ନୂଆଦିଲ୍ଲୀ: ଚୀନ ସାମଗ୍ରୀ ଉପରେ ଉଚ୍ଚମାତ୍ରାରେ ପାଲଟା ଶୁଳ୍କ ଲାଗୁକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଠିକ୍‌ ବୋଲି କହିଛନ୍ତି। ବିଶ୍ବ ବାଣିଜ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଏକ ଅସହାୟ ଏବଂ ମୂକ ସ୍ଥାନ (ଡମ୍ବ ଏବଂ ହ୍ବିପିଂ ପୋଷ୍ଟ୍‌) ଭାବେ ବ୍ୟବହାର କରାଯାଉଥିଲା। ଆମେରିକା ଶୁଳ୍କକୁ ଅର୍ଥନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି ଚୀନ ସତର୍କ କରାଇ ଦେବା ପରେ ଟ୍ରମ୍ପ ଏଭଳି ମତ ରଖିଛନ୍ତି। ଏହାଦ୍ବାରା ବିଶ୍ବର ଦୁଇ ବଡ଼ ଅର୍ଥନୀତି ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି।

Advertisment

ଚୀନକୁ ଜୋରଦାର ଆଘାତ ଦିଆଯାଇଛି। ସେମାନେ ଆମ ପ୍ରତି ଖରାପ ବ୍ୟବହାର କରୁଥିଲେ। ଆମକୁ ଏକ ମୂକ ଏବଂ ଅସହାୟ ସ୍ଥାନ ଭାବେ ବିବେଚନା କରୁଥିଲେ। କିନ୍ତୁ ତାହା ଆଉ ହୋଇପାରିବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଦେଇଛନ୍ତି। ବହୁବର୍ଷ ଧରି ଅର୍ଥନୀତିରେ ଦେଖାଦେଇଥିବା ହ୍ରାସରେ ସେ ପରିବର୍ତ୍ତନ ଆଣିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ଚାକିରି ଏବଂ ବ୍ୟବସାୟ ଏତେ ମାତ୍ରାରେ ଆଣୁଛୁ ଯେ ତାହା ପୂର୍ବରୁ କେବେ ଆସି ନଥିଲା। ୫ ଟ୍ରିଲିଅନ ଡଲାରର ନିବେଶ ଆସିସାରିଛି ଏବଂ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଏକ ଅର୍ଥନୈତିକ ବିପ୍ଳବ ଏବଂ ଏଥିରେ ଆମର ବିଜୟ ହେବ। ଯଦିଓ ଏହା ସହଜ ନୁହେଁ ତଥାପି ଫଳାଫଳ ଐତିହାସିକ। ଆମେ ଆମେରିକାକୁ ପୁଣିଥରେ ମହାନ କରିବୁ ବୋଲି ସେ କହିଛନ୍ତି। ଶନିବାର ଚୀନର ବିଦେଶ ବ୍ୟାପାର ମନ୍ତ୍ରାଳୟ କହିଥିଲା ଯେ ଦେଶର ସାର୍ବଭୌମତ୍ବ, ସୁରକ୍ଷା ଏବଂ ବିକାଶ ଦୃଷ୍ଟିରୁ ନିର୍ଣ୍ଣାୟକ ପଦକ୍ଷେପ ନିଆଯିବ। ଏଥିସହିତ ଚୀନର ଅର୍ଥନୀତି ଓ ବାଣିଜ୍ୟକୁ ଚାପିଦେବା ପାଇଁ ଶୁଳ୍କକୁ ଏକ ଅସ୍ତ୍ର ଭାବେ ବ୍ୟବହାର ନକରିବା ସହିତ ଚୀନବାସୀଙ୍କ ବୈଧ ବିକାଶ ଅଧିକାର ନ୍ୟୁନ କରିବାକୁ ବନ୍ଦ କରିବା ଲାଗି ମନ୍ତ୍ରାଳୟ କହିଥିଲା। 

ଉଲ୍ଲେଖଯୋଗ୍ୟ ଚଳିତ ସପ୍ତାହରେ ଟ୍ରମ୍ପ ଚୀନ ସାମଗ୍ରୀ ଆମଦାନୀ ଉପରେ ଅତିରିକ୍ତ ୩୪ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଏହାଦ୍ବାରା ଆମେରିକାକୁ ଆମଦାନୀ ହେଉଥିବା ଚୀନ ସାମଗ୍ରୀ ଉପରେ ମୋଟ ଶୁଳ୍କ ୫୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଚୀନ ଜବାବୀ ପଦକ୍ଷେପ ଘୋଷଣା କରିଥିଲା। ସମସ୍ତ ଆମେରିକୀୟ ଆମଦାନୀ ଉପରେ ଅତିରିକ୍ତ ୩୪ ପ୍ରତିଶତ ଶୁଳ୍କ ଲାଗୁ ହେବ ବୋଲି ବେଜିଂ ଶନିବାର ଘୋଷଣା କରିଥିଲା। ଚୀନ ପକ୍ଷରୁ ଘୋଷଣା କରାଯାଇଥିବା ଶୁଳ୍କ ଚଳିତମାସ ୧୦ ତାରିଖରୁ କାର୍ଯ୍ୟକାରୀ ହେବ।

ସତର୍କ କଲା ଜେପି ମୋର୍ଗାନ: ଆଣିବ ମାନ୍ଦାବସ୍ଥା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇବା ଆମେରିକା ଅର୍ଥନୀତି ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଚଳିତବର୍ଷ ଶେଷ ବେଳକୁ ଆମେରିକା ଅର୍ଥନୀତି ଏଥିପାଇଁ ମାନ୍ଦାବସ୍ଥା ଭିତରକୁ ଚାଲିଯିବ। ଆମେରିକା ଏବଂ ବିଶ୍ବ ଅର୍ଥନୀତି ଚଳିତବର୍ଷ ଶେଷବେଳକୁ ମାନ୍ଦାବସ୍ଥା କବଳରେ ପଡ଼ିବାର ଆଶଙ୍କା ୪୦ ପ୍ରତିଶତ ଥିବା ନେଇ ପୂର୍ବରୁ ବିଶ୍ବସ୍ତରୀୟ ନିବେଶ ଫାର୍ମ ଜେପି ମୋର୍ଗାନ ଆକଳନ କରିଥିବାବେଳେ ଏବେ ଏହି ଆଶଙ୍କାକୁ ୬୦ ପ୍ରତିଶତକୁ ବଢ଼ାଇ ଦେଇଛି। 

ଆମେରିକାରେ ଜେପି ମୋର୍ଗାନର ମୁଖ୍ୟ ଅର୍ଥନୀତିଜ୍ଞ ମାଇକେଲ ଫେରୋଲି କହିଛନ୍ତି ଯେ ଶୁଳ୍କ ପାଇଁ ଆମେରିକାର ମୋଟ ଘରୋଇ ଉତ୍ପାଦ (ଜିଡିପି) କମିବା ଆଶଙ୍କା ରହିଛି। ଅର୍ଥନୀତି ସଂକୁଚିତ ହେଲେ ଆମେରିକାରେ ବେକାରି ହାର ୫.୩ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଇପାରେ ବୋଲି ସେ ସର୍ତକ କରାଇ ଦେଇଛନ୍ତି। 

ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ‌ଜିରୋମି ପାୱେଲ ମଧ୍ୟ ସମାନ ଧରଣର ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବ ଆକଳନ ତୁଳନାରେ ଶୁଳ୍କ ଆମେରିକା ଅର୍ଥନୀତିକୁ ଅଧିକ ପ୍ରଭାବିତ କରିବ। ଶୁଳ୍କ ପ୍ରଭାବରେ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିବ ବୋଲି କୁହାଯାଇଛି। 
‌କେବଳ ଜେପି ମୋର୍ଗାନ ନୁହେଁ, ବିଶ୍ବର ଅନ୍ୟ ଗବେଷଣା ଫାର୍ମ ଓ ସଂସ୍ଥା ଯଥା ବାରକ୍ଲେଜ୍‌, ବୋଫା ଗ୍ଲୋବାଲ ରିସର୍ଚ୍ଚ, ଡଏଚ୍‌ ବ୍ୟାଙ୍କ, ଆର୍‌ବିସି କ୍ୟାପିଟାଲ ମାର୍କେଟ୍‌ସ, ୟୁବିଏସ୍‌ ଗ୍ଲୋବାଲ ‌ୱେଲ୍‌ଥ ମ୍ୟାନେଜମେଣ୍ଟ ମଧ୍ୟ ଆମେରିକା ଅର୍ଥନୀତି ଚଳିତ ବର୍ଷ ମାନ୍ଦାବସ୍ଥାରେ ପଡ଼ିବାର ବହୁ ବିପଦ ରହିଛି ବୋଲି ମତ ଦେଇଛନ୍ତି। ଯଦି ଟ୍ରମ୍ପ ଲାଗୁ କରିଥିବା ନୂଆ ଶୁଳ୍କ ଜାରି ରହେ ତା’ହେଲେ ଆମେରିକା ଅର୍ଥନୀତିକୁ ଏଭଳି ସ୍ଥିତି ଭୋଗିବାକୁ ପଡ଼ିପାରେ ବୋଲି କୁହାଯାଇଛି।