୟ ନିବେଶ ଅଧିକାରୀ ମିହିର ଭୋରା ଏହି ଦାବି କରିଛନ୍ତି। ଭାରତ ପେ’ ଆପ୍ର ୟୁପିଆଇ କାରବାରର ଏକ ଗ୍ରାଫ୍କୁ ଜାରି କରି ସେ ସେହି ଦାବିକୁ ଯଥାର୍ଥ ପ୍ରମାଣ କରିବାକୁ ପ୍ରୟାସ କରିଛନ୍ତି। ଗତ ରବିବାର ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମ୍ୟାଚ୍ରେ ଶେଷ ବଲ୍ରେ ପାକିସ୍ତାନକୁ ଭାରତ ହରାଇଥିଲା। ଏହି ରୋମାଞ୍ଚକର ମ୍ୟାଚ୍ରେ ବିରାଟ କୋହଲି ୮୨ ରନ୍ କରିଥିଲେ।
ଶ୍ରୀ ଭୋରା ଟ୍ବିଟ୍ କରି ଲେଖିଛନ୍ତି ଯେ ଭାରତୀୟମାନଙ୍କୁ ବିରାଟ କୋହ୍ଲି ସପିଙ୍ଗ୍ କରିବାକୁ ଦେଇନଥିଲେ। ଗତ ରବିବାର ସକାଳ ୯ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନଲାଇନ୍ ସପିଙ୍ଗ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ମ୍ୟାଚ୍ ଶେଷ ହେବା ପରେ ସପିଙ୍ଗ୍ ସ୍ବାଭାବିକ ହୋଇଥିଲା। ସେ ଯେଉଁ ଗ୍ରାଫ୍ ପୋଷ୍ଟ୍ କରିଛନ୍ତି ସେଥିରେ ସକାଳ ୯ଟାରୁ ମ୍ୟାଚ୍ ଆରମ୍ଭ ହେବା ସମୟ (ଅପରାହ୍ନ ୧.୩୦ ମିନିଟ୍) ପର୍ଯ୍ୟନ୍ତ ଭାରତ ପେ’ରେ କାରବାରରେ ଉଲ୍ଲେଖନୀୟ ବୃଦ୍ଧି ରହିଥିଲା। ମ୍ୟାଚ୍ ଆରମ୍ଭ ହେବା ପରେ ପେମେଣ୍ଟ୍ ହଠାତ୍ ହ୍ରାସ ପାଇଥିଲା। ଅପରାହ୍ନ ୫ଟା ସୁଦ୍ଧା ୟୁପିଆଇ କାରବାର ୨୨% ହ୍ରାସ ପାଇଥିଲା।