ଆମେରିକାର ତେଲ ରାଜନୀତି:ଇରାନ ବିଷୟରେ ଭାରତ ସହ ଆଲୋଚନା

ଯୋଗାଣ ବଢ଼ାଇବା ପାଇଁ ଓପେକ୍‌କୁ ଧମକାଇଲା

ନୂଆଦିଲ୍ଲୀ, : ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ତେଲ ରାଜନୀତି ଆରମ୍ଭ କରାଯାଇଛି। ଇରାନ ଉପରେ ବାଣିଜ୍ୟ କଟକଣା ଲଗାଇବା ପାଇଁ ଏହା ପୂର୍ବରୁ ଘୋଷଣା କରିସାରିଛି। ଇରାନ ଠାରୁ ଯେଭଳି କୌଣସି ଦେଶ ତେଲ କିଣି ନପାରିବେ ତାହାକୁ ନିଶ୍ଚିତ କରିବା ପାଇଁ ଆମେରିକା ଉଦ୍ୟମ ଆରମ୍ଭ କରିଦେଇଛି। ଆଜି ଆମେରିକାର ଏକ ପ୍ରତିନିଧି ଦଳ ଭାରତର ବୈଦେଶିକ ସଚିବ ବିଜୟ ଗୋଖ୍‌ଲେଙ୍କ ସହିତ ଇରାନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଇରାନରୁ ତେଲ ଆମଦାନି ବନ୍ଦ ହେଲେ କ’ଣ ସବୁ ଅସୁବିଧା ହେବ ସେ ବିଷୟରେ ଭାରତ ପକ୍ଷରୁ ଆମେରିକାକୁ ଅବଗତ କରାଯାଇଛି। ତେବେ, ଏହି ଆଲୋଚନାର ଫଳାଫଳ କଣ ରହିଲା ତାହା ଜଣାପଡ଼ିନାହିଁ। ଯେଉଁ ଦେଶଗୁଡ଼ିକ ଇରାନରୁ ତେଲ ଆମଦାନି କମ୍‌ କରିବାରେ ଅସୁବିଧା ସାମ୍ନା କରୁଛନ୍ତି ସେମାନଙ୍କୁ ଅଧିକ ସମୟ ପ୍ରଦାନ କରାଯିବ ବୋଲି ଗତକାଲି ଆମେରିକାର ଟ୍ରେଜେରି ସେକ୍ରେଟାରି ଷ୍ଟିଭେନ୍‌ ମୁଚିନ୍‌ କହିଥିଲେ।
ଆମେରିକାର ଆତଙ୍କବାଦୀ ପାଣ୍ଠି ବିଭାଗର ସହକାରୀ ସଚିବ ମାର୍ଶଲ ବିଲିଙ୍ଗସ୍ଲିଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳ ଭାରତର ଅର୍ଥ ମନ୍ତ୍ରଣାଳୟର ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି।
ତେଲ ଆମଦାନିକୁ ନେଇ ଗତକାଲି ଭାରତ ଓ ଇରାନର ପ୍ରତିନିଧିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଉଭୟ ଦେଶ ପାଇଁ ଯାହା ଭଲ ରହିବ ସେହି ପଦକ୍ଷେପ ଗ୍ରହଣ କରିବାକୁ ଦୁଇ ଦେଶ ରାଜି ହୋଇଥିଲେ।
ଇରାନରୁ ତେଲ ରପ୍ତାନି ବନ୍ଦ ହେଲେ ଅନ୍ୟ ଦେଶଗୁଡ଼ିକ ଯେଭଳି କୌଣସି ଅସୁବିଧା ସାମ୍ନା ନକରନ୍ତି ତାହା ନିଶ୍ଚିତ କରିବା ପାଇଁ ଆମେରିକା ପକ୍ଷରୁ ଓପେକ୍‌ ଉପରେ ଚାପ ସୃଷ୍ଟି କରିବାକୁ ମଧ୍ୟ ଉଦ୍ୟମ ଆରମ୍ଭ କରାଯାଇଛି। ତେଲ ଯୋଗାଣ ବଢ଼ାଇବା ଓ ଦର ଉପରେ ନିୟନ୍ତ୍ରଣ ରଖିବାକୁ ଓପେକ୍‌, ବିଶେଷ କରି ସାଉଦି ଆରବକୁ ଆମେରିକା କହିଛି। ଆମେରିକା ସହିତ ସାଉଦି ଶତ୍ରୁତା କରିବାକୁ ଚାହୁଁନାହିଁ। ସେଥିପାଇଁ ଏହା ଏସିଆର ବିଭିନ୍ନ ଦେଶକୁ ଅଧିକ ତେଲ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୭୦ ଡଲାରରୁ କମ୍‌ ରହିଛି। ଆମେରିକା ଚାପରେ ଯଦି ଓପେକ୍‌ ତେଲ ଦର କମ୍‌ କରିବ ତେବେ ତାହା ଭାରତ ପାଇଁ ଲାଭଦାୟକ ହେବ। କାରଣ ନିଜ ଆବଶ୍ୟକତା ୮୦% ତେଲକୁ ଭାରତ ଆମଦାନି ଜରିଆରେ ପୂରଣ କରୁଛି। ଅଶୋଧିତ ତେଲ ଦର କମିଲେ ସ୍ଥାନୀୟ ବଜାରରେ ପେଟ୍ରୋଲ୍‌ ଓ ଡିଜେଲ ଦର ନିୟନ୍ତ୍ରଣ ମଧ୍ୟକୁ ଆସିବ।
ଭାରତରେ ଅଶୋଧିତ ତୈଳ ଦର ଓ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ବିଚାରକୁ ନେଇ ପେଟ୍ରୋଲ୍‌ ଓ ଡିଜେଲ୍‌ର ଖୁଚୁରା ଦର ନିର୍ଧାରଣ କରାଯାଉଛି। ପ୍ରତିଦିନ ତେଲ ଦର ସଂଶୋଧନ କରାଯାଉଛି।

ସମ୍ବନ୍ଧିତ ଖବର