ହାଜର ହେଲେ ଉର୍ଜିତ:ସଂସଦୀୟ କମିଟିର କଡ଼ା ପ୍ରଶ୍ନ ଏଡ଼ାଇଗଲେ

ମନମୋହନଙ୍କଠାରୁ ଶିଖିଥିଲେ ଏହି କଳା

ନୂଆଦିଲ୍ଲୀ: ଅଭିଜ୍ଞତା ବଢ଼ିବା ସହିତ ପରିପକ୍ବତା ଦେଖାଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌। ସାଂସଦମାନଙ୍କ କଡ଼ା ପ୍ରଶ୍ନଗୁଡ଼ିକୁ ଏଡ଼ାଇବାର କଳା ଶିଖିଯାଇଛନ୍ତି। କିଛି ପ୍ରଶ୍ନର ଲିଖିତ ଉତ୍ତର ଦେବାକୁ କହି ଚତୁରତାର ପରିଚୟ ମଧ୍ୟ ଦେଇଛନ୍ତି। କିଛି ପ୍ରଶ୍ନର ସେ କୌଣସି ଉତ୍ତର ନଦେଇ କେବଳ ଚୁପ୍ ରହିଥିଲେ।
ପୂର୍ବରୁ ଉର୍ଜିତ ଏଭଳି ନଥିଲେ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କୁ ଏହି କଳା ଶିଖାଇଥିଲେ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିବାର କିଛି ଦିନ ପରେ ବିମୁଦ୍ରୀକରଣକୁ ନେଇ ତାଙ୍କୁ ସଂସଦୀୟ କମିଟିରେ ହାଜର ହେବାକୁ ପଡ଼ିଥିଲା। ସାଂସଦମାନଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଯାଇଥିଲେ। ହଡ଼ବଡ଼େଇ ଯାଇଥିଲେ। ଦେହରୁ ଝାଳ ବୋହିଯାଇଥିଲା। ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରୟାସ କରିବା ଯୋଗୁ ତାଙ୍କର ଏଭଳି ଅବସ୍ଥା ହୋଇଯାଇଥିଲା। ସେହି ପରିସ୍ଥିତି ତାଙ୍କୁ ଉଦ୍ଧାର କରିଥିଲେ କମିଟିର ସଦସ୍ୟ ଥିବା ମନମୋହନ। ସବୁ ପ୍ରଶ୍ନର ଉତ୍ତର ଦେବାର ଆବଶ୍ୟକତା ନାହିଁ। ଯେତିକି ଆବଶ୍ୟକ କେବଳ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ବୋଲି ମନମୋହନ ତାଙ୍କୁ ବୁଝାଇଥିଲେ। ସେଦିନ ସାଂସଦଙ୍କ ସାମ୍ନାରେ ଅପଦସ୍ଥ ହେବାରୁ ବର୍ତି ଯାଇଥିଲେ ଉର୍ଜିତ। କିନ୍ତୁ ଶିଖିଯାଇଥିଲେ ଏକ ମହାନ କଳା। ସେଦିନ ସେ ଯେଉଁ କଳା ଶିଖିଥିଲେ ତାକୁ ମଙ୍ଗଳବାର ପୁଣି ଥରେ ପ୍ରୟୋଗ କରିଛନ୍ତି। ଆଜି ଏକ ସଂସଦୀୟ କମିଟିରେ ହାଜର ହୋଇଥିବା ଉର୍ଜିତ କଡ଼ା ପ୍ରଶ୍ନଗୁଡ଼ିକୁ ଏଡ଼ାଇ ଯାଇଛନ୍ତି। ସଂଯୋଗର ବିଷୟ ହେଉଛି ଏଥର ଯେଉଁ ୩୧ ଜଣିଆ ସଂସଦୀୟ କମିଟିରେ ସେ ହାଜର ହୋଇଥିଲେ ସେଥିରେ ମଧ୍ୟ ଜଣେ ସଦସ୍ୟ ହେଉଛନ୍ତି ମନମୋହନ।
ରିଜର୍ଭ ବ୍ୟାଙ୍କର ଧାରା ୭, ରିଜର୍ଭ ବ୍ୟାଙ୍କର ସ୍ବାଧୀନତା ଓ ଏନ୍‌ପିଏ ଉପରେ କମିଟିର ସଦସ୍ୟମାନେ ଯେଉଁ ପ୍ରଶ୍ନ କରିଥିଲେ ତାହାର କୌଣସି ଉତ୍ତର ଦେଇନାହାନ୍ତି ଉର୍ଜିତ। ଯେହେତୁ କମିଟି ସଦସ୍ୟମାନେ ବହୁତ ପ୍ରଶ୍ନ କରିଥିଲେ, ତେଣୁ ଅନେକ ପ୍ରଶ୍ନର ଉତ୍ତର ୧୦-୧୫ ଦିନ ଭିତରେ ଲିଖିତ ଭାବେ ଦେବେ ବୋଲି ଉର୍ଜିତ ଜଣାଇଛନ୍ତି। ସେ ଦେଶ ଓ ଦୁନିଆର ଅର୍ଥନୀତି ସ୍ଥିତି ଏବେ କ’ଣ ରହିଛି ତାହା ସଦସ୍ୟମାନଙ୍କୁ ତଥ୍ୟ ପ୍ରଦାନ କରି ବୁଝାଇଛନ୍ତି। ତେଲ ଦର ହ୍ରାସର ଲାଭ ମିଳିବ ବୋଲି କହିଥିବା ବେ‌ଳେ ଦେଶର ଅର୍ଥନୀତି ବହୁତ ସୁଦୃଢ଼ ବୋଲି ଜଣାଇଛନ୍ତି। ପୁଞ୍ଜିକୁ ନେଇ ବ୍ୟାଙ୍କଗୁଡ଼ିକ କେତେ ସ୍ବଚ୍ଛଳ ରହିବା ଦରକାର ବୋଲି ପ୍ରଶ୍ନ ହେବାରୁ ସେ କହିଥି‌ଲେ ଯେ, ବିଶ୍ବ ସ୍ତରୀୟ ନିୟମ ପାଳନ କରିବା ଭାରତ ଜି-୨୦କୁ ପ୍ରତିଶ୍ରୁତି ଦେଇଛି। ସେହି ଅନୁସାରେ କାମ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର