ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲଗାଇ ଭାରତକୁ ଡରାଇବାରେ ବିଫଳ ହେବା ପରେ ବାଣିଜ୍ୟ ଆଲୋଚନା ଆଗକୁ ବଢ଼ାଇବା ଲାଗି ନିଜ ପ୍ରତିନିଧିଙ୍କୁ ଭାରତ ପଠାଇଛନ୍ତି। କୌଣସି ପ୍ରକାର ଚାପ ଆଗରେ ଭାରତ ମୁଣ୍ଡ ନୁଆଁଇ ନଥିଲା। ସେଥିପାଇଁ ବାଧ୍ୟ ହୋଇ ଟ୍ରମ୍ପ କିଛି ଦିନ ଚୁପ୍ ରହିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବନ୍ଧୁତାର ହାତ ବଢ଼ାଇଥିଲେ ଏବଂ ଖୁବ୍ଶୀଘ୍ର ତାଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ତାଙ୍କ କହିବାନୁସାରେ ଆମେରିକାର ପ୍ରତିନିଧି ଭାରତ ଆସୁଛନ୍ତି। କିଛି ଦିନ ବନ୍ଦ ରହିଥିବା ବାଣିଜ୍ୟ ରାଜିନାମା ସମ୍ପର୍କିତ ଆଲୋଚନାକୁ ଆଗକୁ ବଢ଼ାଇବା ଲାଗି ଆସନ୍ତାକାଲିଠାରୁ ବୈଠକ ଆରମ୍ଭ ହେବ। ଆମେରିକା ପକ୍ଷରୁ ମୁଲଚାଲର ନେତୃତ୍ବ ନେଉଥିବା ଆମେରିକାର ବାଣିଜ୍ୟ ପ୍ରତିନିଧି (ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ) ଭାରତ ଆସିଛନ୍ତି। ଭାରତ ପକ୍ଷରୁ ଆଲୋଚନାର ନେତୃତ୍ବ ନେଉଛନ୍ତି ବାଣିଜ୍ୟ ବିଭାଗର ସ୍ବତନ୍ତ୍ର ସଚିବ ରାଜେଶ ଅଗ୍ରୱାଲ୍। ଚଳିତ ବର୍ଷ ଏପ୍ରିଲ୍ରେ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପାଲଟା ଟିକସ ଘୋଷଣା କରିବା ପରେ ଯେଉଁ କିଛି ଦେଶ ଆମେରିକା ସହ ବାଣିଜ୍ୟ ଆଲୋଚନା ଆରମ୍ଭ କରିଥିଲେ ସେଥିରୁ ଭାରତ ଅନ୍ୟତମ ଥିଲା। କିଛି ମାସ ପର୍ଯ୍ୟନ୍ତ ଉଭୟ ପକ୍ଷ ବ୍ୟାପକ ଆଲୋଚନା କରିଥିଲେ। କିନ୍ତୁ ଭାରତର କୃଷି ଓ ଦୁଗ୍ଧଜାତ ବଜାରକୁ ଖୋଲିବା ପାଇଁ ଆମେରିକା ଜିଦ୍ ଧରିବା ପରେ ଭାରତ ନିଜ ଆଭିମୁଖ୍ୟ କଠୋର କରିଥିଲା। ଚାଷୀଙ୍କ ସ୍ବାର୍ଥ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ଏହାପରେ ଭାରତକୁ ଟ୍ରମ୍ପ ବିଭିନ୍ନ ଅବସରରେ ତାଚ୍ଛଲ୍ୟ କରି ଡରାଇବାକୁ ଉଦ୍ୟମ କରିଥିଲେ। ଏଥି ସହିତ ଦୁଇ ଦେଶ ଭିତରେ ଆଲୋଚନା ବନ୍ଦ ହୋଇଯାଇଥିଲା।
ଚଳିତ ବର୍ଷ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ବାଣିଜ୍ୟ ଆଲୋଚନାର ପ୍ରଥମ ପର୍ଯ୍ୟାୟକୁ ଅକ୍ଟୋବର-ନଭେମ୍ବର ସୁଦ୍ଧା ଶେଷ କରିବାକୁ ଦୁଇ ଦେଶ ଲକ୍ଷ୍ୟ ରଖିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ ଏବଂ ରୁଷ୍ଠାରୁ ତେଲ କିଣା ଜାରି ରଖିଥିବାରୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ସେହି ଚଢ଼ା ଶୁଳ୍କ ଗତ ଅଗଷ୍ଟ ୨୭ରୁ ଲାଗୁ ହୋଇଥିଲା। ବର୍ଦ୍ଧିତ ଶୁଳ୍କ ଏଡ଼ାଇବା ଲାଗି ବାଣିଜ୍ୟ ଆଲୋଚନା ଶୀଘ୍ର ଶେଷ କରିବାକୁ ହୋଇଥିବା ଉଦ୍ୟମ ସଫଳ ହୋଇନଥିଲା। ଦୁଇ ଦେଶ ଭିତରେ ସମ୍ପର୍କ ଖରାପ ହେବାର କିଛି ଦିନ ପରେ ଟ୍ରମ୍ପ ନିଜ ଆଡ଼ୁ ଭାରତ ସହ ବନ୍ଧୁତା ପାଇଁ ହାତ ବଢ଼ାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ଜଣେ ଭଲ ବନ୍ଧୁ ବୋଲି କହିଥିଲେ। ଖୁବ୍ଶୀଘ୍ର ତାଙ୍କ ସହ କଥା ହେବି ବୋଲି ଇସାରା ଦେଇଥିଲେ। ତାଙ୍କ ମନ୍ତବ୍ୟ ଉପରେ ମୋଦୀ ମଧ୍ୟ ମତ ରଖି ଭାରତ ଓ ଆମେରିକା ପ୍ରାକୃତିକ ବନ୍ଧୁ ବୋଲି କହିଥିଲେ। ଟ୍ରମ୍ପଙ୍କ ସହ କଥା ହେବାକୁ ଚାହିରହିଛି ବୋଲି ଜଣାଇଥିଲେ। ଏହା ପୂର୍ବରୁ ଟ୍ରମ୍ପ କରିଥିବା ଏକାଧିକ ଫୋନ୍ କଲ୍ ମୋଦୀ ଉଠାଇ ନଥିଲେ ବୋଲି ଗଣମାଧ୍ୟମରେ ଦାବି କରାଯାଇଥିଲା।