ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଏକ ଭିନ୍ନ ସ୍ତରରେ ପହଞ୍ଚିଛି। କେହି ପଛଘୁଞ୍ଚା ଦେବାକୁ ଚାହୁନାହାନ୍ତି। ଚୀନ ମୁଣ୍ଡ ନୁଆଁଉ ନ ଥିବାରୁ ଆମେରିକା ପକ୍ଷରୁ ଏହା ଉପରେ ଲଗାଯାଇଥିବା ଶୁଳ୍କକୁ ଅବିଶ୍ବସନୀୟ ୨୪୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ପାଲଟା ଜବାବ ଦେଉଥିବାରୁ ଚୀନ୍ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ତେବେ ଆମେରିକାର ନାଲି ଆଖିକୁ ଚୀନ୍ ଭୟ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। 

Advertisment

ଆମେ ବାଣିଜ୍ୟ ଲଢ଼େଇ ପାଇଁ ଭୟ କରୁନୁ ବୋଲି ଏହା କହିଛି। ତେବେ କଥାବାର୍ତ୍ତା କରିବାର ଆବଶ୍ୟକତା ରହିଛି ‌ବୋଲି ଚୀନ ପୁଣି ଥରେ ଦୋହରାଇଛି। କୋବାଲଟ, ଲିଥିୟମ୍‌, ନିକେଲ୍‌ ଓ ରେୟାର୍ ଆର୍ଥ ଭଳି ଖଣିଜ ପଦାର୍ଥ ପାଇଁ ଆମେରିକା ବିଦେଶ ଉପରେ ନିର୍ଭରଶୀଳ ରହିଛି। ଏହି ଜିନିଷଗୁଡ଼ିକୁ ଆମଦାନି ବେଳେ ଜାତୀୟ ସୁରକ୍ଷା ପ୍ରତି କ’ଣ ବିପଦ ରହିଛି, ତାହାର ତଦନ୍ତ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି। ଏହି ଖଣିଜ ପଦାର୍ଥ ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରିକ୍ ଯାନର ବ୍ୟାଟେରି ପ୍ରସ୍ତୁତିରେ ବ୍ୟବହାର କରାଯାଉଛି। ଟ୍ରମ୍ପଙ୍କ ଏହି ଘୋଷଣାର କିଛି ସମୟ ପରେ ଚୀନ ଉପରେ ଆମେରିକା ଏହାର ଶୁଳ୍କକୁ ୨୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା।