କୋଚି: କେରଳର ରେମା ଦେବୀ ତାଙ୍କର ଜୈବିକ ଛାତ ବଗିଚାକୁ ଏକ ବ୍ୟବସାୟରେ ପରିଣତ କରିଛନ୍ତି। ୯୦ ଦଶକରେ ରେମା ଦେବୀ କେରଳର କୋଟାୟାମରେ ଥିବା ତାଙ୍କ ଘରେ ଜୈବିକ ପନିପରିବା ଚାଷ କରିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ପରିବାରର ଦୈନଦିନ ପନିପରିବା ଆବଶ୍ୟକତାକୁ ପୂରଣ କରିବା। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ତାଙ୍କର ଘରେ ବଗିଚା କରିବାର ନିଶା ଏତେ ବଢିଗଲା ଯେ ସେ ଏହାକୁ ଏବେ ପେସା ବନାଇ ଦେଇଛନ୍ତି। ଏହା ତାଙ୍କ ପାଇଁ ଭଲ ଆୟର ଉତ୍ସ ମଧ୍ୟ ହୋଇଛି।
ପିଲାଦିନେ ରେମା ତାଙ୍କ ଜେଜେମା’ଙ୍କୁ ବଗିଚାରେ ସାହାଯ୍ୟ କରୁଥିଲେ। ତାଙ୍କ ଜେଜେମା ଗୋଟିଏ ବଗିଚା କରିଥିଲେ ଓ ବହୁତ ପନିପରିବା ଚାଷ କରିଥିଲେ। ଆଜି ରେମା ମଧ୍ୟ ଘରେ ପ୍ରାୟ ସବୁକିଛି ଚାଷ କରୁଛନ୍ତି। ରେମା ଦେବୀ ଗତ ୨୦ ବର୍ଷ ଧରି ତାଙ୍କ ଘରର ଛାତ ଉପରେ ବଗିଚା କରି ପନିପରିବା ଓ ଫଳ ଚାଷ କରୁଛନ୍ତି। ତାଙ୍କର ବଗିଚାର ଜ୍ଞାନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଥିଲେ, ଯାହା ମାଧ୍ୟମରେ ସେ ସହରରେ ବଗିଚା କରିଥିବା ଲୋକମାନଙ୍କୁ ସାହାଯ୍ୟ କରଥାନ୍ତି। କେବଳ ଏତିକି ନୁହେଁ, ରେମା ପନିପରିବା ମଞ୍ଜି ସଂଗ୍ରହ କରି ଲୋକମାନଙ୍କୁ ବାଣ୍ଟିଥାନ୍ତି। ୫୬ ବର୍ଷିୟ ରେମା ବିଶ୍ୱାସ କରନ୍ତି ଯେ ଛାତ ଉପରେ ବଗିଚା ଅତ୍ୟନ୍ତ ସ୍ଥାୟୀ ଉପାୟରେ ଏବଂ ସ୍ୱଳ୍ପ ମୂଲ୍ୟରେ କରାଯାଇପାରିବ। ତାଙ୍କ ଚ୍ୟାନେଲ୍ ଏହି କାର୍ଯ୍ୟରେ ଲୋକଙ୍କୁ ସାହାଯ୍ୟ କରିଥାଏ।
ରେମା ସର୍ବଦା ଚାଷ ଓ ଉଦ୍ୟାନ କୃଷି ପ୍ରତି ଆଗ୍ରହୀ ଥିଲେ, ଯେଉଁଥିପାଇଁ ସେ ଉଦ୍ଭିଦ ବିଜ୍ଞାନ ପଢିଥିଲେ। ଅଧ୍ୟୟନ ପରେ ମଧ୍ୟ ସେ ଘରେ ଅଧିକ ପନିପରିବା ଚାଷ କରୁ ନଥିଲେ। ତା’ପରେ ଜୀବନର ଏକ ଘଟଣା ତାଙ୍କୁ ଉଦ୍ୟାନ କୃଷି ସହିତ ଯୋଡିଥିଲା। ରେମା କହନ୍ତି, ଥରେ ମୁଁ ବଜାରରୁ ଆଣିଥିବା ପନିପରିବା ରାନ୍ଧୁଥିଲି। ହଠାତ୍ ସେହି ପନିପରିବାରୁ କିଛି ରାସାୟନିକ ପଦାର୍ଥର ପ୍ରବଳ ଗନ୍ଧ ଆସିଥିଲା। ତା’ପରେ ମୁଁ ଅନୁଭବ କଲି ଯେ ମୁଁ ମୋ ପିଲାମାନଙ୍କୁ ଏପରି ଖାଦ୍ୟ ଦେଇ ପାରିବି ନାହିଁ ଏବଂ ତା’ପରେ ମୁଁ ମୋ ଘରେ ପନିପରିବା ଚାଷ କରିବା ଆରମ୍ଭ କରିଥିଲି। ରେମା ଆହୁରି କୁହନ୍ତି, ଛାତ ଉପର ବଗିଚାର ଯତ୍ନ ନେବା ସହ ଏହାର ନିରାପତ୍ତା ସୁନିଶ୍ଚିତ କରିବା ଓ ଲିକେଜକୁ ଏଡ଼ାଇବା ପାଇଁ ମୁଁ ମୋର ସମ୍ପୂର୍ଣ୍ଣ ଛାତକୁ ଧଳା ସିମେଣ୍ଟ ସହିତ ରଙ୍ଗ କରିଥିଲି।
ରେମା ବଗିଚା ପାଇଁ ୨୦ ବର୍ଷ ଧରି ନିଜର ସାର ନିଜେ ତିଆରି କରିଆସୁଛନ୍ତି ଏବଂ ସେ ବଢାଉଥିବା ଜୈବିକ ପନିପରିବାରୁ ବିହନ ସଂଗ୍ରହ କରୁଛନ୍ତି। ଆଜି ସେ ତାଙ୍କ ବିହନ ବ୍ୟାଙ୍କରୁ ଭଲ ରୋଜଗାର କରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସେ ଏହି ମଞ୍ଜି ବିକ୍ରି କରନ୍ତି। ପନିପରିବାର ବିଭିନ୍ନତା ଓ ଉପଲବ୍ଧତା ଉପରେ ନିର୍ଭର କରି ଏହି ମଞ୍ଜିଗୁଡିକର ମୂଲ୍ୟ ପ୍ୟାକେଟ୍ ପିଛା ୨୫ ରୁ ୪୦ ଟଙ୍କା ମଧ୍ୟରେ ରହିଥାଏ। ବର୍ତ୍ତମାନ ସେ କେବଳ ମଞ୍ଜି ବ୍ୟବସାୟରୁ ମାସକୁ ପ୍ରାୟ ଷାଠିଏ ହଜାର ଟଙ୍କା ରୋଜଗାର କରୁଛନ୍ତି। ସେ ରାଜ୍ୟର ବିଭିନ୍ନ ସ୍ଥାନରୁ ମଞ୍ଜି ପାଇଁ ଅର୍ଡର ନେଉଛନ୍ତି।