ଟଙ୍କା ଉପରେ ନଜର ରଖିବନି ଆମେରିକା

ୱାସିଂଟନ: ମୁଦ୍ରା ବିନିମୟ ପାଇଁ ଭାରତ ଯେଉଁ ବ୍ୟବସ୍ଥା ଗ୍ରହଣ କରିଛି ତାହା ଉପରେ ଆମେରିକା ଆସ୍ଥା ପ୍ରକଟ କରିଛି। ସେଥିପାଇଁ ଏହା ଭାରତର ନାମକୁ ‘ମୁଦ୍ରା ନିରୀକ୍ଷଣ ତାଲିକା’ରୁ ହଟାଇ ଦେଇଛି। ପ୍ରଥମ ଥର ପାଇଁ ଏହି ତାଲିକାରେ ଭାରତର ନାମକୁ ୨୦୧୮ ମେ’ରେ ଯୋଡ଼ାଯାଇଥିଲା। ଆମେରିକାର ଏହି ତାଲିକାରେ ଏବେବି ଚୀନ୍, ଜାପାନ, ଦକ୍ଷିଣ କୋରିଆ, ଜର୍ମାନି, ଇଟାଲି, ଆୟରଲ୍ୟାଣ୍ଡ୍‌, ସିଙ୍ଗାପୁର, ମାଲେସିଆ ଓ ଭିଏତନାମର ନାମ ରହିଛି। ଏହି ତାଲିକାରେ ସେହି ସବୁ ଦେଶର ନାମକୁ ଯୋଡ଼ାଯାଇଥାଏ ଯେଉଁମାନଙ୍କ ଉପରେ ଆମେରିକାର ସନ୍ଦେହ ସୃଷ୍ଟି ହୁଏ। ଡଲାର ମୂଲ୍ୟକୁ ଜାଣିଶୁଣି କମ୍ ରଖିବା ପାଇଁ କେତେକ ଦେଶ ପ୍ରୟାସ କରିଥାନ୍ତି। ଏଭଳି ପରିସ୍ଥିତିରେ ଆମେରିକୀୟ ଡଲାରର ଉଚିତ ମୂଲ୍ୟ ମିଳିନଥାଏ ଓ ଏହା ଦ୍ବାରା ଆମେରିକା ପ୍ରଭାବିତ ହୋଇଥାଏ। ‌ବିଶେଷ କରି ନିଜ ଦେଶର ରପ୍ତାନିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନେକ ଦେଶ ଜାଣିଶୁଣି ସେମାନଙ୍କ ମୁଦ୍ରାର ମୂଲ୍ୟକୁ ଆବଶ୍ୟକତା ଠାରୁ ଆହୁରି ତଳ ସ୍ତରକୁ ଖସାଇ ଦେଇଥାନ୍ତି। ଯେଉଁ ଦେଶର ନାମକୁ ମୁଦ୍ରା ନିରୀକ୍ଷଣ ତାଲିକାରେ ସାମିଲ କରାଯା‌ଏ ସେମାନଙ୍କ ବିନିମୟ ମୁଦ୍ରାର ମୂଲ୍ୟରେ ହେଉଥିବା ପରିବର୍ତ୍ତନ ଉପରେ ଆମେରିକା ନଜର ରଖିଥାଏ।

ସମ୍ବନ୍ଧିତ ଖବର