ମୁମ୍ବାଇ: ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ସୁବିଧା ଏବେ କେବଳ ସ୍ମାର୍ଟଫୋନ୍ରେ ଉପଲବ୍ଧ ରହିଛି। ଆଗାମୀ ଦିନରେ ଫିଚର୍ ଫୋନ୍ ଲାଗି ୟୁପିଆଇ ଭଳି ସୁବିଧା ଆସିବ ବୋଲି ଆଜି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ରିଜର୍ଭ ବ୍ୟାଙ୍କର ରିଟେଲ୍ ଡାଇରେକ୍ଟ ସ୍କିମ୍ ଓ ଆଇପିଓ ଆବେଦନରେ ୟୁପିଆଇ ପେମେଣ୍ଟ୍ର ସୀମାକୁ ୨ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଛି। ରିଟେଲ୍ ଡାଇରେକ୍ଟ ସ୍କିମ୍ ଜରିଆରେ ସାଧାରଣ ଲୋକମାନଙ୍କୁ ସରକାରୀ ପ୍ରତିଭୂତ୍ତିରେ ନିବେଶ କରିବାର ସୁଯୋଗ ପ୍ରଦାନ କରାଯାଇଛି। ଏଥିପାଇଁ ଲୋକମାନଙ୍କୁ ରିଜର୍ଭ ବ୍ୟାଙ୍କରେ ଏକ ସିକ୍ୟୁରିଟି ଆକାଉଣ୍ଟ୍ ଖୋଲିବାକୁ ପଡ଼ିବ।
ସେହିପରି, ଡିଜିଟାଲ୍ ପେମେଣ୍ଟ୍ ପାଇଁ ଯେଉଁ ଶୁଳ୍କ ଆଦାୟ କରାଯାଉଛି ତାହାକୁ ସୁଲଭ ସ୍ତରରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଚାହୁଛନ୍ତି। ଶୁଳ୍କ କେଉଁ ସୀମାରେ ରହିଲେ ଉଭୟ ସଂସ୍ଥା ଓ ଗ୍ରାହକଙ୍କ ଲାଗି ଉପଯୋଗୀ ହୋଇପାରିବ ତାହା ଜାଣିବା ଲାଗି ରିଜର୍ଭ ବ୍ୟାଙ୍କ ଏକ ଆଲୋଚନା ପେପର ଜାରି କରିବେ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି ଯେ ସମସ୍ତ ଅଂଶୀଦାରଙ୍କ ମିଳିତ ଉଦ୍ୟମ ଯୋଗୁଁ ଡିଜିଟାଲ୍ ପେମେଣ୍ଟ୍ରେ ବଡ଼ ଧରଣର ବୃଦ୍ଧି ହୋଇଛି।
ମାତ୍ର କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ୟୁପିଆଇ, ଡିଜିଟାଲ୍ ୱାଲେଟ୍ ଓ ପେମେଣ୍ଟ୍ ଆପ୍ ଆଦି ଜରିଆରେ ପେମେଣ୍ଟ୍ କରିବା ବେଳେ ଗ୍ରାହକଙ୍କୁ ଶୁଳ୍କ ଗଣିବାକୁ ପଡ଼ୁଛି। ବିଭିନ୍ନ ମାଧ୍ୟମରେ ପେମେଣ୍ଟ୍ କରିବା ବେଳେ ଯେଉଁ ଶୁଳ୍କ ଲାଗୁ କରାଯାଉଛି ତାହାର ବିଭିନ୍ନ ଦିଗକୁ ଅନୁଶୀଳନ କରାଯିବ। କନ୍ଭିନିଏନ୍ସ ଫି’, ସରଚାର୍ଜ ଆଦି ଜରିଆରେ ଯାହା ଆଦାୟ କରାଯାଉଛି ସେ ବିଷୟରେ ମତାମତ ସଂଗ୍ରହ କରାଯିବ।
ଆଜି ମୁଦ୍ରାନୀତି ରିପୋର୍ଟ ଜାରି କରି ରିଜର୍ଭ ବ୍ୟାଙ୍କ ସୁଧ ହାରକୁ ଅପରିବର୍ତ୍ତିତ ରଖିଥିବା ଘୋଷଣା କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୫% ଓ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଦେଶର ସାଂପ୍ରତିକ ସ୍ଥିତିକୁ ନଜରରେ ରଖି ସୁଧ ହାରକୁ ଅପରିବର୍ତ୍ତିତ ରଖିବା ପ୍ରସ୍ତାବ କମିଟିରେ ୫-୧ ଭୋଟ୍ରେ ପାସ୍ ହୋଇଥିଲା। ରେପା ହାର ୪%ରେ ଅପରିବର୍ତ୍ତିତ ରଖାଯାଇଥିବାରୁ ଗୃହ, ଗାଡ଼ି ଓ ବ୍ୟକ୍ତିଗତ ଋଣ ନେଇଥିବା ଗ୍ରାହକଙ୍କ ଇଏମ୍ଆଇରେ କୌଣସି ପରିବର୍ତ୍ତନ ହେବ ନାହିଁ।
ୟୁପିଆଇରେ ‘ଅନ୍-ଡିଭାଇସ୍ ୱାଲେଟ୍’ ସୁବିଧା ମିଳିବ
ୟୁପିଆଇରେ ‘ଅନ୍-ଡିଭାଇସ୍ ୱାଲେଟ୍’ ଖୋଲିବାର ଅନୁମତି ଦିଆଯିବ ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି। ଏହା ଇଣ୍ଟରନେଟ୍ ନଥିଲେ ବି କାମ କରିବ। ପେମେଣ୍ଟ୍ କରିବା ବେଳେ ଦୁର୍ବଳ ଇଣ୍ଟରନେଟ୍ ଯୋଗୁଁ ପେମେଣ୍ଟ୍ ହୋଇପାରେ ନାହିଁ। ସେହି ସମସ୍ୟା ଦୂର କରିବାରେ ଅନ୍-ଡିଭାଇସ୍ ୱାଲେଟ୍ ସହାୟକ ହେବ। ଏହା ପେଟିଏମ୍, ଫୋନ୍ପେ ଭଳି ସଂସ୍ଥାର ୱାଲେଟ୍ ଠାରୁ ସମ୍ପୂର୍ଣ୍ଣ ଅଲଗା। ୟୁପିଆଇ ଜରିଆରେ ଲୋକମାନେ ଅନେକ ସ୍ବଳ୍ପ ମୂଲ୍ୟର ପେମେଣ୍ଟ୍ କରୁଛନ୍ତି। ସେହି ଟଙ୍କା ସିଧାସଳଖ ଗ୍ରାହକଙ୍କ ବ୍ୟାଙ୍କ ଖାତାରୁ କଟୁଥିବାରୁ ବ୍ୟାଙ୍କର ବ୍ୟବସ୍ଥା ଉପରେ ମଧ୍ୟ ଚାପ ପଡ଼ୁଛି। ଗ୍ରାହକମାନଙ୍କ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ ମଧ୍ୟ ଲମ୍ବା ହେଉଛି। ଅନ୍-ଡିଭାଇସ୍ ୱାଲେଟ୍ ଆସିଲେ ଏହି ଅସୁବିଧା ରହିବ ନାହିଁ। ଏହି ୱାଲେଟ୍ରେ ଗ୍ରାହକ କିଛି ଟଙ୍କା ରଖିପାରିବେ। ଛୋଟମୋଟ ପେମେଣ୍ଟ୍ କରିବା ପାଇଁ ତାହାକୁ ସେମାନେ ବ୍ୟବହାର କରିବେ। ଫଳରେ ବ୍ୟାଙ୍କ ବ୍ୟବସ୍ଥା ଉପରେ ଅଯଥା ଚାପ ସୃଷ୍ଟି ହେବ ନାହିଁ। ପେମେଣ୍ଟ୍ ଫେଲ୍ ହେବା ସମସ୍ୟା ମଧ୍ୟ ଦୂର ହେବ।
/sambad/media/post_attachments/904455163c7a3c4ae97ffe90d9620ba5ecfff0e905ef79e8e094bf4e8905fedf.jpg)
ଡିଜିଟାଲ୍ ମୁଦ୍ରାରେ ସାଇବର ନିରାପତ୍ତା, ଠକେଇ ବଡ଼ ସମସ୍ୟା
ନୂଆଦିଲ୍ଲୀ: କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା ଜାରି କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ସଜବାଜ ହେଉଥିବା ବେଳେ ଏହି ନୂଆ ବ୍ୟବସ୍ଥା ପାଇଁ ସାଇବର ନିରାପତ୍ତା ଓ ଠକେଇ ସବୁଠୁ ବଡ଼ ସମସ୍ୟା। ସେଥିପାଇଁ ଆମକୁ ଯତ୍ନବାନ ରହିବାକୁ ପଡ଼ିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି। କିଛି ବର୍ଷ ପୂର୍ବେ ଜାଲ୍ ନୋଟ୍ ଯେଭଳି ଏକ ସମସ୍ୟା ଥିଲା ଡିଜିଟାଲ୍ ମୁଦ୍ରା ଆସିଲେ ସେହି ଧରଣର ସମସ୍ୟା ଉପୁଜିବ। ଏହାର ମୁକାବିଲା ଲାଗି ଦୃଢ଼ ସୁରକ୍ଷା ପ୍ରାଚୀରର ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଶ୍ରୀ ଦାସ କହିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ରିଜର୍ଭ ବ୍ୟାଙ୍କ ଏହାର ନିଜସ୍ବ ଡିଜିଟାଲ୍ ମୁଦ୍ରା ଆଣିବ ବୋଲି କୁହାଯାଉଛି।