ୱାସିଂଟନ: ରୁଷ୍ରୁ ତେଲ କିଣୁଥିବା ଭାରତ ଉପରେ ଆମେରିକା ଟ୍ରେଜେରି ସଚିବ ସ୍କଟ୍ ବେସେଣ୍ଟ ଗମ୍ଭୀର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ନିଜ ଲାଭ ପାଇଁ ଭାରତ ରୁଷ୍ରୁ ତେଲ କିଣୁଛି। ୟୁକ୍ରେନ୍ ସହ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭାରତ ନିଜ ଆବଶ୍ୟକତାର ମାତ୍ର ୧ ପ୍ରତିଶତ ତେଲ ରୁଷ୍ରୁ କିଣୁଥିଲା। ଏବେ ଏହା ୪୨ ପ୍ରତିଶତ ତେଲ ରୁଷ୍ରୁ କିଣୁଛି। ଭାରତ ନିଜ ଆଭିମୁଖ୍ୟକୁ ଯୁଦ୍ଧ ପରେ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। କେବଳ ଲାଭ କରିବା ଆଶାରେ ଏହା ରୁଷ୍ ତେଲ କିଣୁଥିବା ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ ଭାରତ ରିହାତି ଦରରେ ରୁଷ୍ରୁ ତେଲ କିଣୁଛି ଓ ତାହାକୁ ବିଶୋଧନ କରି ବିକ୍ରି କରୁଛି। ଯୁଦ୍ଧ ସମୟରେ ସେମାନେ ଯେଉଁଭଳି ଭାବେ ତେଲ କିଣା ବଢ଼ାଇଛନ୍ତି ତାହା ଆଦୌଁ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ରୁଷ୍ରୁ ତେଲ କିଣୁଥିବା ଚୀନ୍ ପ୍ରତି କାହିଁକି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇନାହିଁ, ତାହାର କାରଣ ସମ୍ପର୍କରେ ବେସେଣ୍ଟ କହିଛନ୍ତି ଯେ ଚୀନ୍ ଧାରା ବଦଳାଇନାହିଁ। ଦୀର୍ଘଦିନରୁ ତାହା ରୁଷ୍ରୁ ଅଧିକ ତେଲ କିଣୁଥିଲା। ଯୁଦ୍ଧ ପରେ ମଧ୍ୟ ସେହି ଧାରା ବଜାୟ ରଖିଛି। ସେଥିପାଇଁ ଚୀନ୍ର ରୁଷ୍ ତେଲ କିଣାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଥିବା ସେ କହିଛନ୍ତି। ବାଣିଜ୍ୟ ରାଜିନାମାରେ କରିବାରେ ବିଫଳ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ରୁଷ୍ରୁ ତେଲ କିଣୁଥିବାରୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଆମେରିକା ଘୋଷଣା କରିଛି ଯାହା ଏପର୍ଯ୍ୟନ୍ତ ଲାଗୁ ହୋଇନାହିଁ। ତେବେ ଆମେରିକା ତରଫରୁ ଚାପ ପ୍ରୟୋଗ କରାଯିବା ପରେ ଭାରତ ପକ୍ଷରୁ ଜୁଲାଇରେ ରୁଷ୍ରୁ କମ୍ ତେଲ ମଗାଯାଇଛି। ଏଥି ସହିତ ଧୀରେ ଧୀରେ ଆମେରିକାରୁ ତେଲ କିଣିବା ବଢ଼ାଇ ଦିଆଯାଇଛି।