ୱାଶିଂଟନ: ରୁଷ୍ ତେଲ କିଣାରୁ ଭାରତରେ କେବଳ ବ୍ରାହ୍ମଣମାନଙ୍କୁ ଲାଭ ମିଳୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପଦେଷ୍ଟା ପିଟର ନାଭାରୋ କହିଛନ୍ତି। ତାଙ୍କ ସେହି ମନ୍ତବ୍ୟକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ଦଳର ନେତାଙ୍କଠାରୁ ଆରମ୍ଭ କରି ଅର୍ଥନୀତିଜ୍ଞଙ୍କ ପର୍ଯ୍ୟନ୍ତ ବହୁ ବିଶିଷ୍ଟ ବ୍ୟକ୍ତି ନାଭାରୋଙ୍କୁ ନିନ୍ଦା କରିଛନ୍ତି। ତାଙ୍କ ମନ୍ତବ୍ୟକୁ ସେମାନେ ଜାତିଆଣ, ଭୟଙ୍କର, ହିନ୍ଦୁ ବିରୋଧୀ ଓ ଭାରତ ବିରୋଧୀ ବୋଲି କହିଛନ୍ତି। ନାଭାରୋ କହିଥିଲେ ଯେ ମୋଦୀ ଜଣେ ମହାନ ନେତା। ମୁଁ ବୁଝିପାରୁନାହିଁ ଯେ ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ହୋଇଥିବା ବେଳେ ପୁଟିନ (ରୁଷ ରାଷ୍ଟ୍ରପତି) ଏବଂ ସି ଜିନପିଙ୍ଗ (ଚୀନ୍ ପ୍ରିମିୟର)ଙ୍କ ସହ ମୋଦୀ କାହିଁକି ମିଶୁଛନ୍ତି। ମୁଁ ଭାରତୀୟ ଲୋକଙ୍କୁ କେବଳ ଏତିକି କହିବି,ଏହା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ବୁଝନ୍ତୁ। ସବୁ ଭାରତୀୟଙ୍କ ବଦଳରେ କେବଳ ବ୍ରାହ୍ମଣମାନେ ଏଥିରେ ଲାଭାବାନ ହେଉଛନ୍ତି। ଆମକୁ ଏହା ବନ୍ଦ କରିବାକୁ ପଡିବ ବୋଲି ସେ କହିଥିଲେ।
ତେଲ କିଣାରୁ ବ୍ରାହ୍ମଣ ଲାଭବାନ ହେଉଛନ୍ତି: ଆମେରିକା
ଭାରତରେ ତୀବ୍ର ପ୍ରତିକ୍ରିୟା
ଅନ୍ୟ ପକ୍ଷରେ ନାଭାରୋଙ୍କ ମନ୍ତବ୍ୟକୁ ନେଇ ଭାରତରେ କଡ଼ା ପ୍ରତିକ୍ରିୟା ସୃଷ୍ଟି ହୋଇଛି। ନାଭାରୋଙ୍କ ବ୍ରାହ୍ମଣ ଲାଭବାନ ହେଉଥିବା ମନ୍ତବ୍ୟକୁ ଭିତ୍ତିହୀନ ବୋଲି କହିଛନ୍ତି କଂଗ୍ରେସ ନେତା ପବନ ଖେରା। ଏପରି କହି ଆମେରିକା ଭାରତ ଉପରେ ଲଗାଇଥିବା ଉଚ୍ଚ ହାରର ଶୁଳ୍କକୁ ଯଥାର୍ଥ ବୋଲି ଦର୍ଶାଇପାରିବନି ବୋଲି ସେ କହିଛନ୍ତି। ଟିଏମସି ସାଂସଦ ସାଗରିକା ଘୋଷ କହିଛନ୍ତି, ନାଭାରୋଙ୍କ ବ୍ରାହ୍ମଣ ଶବ୍ଦର ଅର୍ଥ ସାମାଜିକ ଓ ଆର୍ଥିକ ସ୍ତରର ଉଚ୍ଚବର୍ଗଙ୍କୁ ବୁଝାଉଛି। ଆମେରିକାରେ ଏକଦା ସମ୍ଭ୍ରାନ୍ତ ଶ୍ରେଣୀ ଲୋକଙ୍କୁ ‘ବୋଷ୍ଟନ ବ୍ରାହ୍ମଣ’ ବୋଲି କୁହାଯାଉଥିଲା। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ, ନାଭାରୋଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କହିଛନ୍ତି ଯେ ଭାରତ ସମ୍ପର୍କରେ ଆମେରିକାରେ ଧାରଣା ସୃଷ୍ଟି କରିବାକୁ କିଏ ନିୟନ୍ତ୍ରଣ କରୁଛି, ତାହା ଏଥିରୁ ଜଣାପଡ଼ୁଛି।
ତେଲ କିଣାରେ କୌଣସି ନିୟମ ଉଲ୍ଲଂଘନ କରିନୁ: ଭାରତ
ନୂଆଦିଲ୍ଲୀ: ରୁଷ୍ଠାରୁ ତେଲ କିଣି ଯୁଦ୍ଧ ପାଇଁ ପାଣ୍ଠି ଯୋଗାଉଥିବା ନେଇ ଆମେରିକା କରିଥିବା ଅଭିଯୋଗର ଜବାବ ଦେଇଛନ୍ତି ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ। ସେ କହିଛନ୍ତି ଯେ ତେଲ କିଣାରେ ଆମେ କୌଣସି ନିୟମ ଉଲ୍ଲଂଘନ କରିନାହୁଁ। ଅନ୍ତର୍ଜାତୀୟ ନିୟମ ପାଳନ କରି ତେଲ କିଣିଛୁ। ଆମେ ତେଲ କିଣିବାରୁ ଅନ୍ତର୍ଜାତୀୟ ବଜାରରେ ସ୍ଥିରତା ବଜାୟ ରହିଛି। ଅନ୍ୟଥା ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୨୦୦ ଡଲାର ପର୍ଯ୍ୟନ୍ତ ବଢ଼ିଥାନ୍ତା ବୋଲି ସେ କହିଛନ୍ତି। ସେ ଏକ ନିବନ୍ଧରେ ଲେଖିଛନ୍ତି ଯେ ଭାରତ କୌଣସି ନିୟମ ଭାଙ୍ଗିନାହିଁ। ଜି୭ ଧାର୍ଯ୍ୟ କରିଥିବା ମୂଲ୍ୟ ସୀମାକୁ କଡ଼ାକଡ଼ି ପାଳନ କରାଯାଇଛି।
ରୁଷ୍ର ଆୟକୁ ସୀମିତ ରଖିବା ଏବଂ ତେଲ କିଣା ଯେଭଳି ବଜାୟ ରହିପାରିବ, ସେଥିରେ ସନ୍ତୁଳନ ରକ୍ଷା କରି ତେଲ କିଣାଯାଉଛି। ଆମେ ତେଲ କିଣିବାରୁ ଚଢ଼ା ତେଲ ଦାମ୍ରୁ ସାରା ବିଶ୍ବକୁ ଆଶ୍ବସ୍ତି ମିଳିଛି। ଗତ ମାସ ୨୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପଦେଷ୍ଟା ପିଟର ନାଭାରୋ ୟୁକ୍ରେନ ଯୁଦ୍ଧକୁ ମୋଦୀ ଯୁଦ୍ଧ ଆଖ୍ୟା ଦେଇଥିଲେ। ଭାରତ ଯୁଦ୍ଧକୁ ଉସୁକାଉଥିବା ଓ ଦୋମୁହାଁ ଖେଳ ଖେଳୁଥିବା କହିଥିଲେ। ରୁଷ୍ରୁ ଭାରତ ଶସ୍ତାରେ ତେଳ କିଣି ତାହାକୁ ବିଶୋଧନ କରି ଅଧିକ ଦାମ୍ରେ ରପ୍ତାନି କରିବା ସହ ଲାଭ କରୁଛି। ରୁଷ ଓ ଚୀନ୍ ସହ ଭାରତର ବଢ଼ୁଥିବା ସମ୍ପର୍କ ସାରା ଦୁନିଆ ଲାଗି ବିପଦ ଡାକିଆଣିପାରେ ବୋଲି ସେ କହିଥିଲେ।