ନୂଆ ଭୂମିକା ଆପଣାଇଲେ ଉର୍ଜିତ : ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ହେଲେ ବିସ୍କୁଟ୍ କମ୍ପାନି ବ୍ରିଟାନିଆର ନିର୍ଦ୍ଦେଶକ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଏବେ ଏକ ନୂଆ ଦାୟିତ୍ୱ ମିଳିଛି । ଏଥର ସେ ଏକ ଘରୋଇ ଉଦ୍ୟୋଗ ସହ ଯୋଡି ହୋଇଛନ୍ତି । ବିସ୍କୁଟ ଓ ଦୁଗ୍ଧ ଜାତୀୟ ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ରିଟାନିଆ କମ୍ପାନି ଉର୍ଜିତ ପଟେଲଙ୍କୁ କମ୍ପାନିର ଅତିରିକ୍ତ ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେଇଛି । ସେ ଏହି ପଦରେ ଅଗାମୀ ୫ ବର୍ଷ ପର୍ଯ୍ୟନ୍ତ ରହିବେ ବୋଲି କୁହାଯାଇଛି । ବ୍ରିଟାନିଆ ତରଫରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଦିଆଯାଇଥିବା ଥିବା ସୂଚନାରେ କୁହାଯାଇଛି କି କମ୍ପାନି ଉର୍ଜିତ ପଟେଲଙ୍କୁ ଅତିରିକ୍ତ-ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେଇଛି । ସେ ଏହି ପଦରେ ୨୦୨୬ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ରହିବେ । ଉଲ୍ଲେଖଯୋଗ୍ୟ, ସେବିର ନିର୍ଦ୍ଦେଶ ଅନୁସାରେ କୌଣସ ପଞ୍ଜିକୃତ କମ୍ପାନି ଏଭଳି ନିଯୁକ୍ତିର ସୂଚନା ବମ୍ବେ ଷ୍ଟକ ଏକ୍ସଚେଞ୍ଜ ନିକଟରେ ଦେବାକୁ ବାଧ୍ୟ ।

ରଘୁରାମ ରାଜନଙ୍କ ପରେ ଏନଡିଏ ସରକାର ଉର୍ଜିତ ପଟେଲଙ୍କୁ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଥିଲେ । ଶ୍ରୀ ପଟେଲ ୨୦୧୬-୧୮ ମଧ୍ୟରେ ୨ ବର୍ଷ ପାଇଁ ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇବା ପୂର୍ବରୁ ରିଜର୍ଭବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଓ ମନିଟରିଂ କମିଟିର ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । ସେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଫାଇନାନ୍ସ ଏବଂ ପଲିସିର ଗଭର୍ଣ୍ଣିଂ ବଡିର ଚେୟାରମ୍ୟାନ ବି ଥିଲେ । ସେ ଭାରତ ସରକାରଙ୍କ ସହ ଯୋଡି ହେବା ପୂର୍ବରୁ ୧୫ ବର୍ଷ ଧରି ଘରୋଇ କ୍ଷେତ୍ରରେ ରହି ସେବା ଯୋଗାଉଥିଲେ ।

ସରକାରଙ୍କ ସହ ମତଭେଦ କାରଣରୁ ନିଜ କାର୍ଯ୍ୟକାଳ ଶେଷ ହେବାର କିଛି ମାସ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇ ଚାଲିଯାଇଥିବା ଉର୍ଜିତ ପଟେଲ୍‌ ପୁଣି ଭାରତ ଫେରିଥିଲେ । ତାଙ୍କୁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ୍ ପଲିସିି (ଏନ୍‌ଆଇପିଏଫ୍‌ପି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା ।

ସମ୍ବନ୍ଧିତ ଖବର