ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ହୋଇଛି। ଭାରତ ରୁଷ୍‌ରୁ ତେଲ କିଣିବା ପାଇଁ ମଧ୍ୟ ରାଜି ହୋଇଛି। ଏସବୁ କାରଣ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ପାଲଟା ଶୁଳ୍କକୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି। ଏଥିସହିତ ରୁଷ୍‌ରୁ ତେଲ କିଣୁଥିବା କାରଣରୁ ଭାରତ ଉପରେ ଜରିମାନା ବାବଦରେ ଆମେରିକା ଲଗାଇଥିବା ୨୫ ପ୍ରତିଶତ ଶୁଳ୍କକୁ ମଧ୍ୟ ହଟାଇ ଦିଆଯାଇଛି। ଗତବର୍ଷ ଅଗଷ୍ଟରେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। କିନ୍ତୁ ବର୍ତ୍ତମାନ ଏହା ୧୮ ପ୍ରତିଶତକୁ କମିଆସିବ। ଶୁଳ୍କ ହ୍ରାସ ଦ୍ବାରା ଭାରତର ରପ୍ତାନିକାରୀମାନେ ଉପକୃତ ହେବେ। ବିଶେଷକରି ମୂଲ୍ୟବାନ ପ୍ରସ୍ତର, ଗହଣା, ବସ୍ତ୍ର ଓ ପୋଷାକ ଆଦି ସାମଗ୍ରୀର ରପ୍ତାନି ବଢ଼ିବ। ଫାର୍ମା, ଇଲେ‌କ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଶୁଳ୍କ ହ୍ରାସର ‌କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ଏଗୁଡ଼ିକ ପୂର୍ବରୁ ଆମେରିକାର ୫୦ ପ୍ରତିଶତ ଶୁଳ୍କରୁ ବାଦ୍‌ ପଡ଼ିଛି।

Advertisment

ରୁଷ୍‌ରୁ ତେଲ କିଣା ବନ୍ଦ କରି ଆମେରିକାରୁ ଅଧିକ ତେଲ (ସମ୍ଭବତଃ ଭେନେଜୁଏଲାରୁ) କଣିପା‌ରେ ବୋଲି ବୋଲି ଟ୍ରମ୍ପ କହିଥିଲେ ମଧ୍ୟ ଭାରତ ହଠାତ୍‌ ଏହା କରି ନପାରେ‌ ବୋଲି ରେଟିଂ ଏଜେନ୍ସି ମୁଡିସ୍‌ କହିଛି। ରୁଷ୍‌ ତେଲ କିଣା ତୁରନ୍ତ ବନ୍ଦ କରାଗଲେ ଏହା ଭାରତର ଅଭିବୃଦ୍ଧିକୁ ପ୍ରଭାବିତ କରିବ। ଏଥିସହିତ ରୁଷ ତେଲ କିଣାକୁ ସଂପୂର୍ଣ୍ଣ ବନ୍ଦ କରି ଅନ୍ୟ ଦେଶରୁ ଏହା ଆଣିବା ଦ୍ବାରା ବିଶ୍ବ ବଜାରରେ ତେଲ ଯୋଗାଣ ସଂକୁଚିତ ହେବ। ଏହାଦ୍ବାରା ତେଲର ଦର ବଢ଼ିବ ଏବଂ ଏହାର ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡ଼ିବ ବୋଲି ମୁଡିସ୍‌ ସତର୍କ କରାଇ ଦେଇଛି।

ଆହୁରି ପଢ଼ନ୍ତୁ: Cricket: ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଜନ ନିଷ୍ପତ୍ତିରେ ଆଇସିସି ଚିନ୍ତିତ

ତେବେ ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ ବାଣିଜ୍ୟ ରାଜିନାମାରେ ଭାରତ ଏହାର କୃଷିକ୍ଷେତ୍ରକୁ ଆଂଶିକ ଉତ୍ମୁକ୍ତ କରିବାକୁ ରାଜି ହୋଇଛି। ସେହିଭଳି ଟେଲିକମ୍‌ ଏବଂ ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ରକୁ ମଧ୍ୟ ଉନ୍ମୁକ୍ତ କରିବ। ଅନ୍ୟପକ୍ଷ‌ରେ ଭାରତ ଆମେରିକାଠାରୁ ଯେଉଁସବୁ ଉତ୍ପାଦ କିଣିବା ପାଇଁ ସହମତି ପ୍ରକାଶ କରିଛି ସେଗୁଡ଼ିକ ମଧ୍ୟରେ ଫାର୍ମାସ୍ୟୁଟକାଲ୍ସ, ଟେଲିକମ୍‌, ପ୍ରତିରକ୍ଷା, ପେଟ୍ରୋଲିୟମ ଏବଂ ଏୟାରକ୍ରାଫ୍ଟ ରହିଛି। ଉଲ୍ଲେଖଯୋଗ୍ୟ, ରୁଷ୍‌ଠାରୁ ଭାରତ ଭଲ ରିହାତିରେ ତେଲ କିଣୁଛି। ଭାରତ ଏହାର ମୋଟ ତୈଳ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ଆମଦାନି ଜରିଆରେ ପୂରଣ କରୁଥିବାରୁ ଏହା ଭାରତ ପାଇଁ ଶସ୍ତା ଇନ୍ଧନ କିଣିବାର ଏକ ଭଲ ସୁଯୋଗ ଥିଲା।