ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍ ୧ରୁ ଅଚଳ ଥିବା ମୋବାଇଲ୍ ନମ୍ବରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାମ କରିବ ନାହିଁ। ୟୁପିଆଇ ସେବା ସହ ଲିଙ୍କ୍ ହୋଇଥିବା ନମ୍ବର ଚାଲୁ ନଥିଲେ, ସେଥିରେ କାରବାର ହୋଇପାରିବନି। ଏପ୍ରିଲ୍ ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ। ବ୍ୟାଙ୍କ ଖାତା ସହ ଲିଙ୍କ୍ ହୋଇ ଲମ୍ବା ସମୟ ପର୍ଯ୍ୟନ୍ତ ସକ୍ରିୟ ନ ଥିବା ମୋବାଇଲ୍ ନମ୍ବରଗୁଡ଼ିକୁ ୟୁପିଆଇ ସିଷ୍ଟମ୍ରୁ ହଟାଇ ଦିଆଯିବ। ଯେଉଁମାନଙ୍କ ବ୍ୟାଙ୍କ ଖାତାରେ ପୁରୁଣା ଓ ଅଚଳ ମୋବାଇଲ୍ ନମ୍ବର ଲିଙ୍କ୍ ହୋଇରହିଛି, ସେମାନେ ପ୍ରଭାବିତ ହେବା ଆଶଙ୍କା ରହିଛି। ଅଚଳ ମୋବାଇଲ୍ ନମ୍ବରଗୁଡ଼ିକୁ ହଟାଇବା ଲାଗି ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ବ୍ୟାଙ୍କ ଓ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏହା ଖୁବ୍ଶୀଘ୍ର ପୁଲ୍ ଟ୍ରାଞ୍ଜାକ୍ସନ ସୁବିଧା ମଧ୍ୟ ବନ୍ଦ କରିବ।
ସାଇବର୍ ଠକେଇ ରୋକିବା ଲାଗି ଏନ୍ପିସିଆଇ ଏହି ନିଷ୍ପତ୍ତି ନେଇଛି। ଅନେକ ସମୟରେ ଦୀର୍ଘଦିନ ଧରି ଅଚଳ ରହୁଥିବା ମୋବାଇଲ୍ ନମ୍ବରକୁ ଟେଲିକମ୍ କମ୍ପାନିଗୁଡ଼ିକ ଅନ୍ୟ ଲୋକଙ୍କ ନାମରେ ଜାରି କରୁଛନ୍ତି। ସେଭଳି ମାମଲାରେ ଜଣଙ୍କ ବ୍ୟାଙ୍କ ଖାତାରେ ଯୋଡ଼ି ହୋଇଥିବା ପୁରୁଣା ମୋବାଇଲ୍ ନମ୍ବରର ଲାଭ ଅନ୍ୟ ଜଣେ ପାଇବାର ଆଶଙ୍କା ରହୁଛି। ପ୍ରତି ସପ୍ତାହରେ ନିଷ୍କ୍ରିୟ ମୋବାଇଲ୍ ନମ୍ବର ଚିହ୍ନଟ କରି ସେଗୁଡ଼ିକୁ ନିଜ ସିଷ୍ଟମ୍ରୁ ହଟାଇବା ଲାଗି ବ୍ୟାଙ୍କ ଓ ସେବା ପ୍ରଦାନ କରୁଥିବା ଗୁଗୁଲ୍ପେ, ଫୋନ୍ପେ ଓ ପେଟିଏମ୍ ଭଳି ସଂସ୍ଥାକୁ ଏନ୍ପିସିଆଇ ନିର୍ଦ୍ଦେଶ ଦେଇଛି। ତେବେ ୟୁପିଆଇ ସେବା ବନ୍ଦ କରିବା ପୂର୍ବରୁ ଗ୍ରାହକଙ୍କ ନିକଟକୁ ଆଲର୍ଟ ପଠାଇବାକୁ କମ୍ପାନିଗୁଡ଼ିକୁ କୁହାଯାଇଛି।